ପାଟଣାଗଡ଼ ଓ ତୁମୁଡ଼ିବନ୍ଧରେ ସ୍ପଷ୍ଟ ଦିବାଲୋକରେ ଡକାୟତି: ୯ ଲକ୍ଷ ଟଙ୍କା ଲୁଟ ହୋଇଥିବାର ସୂଚନା

ପାଟଣାଗଡ଼/ତୁମୁଡ଼ିବନ୍ଧ: ବଲାଙ୍ଗୀର ପାଟଣାଗଡ଼ ସହରର ରାମଜୀଛକ ଠାରୁ ସ୍ବଷ୍ଟ ଦିବାଲୋକରେ ପୁଣି ଡକାୟତି ହୋଇଥିବା ଜଣାପଡିଛି। ଏଥର ସୁନା ଗହଣା ଦୋକାନ ନୁହେଁ ଜଣେ ବ୍ୟକ୍ତିଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ଲୁଟ ହୋଇଥିବାର ଜଣାପଡିଛି | ତେବେ ଲୁଟ କରି ଫେରାର ହେଉଥିବାବେଳେ ବଲାଙ୍ଗିର ସଦର ପୁଲିସ ସେମାନଙ୍କୁ କାବୁ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଗ୍ରାମର ସର୍ବେଶ୍ବର ପୁଟେଲ ନାମକ ଜୈନିକ ବ୍ୟକ୍ତି କପା ବିକ୍ରି କରି ୫ଲକ୍ଷ ଟଙ୍କା ଧରି କୌଣସି କାମରେ ରାମଜୀ ଛକଠାରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ଛଡାଇ ବଲାଙ୍ଗିର ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଏନେଇ ଖବର ପାଇ ପାଟଣାଗଡ଼ ପୁଲିସ ବଲାଙ୍ଗିର ସଦର ପୁଲିସକୁ ଖବର ଦେଇଥିଲା। ସଦର ପୁଲିସ ଦୁର୍ବୃତ୍ତମାନଙ୍କୁ ବଲାଙ୍ଗିର ସହର ନିକଟରେ ଧରିଥିବା ଜଣାପଡିଛି। ପାଟଣାଗଡ଼ ପୁଲିସ ବଲାଙ୍ଗିର ପହଞ୍ଚି ଦୁର୍ବୃତ୍ତମାନଙ୍କୁ ପାଟଣାଗଡ଼ ଥାନାକୁ ଆଣୁଥିବା ଜଣାପଡିଛି।

ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ସେମାନଙ୍କୁ ପାଟଣାଗଡ଼ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ଏଠାରେ ପ୍ରକାଶ ଥାଉ କି, ଅଗଷ୍ଟ ୫ ତାରିଖରେ ପାଟଣାଗଡ଼ ରାମଜୀଛକ ନିକଟରେ ଥିବା ଏକ ସୁନାଗହଣା ଦୋକାନରୁ ବହୁ ପରିମାଣର ସୁନା ଗହଣା ଓ ଟଙ୍କା ଲୁଟ କରି ଡକାୟତମାନେ ଫେରାର ହୋଇଯାଇଥିଲେ । ସେଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରାପଡିନଥିବାବେଳେ ପୁଣି ସ୍ପଷ୍ଟ ଦିବା ଲୋକରେ ଜନଗହଳି ସ୍ଥାନରୁ ଡକାୟତି ହେବା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଅନ୍ୟପଟେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଜଲେଶପଟ୍ଟା ନିକଟ ମା’ବରାଳ ଦେବୀ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କଠାରୁ ମଧ୍ୟ ଆଜି ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଛନ୍ତି ବନ୍ଧୁକଧାରୀ ଦୁର୍ବୃତ୍ତ। ପେଟ୍ରୋଲ ପମ୍ପରୁ ଷ୍ଟେଟବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଗଲାବେଳେ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ପାଖରେ ବନ୍ଧୁକ ଓ ଛୁରୀ ଦେଖାଇ ସାଢେ଼ ଚାରି ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ତୁମୁଡ଼ିବନ୍ଧ ଥାନାରେ ଏନେଇ ପେଟ୍ରୋଲ ପମ୍ପ ମ୍ୟାନେଜର ଏତଲା ଦେଇଛନ୍ତି |

ସମ୍ବନ୍ଧିତ ଖବର