ରାୟଗଡ଼ାରେ ବଢ଼ୁଛିି ଚୋରି, ୮୨ ହଜାର ଟଙ୍କା ‌ସମେତ ସୁନା ମୁଦି ଓ ଜିନିଷ ଲୁଟ

ରାୟଗଡା: ରାୟଗଡାରେ ଦିନକୁ ଦିନ ଚୋରି, ରହାଜାନି, ଡକାୟତି, ମନ୍ଦିରରେ ଚୋରି, ତାଲା ବନ୍ଦ ଥିବା ଘରେ ଚୋରି, ବଡ ବଡ ଦୋକାନରେ ଚୋରି ବୃଦ୍ଧି ପାଉଥିବା ବେଳେ ଏବେ ଛୋଟ ଛୋଟ କିରାଣୀ ଦୋକାନ ଗୁଡିକରେ ମଧ୍ୟ ଚୋରି ବୃଦ୍ଧି ପାଉଛି। ରବିବାର ରାୟଗଡା ମୁଖ୍ୟ ବଜାରରେ ଥିବା ମାର୍କେଟ କଂପ୍ଳେକ୍ସର ଏକ ଦୋକାନର ସଟରକୁ ତାଡି ଦୁର୍ବୃତ୍ତମାନେ ଦୋକାନରେ ଥିବା ୮୨ ହଜାର ଟଙ୍କା ସହ କାଉଣ୍ଟରରେ ଥିବା ଏକ ସୁନା ମୁଦି ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ସୋମବାର ସକାଳେ ଦୋକାନ ମାଲିକ ଇପିଲି ପୋଲେଶ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ସଟର ଭଙ୍ଗା ଯାଇଥିବା ଦେଖି ରାୟଗଡା ଥାନା ପୁଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଡଗ୍‌ ସ୍କ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲଗାତାର ଭାବେ ଡେଲି ମାର୍କେଟ ପରିସରରେ ଚୋରି ବୃଦ୍ଧି ପାଉଥିବାରୁ ଦୋକାନୀମାନେ ସିସିଟିଭି ବ୍ୟବସ୍ଥା ସହ ପାଟ୍ରୋଲିଂ କଡାକଡି କରିବାକୁ ଦାବି କରି ରାୟଗଡା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲଗାତାର ରାୟଗଡା ସହରରେ ଚୋରି ବଢୁଥିବାରୁ ଲୋକେ ଭୟଭିତ ହୋଇ ପଡିଛନ୍ତି।

Sambad

ପୁଲିସ ରାତିରେ ଗୋଟିଏ ପଟେ ପାଟ୍ରୋଲିଂ କରୁଥିବା ବେଳେ ଚୋର ଅନ୍ୟପଟେ ଘର କିମ୍ବା ଦୋକାନକୁ ଟାର୍ଗେଟ କରୁଛି। ସହରରେ ଏତେ ଚୋରି ବଢିଛି ଯେ ଲୋକେ ରାତିରେ ନଶୋଇ ଚେଇଁ ରହୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ତେବେ ମାର୍କେଟ କମ୍ପ୍ଲେକ୍ସରେ କେତେ ଦୋକାନ ରହିଥିବା ବେଳେ କାହିଁକି ଚୋର ଏହି ଗୋଟିଏ ଦୋକାନକୁ ଟାର୍ଗେଟ କଲେ ତାହା ନେଇ ମଧ୍ୟ ସନ୍ଦେହ ଉପୁଜିଥିବା ଆଲୋଚନା ହେଉଛି। ଶନିବାର ରାତିରେ ବର୍ଷା ହେବା ଯୋଗୁଁ ଦୋକାନୀ ବିଭିନ୍ନ ଲୋକଙ୍କୁ ଟଙ୍କା ଦେବାର ଥିବାରୁ ଦେଇ ପାରିନଥିଲେ। ଶେଷରେ ସେହି ଟଙ୍କାକୁ ଘରକୁ ନ ନେଇ ଦୋକାନରେ ଛାଡି ଚାଲି ଯାଇଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ କିଏ ଏବଂ କିପରି ଜାଣିଲା ତାହାକୁ ନେଇ ଏବେ ବଡ ପ୍ରଶ୍ନ। ପୁଲିସକୁ ଚ୍ୟାଲେଞ୍ଜ କରି ଚୋର ପ୍ରତିଦିନ ଚୋରି କରୁଛନ୍ତି। ଯେଉଁଥିପାଇ ପୁଲିସ ମୁଣ୍ଡ ବ୍ୟଥା ମଧ୍ୟ ବଢିଲାଣି।

ସମ୍ବନ୍ଧିତ ଖବର