ରାଉରକେଲା: ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ରେଳ ଷ୍ଟେସନର ନବକେଳବର କରାଯାଉଛି। ଯାତ୍ରୀଙ୍କ ସୁବିଧା ପାଇଁ ପୁରୁଣା ଷ୍ଟେସନର ନବୀକରଣ କରି ଅତ୍ୟାଧୁନିକ ବ୍ୟବସ୍ଥା ଉପଳବ୍ଧ କରାଇବା ସହ ସଂପୂର୍ଣ୍ଣ ନୂଆ ରୂପ ଦିଆଯାଉଛି। ଏହି କ୍ରମରେ ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ରାଉରକେଲା ରେଳ ଷ୍ଟେସନକୁ ନୂଆ ରୂପ ଦିଆଯିବା ନେଇ ବୋଲି ଗତ ଦୁଇ ବର୍ଷ ହେଲା ଚର୍ଚ୍ଚା ଆଲୋଚନା ଜାରି ରହିଛି; କିନ୍ତୁ ଏହା ବାସ୍ତବ ରୂପ ନେଇପାରୁନି। ଯଦିଓ ଏହି ରେଳ ଷ୍ଟେସନକୁ ଅତ୍ୟାଧୁନିକ ରୂପ ଦେବାକୁ ରେଳ ବିଭାଗର ଯୋଜନା ରହିଛି; କିନ୍ତୁ ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା ଯୋଗୁଁ ଏହା ବାସ୍ତବ ରୂପ ନେଇପାରୁନି।
Advertisment
ରାଉରକେଲା ରେଳ ଷ୍ଟେସନର ଆଧୁନିକୀକରଣ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୫ ଶହ କୋଟି ବ୍ୟୟ କରାଯିବ। ଏନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏକ କନ୍‌ସଲ୍‌ଟାନ୍ସି ମାଧ୍ୟମରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ତିଆରି ଉଚ୍ଚ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ଡିପିଆର୍‌ ପ୍ରଦାନ କରିବାର ୪ ମାସ ବିତିଲାଣି; କିନ୍ତୁ ଏଯାଏ କୌଣସି ଅଦୃଶ୍ୟ କାରଣରୁ ଏହି ପ୍ରସ୍ତାବକୁ ଅନୁମତି ମିଳିପାରୁନି। ନିର୍ଦ୍ଦିଷ୍ଟ କେବେ ଅନୁମତି ମିଳିବ ଓ ଟେଣ୍ଡର୍‌ ପ୍ରକ୍ରିୟା, ସ୍କ୍ରିନିଂ, କାର୍ଯ୍ୟାଦେଶ ବଣ୍ଟନ ଆଦି ଆରମ୍ଭ ହେବ ତାହା ଅସ୍ପଷ୍ଟ। ବେସରକାରୀ ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅନୁମତି ମିଳିବା ନେଇ କୁହାଯାଉଛି। ତେବେ ଯଦି ଅନୁମତି ମିଳେ, ତା’ହେଲେ ମତଦାନ, ଭୋଟ୍‌ଗଣତି, ଫଳାଫଳ ଘୋଷଣା ଆଦି ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇପାରିବନି। ଏଣୁ ଅନ୍ୟୁନ ଆହୁରି ୩/୪ ମାସ ଯାଏ ପ୍ରକଳ୍ପର ଭାଗ୍ୟ ଫିଟିନପାରେ ବୋଲି ଜଣେ ବିଭାଗୀୟ ଅଧିକାରୀଙ୍କ ସୂଚନାରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ରାଉରକେଲା ରେଳ ଷ୍ଟେସନକୁ ନବନିର୍ମିତ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନର ରୂପ ଦିଆଯିବ। ଏଥିପାଇଁ ପାଖାପାଖି ୫ ଶହ କୋଟି ବ୍ୟୟ ହେବାକୁ ଥିବାବେଳେ ବହୁ ପରିମାଣର ନିର୍ମାଣକାର୍ଯ୍ୟର ଆବଶ୍ୟକତା ରହିଛି। ମୁଖ୍ୟ ପ୍ରବେଶ ପଥର ପାର୍କିଂ ଉଚ୍ଛେଦ ସମେତ ନୂତନ ପ୍ରବେଶ ପଥର ନିର୍ମାଣ, ଚଉଡ଼ା ଆଦି କରାଯିବ। ବର୍ତ୍ତମାନର ଏକାଧିକ ବିଲ୍‌ଡିଂକୁ ଭଙ୍ଗାଯିବ। ଅପରପକ୍ଷରେ ପ୍ରଥମ ପ୍ରବେଶ ଦ୍ବାର ତୁଳନାରେ ଦ୍ବିତୀୟ ପ୍ରବେଶ ଦ୍ବାରରେ ଅଧିକ କାମ ହେବ। ନୂତନଭାବେ ନିର୍ମାଣ ହେବ ଦ୍ବିତୀୟ ପ୍ରବେଶ ପଥ। ସେଠାରେ ପର୍ଯ୍ୟାପ୍ତ ଜମି ଥିବାରୁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ପ୍ରକାଶଥାଉକି, ବର୍ତ୍ତମାନ ରାଉରକେଲା ରେଳ ଷ୍ଟେସନରେ ୭ଟି ପ୍ଲାଟ୍‌ଫର୍ମ ରହିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ୮ ନମ୍ବର ପ୍ଲାଟ୍‌ଫର୍ମ ତିଆରି କରିବାର ଯୋଜନା ରହିଛି।