ରାୟଗଡା: ରାୟଗଡା ସହରରେ ଚୋରି, ରାହାଜାନି ଥମିବାର ନାମ ନେଉ ନାହିଁ। କିଛି ଦିନର ବ୍ୟବଧାନ ପରେ ପୁଣି ଲୁଟର ଶିକାର ହେଲେ ଜଣେ ମହିଳା। ଘଟଣା ଅନୁଯାୟୀ, ଆଜି ସକାଳେ ସାଇପ୍ରିୟା ନଗରରେ ବାସ କରୁଥିବା ଲକ୍ଷ୍ମୀ ଗଣେଶ ଧାନ ମିଲର ପାର୍ଟନର କେ. ରାମା ରାଓ ଓ ତାଙ୍କ ପତ୍ନୀ କେ. ପୁଷ୍ପଲତା ସାଇପ୍ରିୟା ନଗର ଠାରେ ଥିବା ରେଳ ବିଭାଗର ଫାଟକ ଦେଇ ବାରିଝୋଲାକୁ ଯାଉଥିବା ରାସ୍ତାରେ ପ୍ରାତଃ ଭ୍ରମଣ କରିବାକୁ ଯାଉଥିବା ସମୟରେ ଏକୁଟିଆ ପାଇ ଜଣେ ଲୁଟେରା ସେମାନଙ୍କ ନିକଟରେ ପହଞ୍ଚି କେ. ପୁଷ୍ପଲତାଙ୍କ ବେକରେ ପିନ୍ଧିଥିବା ୬ ତୋଳା ଓଜନର ଏକ ମଙ୍ଗଳସୂତ୍ରକୁ ଟାଣି ନେଇ ଆଖି ପିଛୁଳିକା ମଧ୍ୟରେ କେଉଁଆଡେ ଚାଲି ଯାଇଥିଲା। ପ୍ରଥମେ ପୁଷ୍ପଲତାକୁ ଠେଲି ଦେଇଥିଲା। ତାଙ୍କର ମୁଣ୍ଡରେ ଆଘାତ ଲାଗିବା ପରେ ସେ କିଛି ସମୟ ପାଇଁ କିଛି ବୁଝି ପାରି ନଥିଲେ। ପରେ ଜାଣିଲା ବେଳକୁ ତାଙ୍କ ବେକରୁ କେହି ମଙ୍ଗଳସୂତ୍ରକୁ ଝାମ୍ପି ନେଇ ଚାଲିଗଲା। ପୁଷ୍ପଲତା ପାଟି କରିଥିଲେ ମଧ୍ୟ କେହି ସହଯୋଗ କରି ପାରି ନଥିଲେ। ସ୍ବାମୀ ଧରିଥିବା ଏକ ବାଡିରେ ଚୋରକୁ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏହାପରେ ସେମାନେ ରାୟଗଡ ପୁଲିସ ଥାନରେ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2023/06/Rgda-Mangal-sutra-loot-2.jpg)
ଅଭିଯୋଗ ପାଇଲା ପରେ ରାୟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଥିବା ଜଣାପଡିଛି। ରାୟଗଡ ଜିଲ୍ଲାରେ ପୁଲିସ ଆଖିରେ ଧୂଳି ଦେଇ ଚୋର ଓ ଲୁଟେରା ମାନେ ନିଜର କାର୍ଯ୍ୟ ଅନାୟସରେ ସମ୍ପାଦନ କରି କ୍ଷଣକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇ ଯାଉଛନ୍ତି। ବାରମ୍ବାର ଏଭଳି ଲୁଟ ହେଉଥିଲେ ମଧ୍ୟ ଲୋକେ ସକାଳୁ ପ୍ରାତଃ ଭ୍ରମଣରେ ସୁନା ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକେ ସଚେତନ ନ ହେବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ମଧ୍ୟ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହା ପୁଲିସ ପାଇଁ ଚ୍ୟାଲେଞ୍ଜର ବିଷୟ ପାଲଟିଛି। ରାୟଗଡ ଜିଲ୍ଲା ସଦରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗା ଯାଇଥିଲେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ଅସଫଳ ହେବା ଜଣାଯାଇଛି। ଆଗକୁ ରାୟଗଡ ଜିଲ୍ଲା ପୁଲିସ ପ୍ରଶାସନ କିଭଳି ଏହା ରୋକିବ ସେନେଇ ରାୟଗଡବାସୀ ଚାହିଁ ବସିଛନ୍ତି।