ରାଉରକେଲା: ଖୁବ ଶୀଘ୍ର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଜିଲ୍ଲାର ମାନ୍ୟତା ପାଇବ। ଏନେଇ ମୁଖ୍ୟମନ୍ତ୍ରୀ ଅଣଆନୁଷ୍ଠାନକଭାବେ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ରାଉରକେଲାକୁ ଜିଲ୍ଲା ମାନ୍ୟତା ପୁରୁଣା ଦାବିକୁ ଖୋରାକ ଯୋଗାଇଛି। ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଦାବିକୁ ଆକୁଣ୍ଠ ସମର୍ଥନ କରିବାସହ ଆଗାମୀ ଦିନରେ ଏନେଇ ଆମରଣ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି। ଏହାସହ ଗତ ତିନି ଦଶନ୍ଧି ହେଲା ସ୍ବତନ୍ତ୍ର ଜିଲ୍ଲା ଦାବି ନେଇ ବଣାଇ ଉପଖଣ୍ଡବାସୀ ଦାବି କରିଆସୁଥିବାବେଳେ ଏବେ ଆନ୍ଦୋଳନକୁ ନୂଆ ରୂପ ଦେବାକୁ ଅଣ୍ଟା ଭିଡ଼ିଲେଣି।
ରାଉରକେଲାକୁ ଜିଲ୍ଲା ମାନ୍ୟତା ପଛରେ ଯେ ଏକାଧିକ ଯୁକ୍ତି ରହିଛି ତାହା ନିଃସନ୍ଦହେ। ରାଉରକେଲାକୁ ସ୍ବତନ୍ତ୍ର୍ ଜିଲ୍ଲାର ମାନ୍ୟତା ଦାବି ଢ଼େର ପୁରୁଣା। ନବେ ଦଶକର ଶେଷ ଆଡ଼କୁ ଦାବି ଶୀର୍ଷରେ ପହଞ୍ଚିଥିଲା।
ରାଉରକେଲା ଓ ଆଖପାଖ ଅଞ୍ଚଳରେ ଦେଶର ସର୍ବପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାଠାରୁ ଆରମ୍ଭକରି ଅନେକ ଛୋଟବଡ଼ କଳକାରଖାନା ରହିଛି। ଏହାସହ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଯଥା,-ଡିଆଇଜି କାର୍ଯ୍ୟାଳୟ, ସ୍ବତନ୍ତ୍ର ପୁଲିସ ଜିଲ୍ଲା, ଆର୍ସିସିଏଫ୍ଙ୍କ କାର୍ଯ୍ୟାଳୟ, ବନଖଣ୍ଡ କାର୍ଯ୍ୟାଳୟ, ପରିବହନ କାର୍ଯ୍ୟାଳୟ, ମାଇନିଂ ଅଫିସ, ଆର୍ଡବ୍ଲ୍ୟୁଏସ୍ଏସ୍, ଆର୍ଡି କାର୍ଯ୍ୟାଳୟ, ପିଏଚ୍ଇଡି, ଅତିରିକ୍ତ ଜିଲ୍ଲାପାଳ, ଅବକାରୀ ସୁପରିଟେଣ୍ଡେଣ୍ଟ୍, ଜିଏସ୍ଟି, ଇଣ୍ଡଷ୍ଟ୍ରି ସେଣ୍ଟର୍, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଦି ଏକାଧିକ ଜିଲ୍ଲା କାର୍ଯ୍ୟାଳୟ ସମେତ ରାଉରକେଲା ମହାନଗର ନିଗମ, ରାଉରକେଲା ଡେଭେଲପମେଣ୍ଟ୍ ଅଥରିଟି, ସ୍ମାର୍ଟସିଟି ଆଦି ଅନ୍ତର୍ଭୁକ୍ତ। ଏତଦ୍ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ମଧ୍ୟ ଏଠାରେ ରହିଛି। ଏସବୁ ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ କାର୍ଯ୍ୟରତ ଥିବାବେଳେ ଏଠାରେ ଭିତ୍ତିଭୂମିର ସମସ୍ୟା ନାହିଁ। ଏସବୁ ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଜିଲ୍ଲା ଦାବି ଜୋର୍ ହେବାରୁ ୧୯୯୮ ମସିହାରେ ରାଉରକେଲାରେ ଜିଲ୍ଲାପାଳଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତିକ୍ରମେ, ସ୍ଥାନୀୟ ସେକ୍ଟର-୨ କ୍ବାର୍ଟର ନଂ ଏଫ୍/୯୨ରେ ସପ୍ତାହକୁ ତିନି ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲିଥିଲା।
ଦୁଇ ବର୍ଷ ଧରି ଏହି ଅସ୍ଥାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲିବାପରେ ହଠାତ୍ ୨୦୦୦ ମସିହାରେ ବନ୍ଦ ହୋଇଯାଇଥିଲା। ସେତେବେଳେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏହି ଦାବି ଉଠୁଛି, କିନ୍ତୁ ଆଗେଇ ପାରୁନି। ଅନ୍ୟପଟରେ ବଣାଇ ଉପଖଣ୍ଡବାସୀ ମଧ୍ୟ ସ୍ବତନ୍ତ୍ର ଜିଲ୍ଲା ଦାବିରେ ଲାଗି ପଡ଼ିଛନ୍ତି। ଗତ ୩୦ ବର୍ଷ ହେଲା ଅଞ୍ଚଳବାସୀଙ୍କ ଦାବି ଦୃଢ଼ତର ହେବାରେ ଲାଗିଛି।
୧୯୯୨ ମସିହାରେ ନୂତନ ଜିଲ୍ଲା ଗଠନ ସମୟରେ ବଣାଇଁ ଉପଖଣ୍ଡକୁ ଦେବଗଡ଼ ଜିଲ୍ଲାରେ ସାମିଲ କରିବାକୁ ତତ୍କାଳୀନ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ସାଧାରଣରେ ଏହାକୁ କଡ଼ା ବିରୋଧ କରାଯିବାରୁ ଶେଷରେ ସରକାର ନିଷ୍ପତ୍ତିରୁ ଓହରିଥିଲେ। ସେବେଠାରୁ ବଣାଇକୁ ନୂଆ ଜିଲ୍ଲା ମାନ୍ୟତା ଦାବି ହୋଇଆସୁଛି। ନିକଟ ଅତୀତରେ ‘ବଣାଇଁ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି’ ଆହୂତ ୨୪ ଘଣ୍ଟିଆ ବନ୍ଦ ପାଳନକୁ ସେଠାରେ ଅଭୂତପୂର୍ବ ସଫଳତା ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଦାବି ଜଣାଇବାପରେ ନିକଟ ଭବିଷ୍ୟତରେ ନୂଆ ଜିଲ୍ଲା ଗଠନ ନେଇ କୌଣସି ଯୋଜନା ନ ଥିବା ସ୍ପଷ୍ଟ କରାଯିବାରୁ ଆନ୍ଦୋଳନ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲା। ତେବେ ପଦ୍ମପୁର ଜିଲ୍ଲା ଗଠନ ନେଇ ସବୁଜସଙ୍କେତ ମିଳିବାପରେ ଏବେ ପୁଣି ଆନ୍ଦୋଳନ ଦାନା ବାନ୍ଧୁଥିବାର ସୂଚନା ମିଳୁଛି। ଏମିତିକି ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ ହେଲାଣି।