ରାୟଗଡା: ଚୋରଙ୍କ କବଜାରେ ରାୟଗଡ଼ା ସହର। ଏଭଳି ଚର୍ଚ୍ଚା ସହରବାସୀ କରୁଥିବାବେଳେ ଏହାକୁ ପ୍ରମାଣ କରୁଛି ଦିନକୁ ଦିନ ଘଟୁଥିବା ସହରର ଚୋରି ଓ ଡକାୟତି ଘଟଣା। ଆଜି ପୁଣି ରାୟଗଡ଼ା ସହରର ଗୋଟିଏ ଦିନରେ ଦୁଇଟି ଚୋରି ଘଟଣା ସାମ୍ନାକୁ ଆସିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ଏକ ଯନ୍ତ୍ରାଂଶ ଯନ୍ତ୍ରପାତି ଦୋକାନରେ ଚୋରି ହୋଇଥିବା ଜଣାପଡ଼ିଥିବା ବେଳେ ଜଗନ୍ନାଥ ମନ୍ଦିରକୁ ପ୍ରସାଦ ସେବନ ପାଇଁ ଆସି ଭକ୍ତ ଜଣକ ନିଜ କାର ମନ୍ଦିର ସମ୍ମୁଖରେ ରଖି ଭିତରକୁ ଯାଇ ଆସିବା ବେଳକୁ କାର ଡାହାଣ ପାର୍ଶ୍ଵ ପଛ ସିଟ୍ କାଚ ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବି.ଜୟବର୍ଦ୍ଧନଙ୍କ ପ୍ରକାଶ ଟ୍ରେଡର ନାମକ ଏକ ହିରୋ କମ୍ପାନୀ ସ୍ପେୟାରପାର୍ଟସ ଦୋକାନ ରହିଛି। ଉକ୍ତ ଦୋକାନ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉପଲକ୍ଷେ ସୋମବାର ଠାରୁ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଦୋକାନ ପାର୍ଶ୍ୱରେ ରହିଥିବା ଏକ ଝରକା ଭାଙ୍ଗି ଭିତରେ ପଶି ତଳ ଓ ଉପର ମହଲାର ଅଫିସ ଚାମ୍ବର ତାଲା ଭାଙ୍ଗି ଜିନିଷପତ୍ର ଚୋରି କରିନେଇଛନ୍ତି। ଗୁରୁବାର ସକାଳେ କର୍ମଚାରୀ ଦୋକାନ ଖୋଲିବା ସମୟରେ ଝରକା ଭାଙ୍ଗିଥିବା ଦେଖିବାକୁ ପାଇ ମାଲିକ ଜୟବର୍ଦ୍ଧନଙ୍କୁ ଫୋନରେ ଜଣାଇଥିଲେ।
ଏହାପରେ ଜୟବର୍ଦ୍ଧନଙ୍କ ବାପା ସେଠାକୁ ଆସି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛି। ଜୟବର୍ଦ୍ଧନ ଗାଁକୁ ଯାଇଥିବାରୁ ସେ ଫେରିବା ପରେ କଣ ସବୁ ଚୋରି ହୋଇଛି ତାହା ଜଣାପଡ଼ିବ ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି। ସେହିଭଳି ମୁନିଗୁଡ଼ା ଦୋଳମଣି ସାହୁ ଓ ଗଣେଶ୍ୱର ସାହୁ କୌଣସି ଏକ ଶୁଭ କାର୍ଯ୍ୟର ନିମନ୍ତ୍ରଣ ପତ୍ର ବାଂଟିବା ପାଇଁ ଜୟପୁର ଯାଇଥିଲେ। ସେଠାରୁ ଫେରିବା ବାଟରେ ଦିନ ୧ଟା ସମୟରେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରଠାରେ ପ୍ରସାଦ ସେବନ ପାଇଁ କାର ବାହାରେ ପାର୍କ କରି ମନ୍ଦିର ଭିତରକୁ ଯାଇଥିଲେ। ତେବେ ୧ ଘଣ୍ଟା ୩୦ ମିନିଟ ସମୟରେ ମନ୍ଦିର ଭିତରୁ ବାହାରିବା ବେଳେ କାରର ଡାହାଣ ପାଶ୍ୱର୍ର କବାଟ କାଚ ଭାଙ୍ଗି ଭିତରେ ରହିଥିବା ଦୁଇଟି ବ୍ୟାଗ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ତେବେ ସହରରେ ଦିନ ଦ୍ୱିପ୍ରହରରେ ମନ୍ଦିର ସାମ୍ନାରୁ ଏଭଳି ଚୋରିକୁ ସହରବାସୀ ଦୃଢ଼ ନିନ୍ଦା କରିଛନ୍ତି। ତେଣୁ ଚୋରି ରୋକିବା ପାଇଁ ପୁଲିସ ବ୍ୟାପକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସହରବାସୀ ଦାବି କରିବା ସହ ସହରରେ ପୁଲିସ କେବେ ନିଘୋଡ଼ ନିଦ୍ରାରୁ ଉଠିବ ବୋଲି ପ୍ରଶ୍ନ ମଧ୍ୟ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।