ଭୁବନେଶ୍ୱର: ସ୍ଥାନୀୟ ସୋଆ ପ୍ରେକ୍ଷାଳୟରେ ୨୦୨୪/୨୫ ରୋଟାରୀ ବର୍ଷର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ଅଧିଷ୍ଠାନ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ଅନ୍ତରାଷ୍ଟ୍ରୀୟ ରୋଟାରୀର ପୂର୍ବତନ ସଭାପତି ଶେଖର ମେହେତା ୩୨୬୨ ଜିଲ୍ଲାରେ ହାତକୁ ନିଆଯାଇଥିବା ବିିଭିନ୍ନ ପ୍ରକଳ୍ପକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ସେବାକ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

Advertisment

ଏହି ସମାରେହରେ ମୁଖ୍ୟଅତିଥି ଭାବେ ଆଇନ୍, ନିର୍ମାଣ ଓ ଅବକାରୀ ବିଭାଗମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ରୋରାରୀଆନମାନଙ୍କ ସମାଜ ସେବା ମନୋଭାବକୁ ଭୂୟସୀ ପ୍ରଶଂସା କରିବା ସହ ବଂଚିତ ବର୍ଗଙ୍କ ଉତ୍ଥାନ ଦିଗରେ ଅଧିକରୁ ଅଧିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଯୋଗଦେଇ ସାକ୍ଷରତା କ୍ଷେତ୍ରରେ ରୋଟାରୀ ପ୍ରୟାସକୁ ପ୍ରଶଂସା କରିବା ସହ ଏ ଦିଗରେ ଆବଶ୍ୟକସ୍ଥଳେ ସମସ୍ତ ସହଯୋଗଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସିନର୍ଜୀର ଅଧ୍ୟକ୍ଷ ବିନୋଦ ଦାଶ, ଅଭିନେତ୍ରୀ ଏଲିନା ଓ ପୁନମମିତ୍ର ସ୍ୱତନ୍ତ୍ର ଅତିଥି ଭାବେଯୋଗଦେଇ ରୋଟାରୀ ସେବା କ୍ଷେତ୍ର ଉପରେ ଆଲୋକପାତ କରିଥିଲେ।

ସମ୍ବର୍ଦ୍ଧନା ଅବସରରେ ପ୍ରାନ୍ତପାଳ ଶ୍ରୀମହାପାତ୍ର କହିଲେ ଯେ, ଚଳିତ ରୋଟାରୀ ବର୍ଷରେ ସାମାଜିକ ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ ଟାଟାଷ୍ଟିଲ ସହଭାଗିତାରେ ଦଶ ହଜାର ବୃକ୍ଷରୋପଣ ଓ ତାହାର ରକ୍ଷଣାବେକ୍ଷଣ, ତିରିଶ ହଜାରରୁ ଊର୍ଦ୍ଧ୍ବ ମୋତିଆବିନ୍ଦୁ ଅସ୍ତ୍ରୋପଚାର, ‘କନ୍ୟା ଅନମୋଲ ହେ’ ପ୍ରକଳ୍ପ ଅନ୍ତର୍ଗତ ଅନ୍ୟୁନ ପାଞ୍ଚ ହଜାର ଛାତ୍ରଛାତ୍ରୀଙ୍କ ସ୍କୁଲ ପ୍ରତ୍ୟାବର୍ତ୍ତନ, ପୌଢଶିକ୍ଷା ଅଭିଯାନ, ଆର୍ଥିକ ଅନଗ୍ରସରବର୍ଗଙ୍କୁ ସ୍ୱାବଲମ୍ବୀକରିବା ପାଇଁ ଦକ୍ଷତା ବିକାଶ ପ୍ରକଳ୍ପ, ଭ୍ରାମ୍ୟମାଣ ପ୍ରଚାର ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ଜନ ଚେତନା ଜାଗରଣ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅଧିକ ତିନିଗୋଟି ଚକ୍ଷୁଚିକିତ୍ସାଳୟ ପ୍ରତିଷ୍ଠାସହ ଆମ୍ବୁଲାନ୍ସ ଯୋଗାଣ ଇତ୍ୟାଦି ପରିଯୋଜନା ଗୁଡ଼ିକର ଲକ୍ଷ୍ୟ ରଖାଯାଇଛି । ଏତାଦୃଶ ଲକ୍ଷ୍ୟ ପୂରଣ ପାଇଁ ପ୍ରାନ୍ତପାଳ ଶ୍ରୀମହାପାତ୍ର ସମସ୍ତ ରୋଟାରୀଆନଙ୍କ ସହଯୋଗ ଲୋଡ଼ିଥିଲେ। ଉତ୍ସବର ଅଧ୍ୟକ୍ଷ ପ୍ରସନ୍ନ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମଗ୍ର ରୋଟାରୀ ଜିଲ୍ଲାର ୧୧୭ଗୋଟି କ୍ଲବର ସଭାପତି ଓ କର୍ମକର୍ତ୍ତାମାନେ ପ୍ରାନ୍ତପାଳ ଶ୍ରୀମହାପାତ୍ର ଓ ପ୍ରଥମ ମହିଳା ଇତୁନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିିଡ଼ିଆସେଲ୍ ଅଧ୍ୟକ୍ଷ ବିଭୂତିଭୂଷଣ କର, ମୁଖ୍ୟ ସଂଯୋଜକ ଗଙ୍ଗାଧର ମିଶ୍ର, ସୁଶାନ୍ତ ମହାପାତ୍ର ଓ ଅନିଲ ସାହା ପ୍ରମୁଖ କାର୍ଯ୍ୟକ୍ରମର  ପରିଚାଳନା କରିଥିଲେ।