ଆସନ୍ତାକାଲିଠାରୁ ଯାଜପୁର ଜିଲ୍ଲାରେ ଲାଗୁ ହେବ କର୍ଫ୍ୟୁ ଭଳି କଡାକଡି ନିୟମ: ଜିଲ୍ଲାପାଳ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶକୁ ଲୋକେ ଠିକ୍ ଭାବେ ପାଳନ କରୁନଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି । ଯାହାଫଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି । ସେଥିପାଇଁ ଆସନ୍ତାକାଲି ଠାରୁ ଯାଜପୁର ଜିଲାରେ କର୍ଫ୍ୟୁ ଭଳି ନିୟମ କଡାକଡି କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଏହି ସମୟ ବାଦ ଯେଉଁମାନେ ବାହାରକୁ ବାହାରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ବନ୍ଦ ପାଳନ ବେଳେ ଆଇନ ନମାନିଲେ କି ଉଲଘଂନ କଲେ ଆପଣ ଲଜ୍ଜିତ ହେବେ। କଥାଟି ଭିନ୍ନ ଲାଗୁଥିଲେ ବି ସତ।  ଯାଜପୁର  ଅତିରିକ୍ତ ତହସିଲଦାର ଏପରି ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଘରେ ରହିବା ବଦଳରେ ରାସ୍ତାରେ ବନ୍ଦ ପାଳନକୁ ନମାନି ବୁଲିବେ ସେମାନଙ୍କୁ ଲଜ୍ଜିତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି।

କରୋନା ଭୟରେ ସମସ୍ତେ ଘରେ ପରିବାର ସହ ରହୁଛନ୍ତି। କିନ୍ତୁ କିଛି ଅମାନିଆ ଲୋକଙ୍କ ମନ ଘରେ ବୁଝୁନି। ସେମାନେ ବାଇକ ଧରି ନବୁଲିଲେ  ନିଜକୁ ସମ୍ଭାଳି ପାରୁନାହାନ୍ତି। ଏପରି ଲୋକଙ୍କ ପାଇଁ ଏହି ନୂଆ ଉପାୟ ବେଶ ସହାୟତ ହେବ। ଆଇନ ନମାନି ରାସ୍ତାରେ ବୁଲିଥିବା ଲୋକଙ୍କୁ ଏକ ପ୍ଲାକାର୍ଡ ଦେଇ ତାଙ୍କ ଫଟୋ ଉଠାଯିବ। ବଡ କଥା ହେଲା ପ୍ଲାକାର୍ଡରେ ଲେଖାଥବା କଥାଟି ନିଶ୍ଚିତ ଭାବେ ଭୁଲ କରିଥିବା ଲୋକକୁ ସୁଧାରିବାରେ ସହଯୋଗ କରିବ। ଏହି ପ୍ଲାକାର୍ଡରେ  ମୁଁ ସ୍ବାର୍ଥପର, ନିଜର ଓ ଅନ୍ୟମାନଙ୍କ ଜୀବନ ପ୍ରତି ମୋର  ଗୁରୁତ୍ବ ନାହିଁ। ମୁ ବି କରୋନା ଭୂତାଣୁ ବାହକ ହୋଇପାରେ ବୋଲି ଉଲ୍ଲେଖ ରହିଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ହୋଇଥିବା ଏପରି  ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର