ଲୁଟ୍‌ ପରେ ଲୁଟ୍‌: ମାତିଛନ୍ତି ଅପରାଧୀ, ପୁଲିସ ଜଳକା; ପାଟ୍ରୋଲିଂ ଫେଲ୍‌; ଦୁର୍ବଳ ତଦନ୍ତକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଛାତି ଉପରୁ ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କ ଲକ୍ଷେ ଟଙ୍କା ଲୁଟ୍‌ ହେଲା ା ଆଳିରେ ମାତ୍ର ପନ୍ଦର ମିନିଟ୍‌ ଭିତରେ ଦୁଇଟି ଏଟିଏମ୍‌ରୁ ୪୩ଲକ୍ଷ ଟଙ୍କା ଖାଲି କରିଦେଲେ। ସୁନା ଗହଣା ଲୁଟ୍ କଥା ନ କହିବା ଭଲ। କେତେବେଳେ ଲୁଟ୍‌ର ଭୟ ଦେଖାଇ ‌ଲୁଟେରାମାନେ ଚତୁରତାର ସହିତ ସୁନା ଚେନ୍, ମୁଦି ନେଉଛନ୍ତି ତ କେତେବେଳେ ଲିପ୍ଟ ଦେବା ଆଳରେ ଅଳଙ୍କାର ସହିତ ଭ୍ୟାନିଟ୍ ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରୁଛି । ପଟ୍ଟାମୁଣ୍ଡାଇ ସଂସାରଫଳ ନିକଟରେ ଘରକୁ ଫେରୁଥିବା ରାଜନଗର କଲେଜ ଛାତ୍ରୀଙ୍କୁ ଦିନ ଦ୍ବିପ୍ରହରରେ  ଧକ୍କା ମାରି ମୋବାଇଲ୍‌ ଝାମ୍ପିନେଲେ। ତମାମ୍ ଜିଲ୍ଲାରେ ଏବେ ଅପରାଧୀମାନେ ଆତଙ୍କ ଚଳାଇଛନ୍ତି। ଦିନ ଦ୍ବିପ୍ରହରରେ ପୁଲିସକୁ ଖୋଲା ଚାଲେଞ୍ଜ୍ ଫିଙ୍ଗି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଲୁଟ୍‌କୁ ସଫଳ ରୂପ ଦେବାରେ ଲାଗିଥିବା ବେଳେ କେନ୍ଦ୍ରାପଡ଼ା ପୁଲିସ ଜଳକା ହୋଇ ବସିଛି। ‘ତଦନ୍ତ ଚାଲିଛି’ ବୋଲି ଧାଡ଼ିକିଆ ଉତ୍ତର ଶୁଣାଇ ହାତବାନ୍ଧି ଚୁପ୍ ବସି ପଡ଼ିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଲାଣି ଯେ ଯେଉଁଠି ଚେନ୍ ଲୁଟେରାକୁ ପୁଲିସ ଦୀର୍ଘ ଦିନ ପରେ ବି ଧରିପାରୁନାହିଁ, ସେପରିସ୍ଥଳେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରିଥିବା ପେସାଦାର ଅପରାଧୀଙ୍କୁ ଧରିପାରିବ ତ?

ଯେହେତୁ ଘନଘନ ଲୁଟ୍‌ ଘଟଣାରେ ଅପରାଧୀ ମାନେ ଧରାପଡ଼ୁନାହାନ୍ତି ଏବଂ ଏଟିଏ୍‌ମ୍‌ ଲୁଟ୍‌ ଘଟଣାରେ ଅନ୍ତଃରାଜ୍ୟ ଲୁଟେରାଙ୍କ ସଂପୃକ୍ତି ସ‌ନ୍ଦେହ କରାଯାଉଛି, ତେଣୁ ସେମାନଙ୍କୁ ଧରିବା ଜିଲ୍ଲା ପୁଲିସ ପାଇଁ ବଡ଼ ଚାଲେଞ୍ଜ୍ ହୋଇଥିବା ବେଳେ ନୂଆ ଏସ୍‌ପିଙ୍କ ଦକ୍ଷତା ବି ଏ କ୍ଷେତ୍ରରେ ବାଜିରେ ଲାଗି ଗଲାଣି ା
ଗତ ମାସକ ଭିତରେ କେନ୍ଦ୍ରାପଡ଼ା ସହରରୁ ତିନିଟି ଲୁଟ୍‌ ହେଲାଣି ା ଡିସେମ୍ବର ୨୨ତାରିଖରେ ବଣିଆମାଳ ଅ˚ଚଳର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବସନ୍ତ ନାୟକ(୬୫)ଙ୍କ ସୁନା ଚେନ ଓ ମୁଦି ଲୁଟ୍‌ ଅଭିନବ ଉପାୟରେ ଲୁଟେରାମାନେ ନେଇ ପଳାଇଲେ ା ଏହା ପରେ ବଡ଼ମଂଗଳାରର ସବିତା ଲେଙ୍କା ଜାନୁଆରି ୧୨ତାରିଖରେ ଲୁଟ୍‌ର ଶିକାର ହେଲେ ା ସେହି ସମାନ ଶୈଳୀରେ ଲୁଟେରାମାନେ ତାଙ୍କୁ ଏତେ ସୁନା ଗହଣା କାହିଁକି ପିନ୍ଧିଛ କହି ଓହ୍ଲାଇ ଦେବାକୁ କହିଲେ ା ଲିପ୍ଟ ଦେବା ବାହାନରେ ମଢ଼ିଆଳ ବଜାରରୁ ଶ୍ରୀମତୀ ଲେଙ୍କାକୁ ବଡ଼ମଂଗଳା ନେବା ବେଳେ ସାନ୍ତସାହି ହନୁମାନ ମନ୍ଦିର ନିକଟରେ ସୁନା ଚେନ୍ ସହିତ ଭ୍ୟାନିଟ୍ ନେଇ ପଳାଇଲେ ା

ଏହାର ତିନି ଦିନ ପରେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ–ଅପରେଟିଭ୍‌ ବ୍ୟାଙ୍କ୍‌ରେ କାମ କରୁଥିବା ଟାଉନ ଥାନା ଅଧିନ ନୀଳାଦ୍ରୀପୁରର ସୁରେନ୍ଦ୍ର ପଣ୍ତାଙ୍କ ପୁଅ ବଳଭଦ୍ର ପଣ୍ତାଙ୍କଠୁ ୧ଲକ୍ଷ ଟଙ୍କା ଲୁଟ୍ ହେଲା। ଜାନୁଆରି ୧୫ତାରିଖ ଦିନ ପ୍ରାୟ ସାଢେ଼ ୧୨ଟା ବେଳେ ଶ୍ରୀ ପଣ୍ଡା ମେଡିକାଲ୍‌ ଛକସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ ମୁଖ୍ୟ ଶାଖାରୁ ୧ଲକ୍ଷ ଟଙ୍କା ଉଠାଇ ନୂଆ ବସ୍‌ଷ୍ଟାଣ୍ତ୍‌ସ୍ଥିତ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ମୁଖ୍ୟ ଶାଖାରୁ ଡିପୋଜିଟ୍‌ କରିବାକୁ ଆସିଥିଲେ। ନୂଆ ବସ୍‌ଷ୍ଟାଣ୍ତ‌ସ୍ଥିତ ବ୍ୟାଙ୍କ୍‌ କାର୍ଯ୍ୟାଳୟ ଆଗରେ ବାଇକ୍ ରଖି ଅନ୍ୟ ଜଣେ କର୍ମଚାରୀଙ୍କ ସହିତ କଥା ହେଉଥିବା ବେଳେ ଅପରାଧୀମାନେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ପଳା‌ଇଲେ। ଏସବୁ ଘଟଣାକୁ ମାସେ ପୂରିବାକୁ ବସିଲାଣି ା ଅଥଚ ଅଦ୍ୟାବଧି ଲୁଟେରା ମାନେ ଧରାପଡ଼ିଲେ ନାହିଁ। ଲୁଟେରାମାନେ ଏତେ ନିଡ଼ର ହେଇଯାଇଛନ୍ତି ଯେ ଚାରି ଦିନ ତଳେ ଦିନ ଦ୍ବିପ୍ରହରରେ ସଂସାରଫଳ ନିକଟରେ ଘରକୁ  ଫେରୁଥିବା ଜଣେ ରାଜନଗର କଲେଜ ଛାତ୍ରୀଙ୍କ ସାଇକଲ୍‌କୁ ଧକ୍କା ମାରି ମୋବାଇଲ୍‌ ଫୋନ୍ ଝାମ୍ପିନେଲେ ା

ଏ ସବୁ ଭିତରେ ମଂଗଳବାର ବିଳମ୍ବିତ ରାତିରେ ଆଳିର ପତ୍ରପୁର ଓ ନଳିଆହାଟରେ ଥିବା ଏସ୍‌ବିଆଇ ବ୍ୟାଙ୍କ୍‌ର ଦୁଇଟି ଏଟିଏମ୍‌ରୁ ପାଖାପାଖି ୪୩ଲକ୍ଷ ଟଙ୍କା ଲୁଟ୍‌ ଘଟଣା କେବଳ ପୁଲିସର ନିଦ ହଜାଇଦେଇଛି ତା ନୁହେଁ, ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଆଙ୍କି ଦେଇଛି। ଖୋଦ୍‌ ଏସ୍‌ପି ମଦକର ସନ୍ଦିପ ସଂପଦ ଏଟିଏମ୍‌ ଲୁଟ୍‌ ଘଟଣାର ତନାଘନା ଚଳାଇଛନ୍ତି। କିନ୍ତୁ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ପୁଲିସର ନିଷ୍କ୍ରିୟତା ନା ଦୁର୍ବଳ ତଦନ୍ତର ସୁଯୋଗ ନେଇ ଅପରାଧୀମାନେ ଏଭଳି ଲୁଟପାଟ୍‌ ଚଳାଇଛନ୍ତି ା ତା ନ ହୋଇଥିଲେ ଅପରାଧୀମାନେ ଏତେ ବେଫିକର ହୋଇ କିପରି ଗୋଟିଏ ପରେ ଗୋଟିଏ ଲୁଟ୍‌ କରୁଛନ୍ତି? ଏ ସବୁ ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଓ ଅନୁସଂଧାନ କୌଶଳ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଲାଣି ା ଏପରି ସ୍ଥିତିରେ ପୁଲିସ ତଦନ୍ତ ଅପରାଧୀଙ୍କ ପାଖେ କେବେ ପହଞ୍ଚିପାରୁଛି, ତାରି ଉପରେ ସଭିଙ୍କ ଏବେ ନଜର ରହିଛି।

ସମ୍ବନ୍ଧିତ ଖବର