ରାୟଗଡା: ରାୟଗଡା ଜିଲ୍ଲା ସଦର ମହକୁମାରେ ଚୋରିଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ସାହିରେ ଚୋର ଲୋକଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ଦିନେ ଦୁଇ ଦିନ ଘରେ ତାଲା ପଡିଥିଲେ, ଚୋର ସେହି ଘରକୁ ଟାର୍ଗେଟ କରୁଛନ୍ତି।ସଦ୍ୟତମ ଘଟଣା କ୍ରମରେ ନ୍ୟୁ କଲୋନୀର ୩ୟ ଲାଇନରେ ଥିବା ସତ୍ୟସାଇ ମନ୍ଦିରରେ ଗତକାଲି ରାତିରେ ଚୋରି ହୋଇଛି। ଚୋର ସାଇଙ୍କ ବିରାଟ ଫଟୋ ଚିତ୍ରରେ ଲଗାଯାଇଥିବା ରୂପାର ଫଟିକକୁ ଚୋରି କରି ନେଇଯାଉଛନ୍ତି। ସାଇଙ୍କ ଫଟୋକୁ ବାହାରେ ଫିଙ୍ଗି ଦେଇ ରୂପାର ଫଟିକକୁ କାଢି ନେବାରେ ସଫଳ ହୋଇଛନ୍ତି। ଏହାର ଦାମ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସତ୍ୟସାଇ ମନ୍ଦିରର ସେବକମାନେ ପ୍ରକାଶ କରିଛନ୍ତି। ତେବେ ମନ୍ଦିରରେ ଲଗାଯାଇଥିବା ସିସିଟିଭି ଫୁଟେଜରେ କେବଳ ଜଣେ ବ୍ୟକ୍ତି ମନ୍ଦିର ଭିତରେ ପଶି ଚୋରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏତେ ଓଜନର ଫଟୋକୁ କିପରି ଟେକି ନେଇଛି ତାହା ଆଚମ୍ବିତ ଲାଗୁଛି।
ଏସଡିପିଓ ରଶ୍ମି ରଂଜନ ସେନାପତି ଏବଂ ଆଇଆଇସି କେକେବିକେ କହଁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ସାଇପ୍ରିୟା ନଗରରେ ବାସ କରୁଥିବା ଜଣେ ପିଇଟି ଶିକ୍ଷକଙ୍କ ଘରେ ଚୋରି ହୋଇଛି। ସ୍ଥାନୀୟ ଜିସିଡି ହାଇସ୍କୁଲରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ସୁନିଲ କୁମାର ମହନ୍ତ ଗତ ୨୮ ତାରିଖରେ ଭୁବନେଶ୍ବରସ୍ଥିକ କିଟ୍ ଠାରେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିଲେ। ଆଜି ବସ ଯୋଗେ ରାୟଗଡା ପହଞ୍ଚି ଘରେ ଯାଇ ଦେଖିବା ବେଳକୁ ଘରର ପଛ ପଟ କବାଟ ଭଙ୍ଗା ହୋଇଛି। ତୁରନ୍ତ ସେ ଘରର ଅନ୍ୟ କଠୋରୀ ଦେଖିଲା ବେଳକୁ ଚୋର ସବୁ ଜିନିଷ ଫିଙ୍ଗା ଫିଙ୍ଗି କରି ନଗଦ ୫୦ ହଜାର ଟଂକା, ଲାପଟପ, ମୋବାଇଲ ସହ ଅନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଶ୍ରୀ ମହନ୍ତ ପୁଲିସ ନିକଟରେ ଏତଲା ଦେଇଛନ୍ତି। ପୁଲିସକୁ ଚ୍ୟାଲେଞ୍ଜ କରି ଚୋର ପ୍ରତିଦିନ ଚୋରି କରୁଛନ୍ତି।
କିନ୍ତୁ ପୁଲିସ ଚୋରକୁ ଧରିବାରେ ଅସଫଳ ହେଉଛି। ଲୋକେ ଘର ଛାଡି ଯିବାକୁ ଭୟ କଲେଣି। ପୁଲିସ ଉପରେ ଲୋକଙ୍କ ବିଶ୍ବାସ ଧିରେ ଧିରେ ତୁଟୁଛି। ଲୋକେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି।ରାୟଗଡା ବାସିନ୍ଦା ତ୍ରାହି ତ୍ରାହି ଡାକିଲେଣି। ତେବେ ଏହି ଦୁଇଟି ଘଟଣାରେ ପୁଲିସ ଚୋରକୁ ଧରିବାରେ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।