ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ସାବରଙ୍ଗ ଥାନା ଗୋରମାଟି ପଂଚାୟତର ଚକପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଡକାୟତମାନେ ପ୍ରାୟ ୨୫ ଲକ୍ଷର ଅଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟ ହୋଇଥିବା ଜଣାପଡିଛି | ସୂଚନାନୁସାରେ ଭିଜିଲାନ୍ସରୁ ଅବସର ନେଇଥିବା ଚକପୁର ଗାଁର ଅଭୟ କୁମାର ପଲାଇ ଓ ତାଙ୍କ ସ୍ତ୍ରୀ ପ୍ରମିଳା ପଲାଇ ଗାଁରେ ରହୁଥିବା ବେଳେ ତାଙ୍କର ଚାରି ପୁଅ ପୁଲିସ ଚାକିରି କରୁଥିବାରୁ ସେମାନେ ବାଲେଶ୍ୱରରେ ରୁହନ୍ତି |
ଏହାର ସୁଯୋଗ ନେଇ ଗତକାଲି ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ କିଛି ଡକାୟତ ଘରର ପଛ କବାଟ ଭାଙ୍ଗି ଘରେ ପଶିଥିଲେ | ପ୍ରଥମେ ସେମାନେ ଅଭୟ ରହୁଥିବା ଘରର କବାଟକୁ ବାହାରୁ ବନ୍ଦ କରି ଅନ୍ୟ ରୁମରେ ଥିବା ଆଲମିରା, ଆଟାଚି ଆଦି ଭାଙ୍ଗି ଡକାୟତମାନେ ଲୁଟିବା ଆରମ୍ଭ କରିଥିଲେ | ଅନ୍ୟ ଘରେ ଶୋଇଥିବା ଅଭୟଙ୍କ ସ୍ତ୍ରୀ ଶବ୍ଦ ଶୁଣି ଉଠି ଆସି ଚୋରଙ୍କୁ ବିରୋଧ କରିବାରୁ ସେମାନେ ପଲଙ୍କ ବାଡା ଭାଙ୍ଗି ତାଙ୍କୁ ପିଟିଥିଲେ | ତାଙ୍କର ହାତ ଭାଙ୍ଗି ଯିବା ସହ ମୁଣ୍ଡ ଫାଟି ରକ୍ତ ବାହାରିଥିଲେ ବି ସେମାନେ ଗଲାବେଳେ ତାଙ୍କୁ ଏକ ଘରେ ବନ୍ଦ କରି ରଖି ଦେଇ ପଳାଇ ଯାଇଥିଲେ | ବହୁ କଷ୍ଟରେ ସେ ଘୁଷୁରି ଘୁଷୁରି ଯାଇ ନିଜ ସ୍ୱାମୀଙ୍କୁ ବାହାର କରିବା ସହ ପାଖ ପଡିଶାଙ୍କୁ ଜଣାଇଥିଲେ | ଅଭିଯୋଗ ପରେ ସାଵରଙ୍ଗ ଥାନାଧିକାରୀ ରୀନା ବକ୍ସରଙ୍କ ନେତୃତ୍ୱରେ ପୁଲିସ ଟିମ ସହ ସକାଳୁ ତଦନ୍ତ ଜାରି ରଖିଛନ୍ତି | ଗୁରୁତର ଆହତ ପ୍ରମିଳା ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/61ac0d32-89b0-4e6b-acaf-61e31f2f9a7f.jpg)