ରାସ୍ତା ପାଇଁ ହୀନସ୍ତା କୋଇଡା: ରାସ୍ତା ସାରା ଖାଲି ଧୂଳିଧୂଆଁ, ଘଣ୍ଟା ଘଣ୍ଟା ଜାମ ସାଜିଛି ମୁଣ୍ଡ ବ୍ୟଥାର କାରଣ

କୋଇଡା (ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲାର କୋଇଡ଼ା ବ୍ଲକ ଅନ୍ତର୍ଗତ ଟେନସା ଜିରୋ ପଏଣ୍ଟଠାରୁ ବରସୁଆଁ ରେଲୱେ ଗେଟ୍ ପର୍ଯ୍ୟନ୍ତ ପୁର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଅଞ୍ଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଏହି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଲୁହାପଥର ବୋଝେଇ ବଡ ବଡ ଯାନ ଯାତାୟାତ କରେ। ଏହି ରାସ୍ତା ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ଵ ଯୋଗାଇରେ ସହଯୋଗ କରିଥାଏ। ହେଲେ ଏ ରାସ୍ତାର ଅବସ୍ଥା କେବେ ବଦଳେ ନାହିଁ। କାରଣ ଏହାକୁ ଉପଯୁକ୍ତ ଭାବେ ମରାମତି କରିବା ପାଇଁ କେବେ ନିଷ୍ଠାର ସହିତ ଉଦ୍ୟମ କରା ଯାଏନାହିଁ। ଉଦାହରଣସ୍ବରୂପ ବର୍ଷେ ତଳେ ଏହି ରାସ୍ତାକୁ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ପିଚୁ ଓଭରକୋଟ୍ କରାଯାଇ ନିର୍ମାଣ କରାଯାଇଥିଲା। ହେଲେ ବର୍ତ୍ତମାନ ଏହି ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ଦିନେ ତ ସ୍ଥିତି ଅତି ଭୟଙ୍କର ହୋଇଉଠେ, ଏ ଶୀତଋତୁରେ ବି ଅଞ୍ଚଳବାସୀଙ୍କୁ ନିସ୍ତାର ନାହିଁ।

ରାସ୍ତା ସାରା ଭାଙ୍ଗି ଯାଇଥିବାରୁ ରାସ୍ତା ଏବେ ଦିନରାତି ଧୂଳିଧୂଆଁରେ ଆଚ୍ଛାଦିତ ରହୁଛି। କେବଳ ସେତିକି ନୁହେଁ, ଦୈନନ୍ଦିନ ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛନ୍ତି ଶହ ଶହ ଟ୍ରକ ଓ ଅଞ୍ଚଳବାସୀ। କେବେ କୈାଣସି ରୋଗୀକୁ ରାଉରକେଲା ନେବାକୁ ହେଲେ ଯେଉଁ ସମସ୍ୟା ହେଉଛି, ଅନୁଭବୀ ହିଁ ଜାଣେ। ରାସ୍ତା ଜାମ୍ କାରଣରୁ ଅଧାବାଟରେ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହି ରାସ୍ତାରେ ଗୋଟିଏ କିଲୋମିଟର ବାଇକରେ ଗଲେ ନିଜକୁ ବି ଦର୍ପଣରେ ଚିହ୍ନି ହୁଏନାହିଁ। ଏପରିକି ଏ ରାସ୍ତା ପାଇଁ ଜିଲ୍ଲା ମୁଖ୍ୟାଳୟରୁ ଅଫିସରମାନେ ଏଠାକୁ ଗସ୍ତରେ ଆସିବାକୁ ନାରାଜ। ବଦଳି ହେଲେ ବି ଅନେକ କର୍ମଚାରୀ ଆସିବାକୁ ଅନିଚ୍ଛୁକ।

ରାଜ୍ୟ ସରକାର ଏ ଅଞ୍ଚଳରେ ଥିବା ଖଣିମାନଙ୍କରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି, କିନ୍ତୁ ଏହି ରାସ୍ତା ନିର୍ମାଣ ପାଇଁ କେହି ଧ୍ୟାନ ଦେଉନାହାନ୍ତି । ବିଶେଷ କରି ପୁର୍ତ୍ତ ବିଭାଗ ପାଇଁ ଏ ରାସ୍ତା ପାଲଟିଛି ଲେଉଟିଆ ଶାଗ କିଆରି । ପ୍ରତ୍ୟେକ ବର୍ଷ ବହୁ ଅର୍ଥ ଏ ରାସ୍ତା ପାଇଁ ବରାଦ ହେଉଥିଲେ ହେଁ ନିଷ୍ଠା ନଥିବା ଯାହିତାଇ କାମ ଯୋଗୁଁ ସ୍ଥିତି ବଦଳୁ ନାହିଁ। ଏ ଖଣି ଅଞ୍ଚଳ ପ୍ରତି ସରକାରଙ୍କ ସାବତ ମନୋଭାବ ଦେଖି ଅଞ୍ଚଳବାସୀ ଅତିଷ୍ଠ ହେଉଛନ୍ତି, କିନ୍ତୁ ଅଭିଶପ୍ତ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ସମ୍ବନ୍ଧିତ ଖବର