‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ରାଉରକେଲାର ଏହି ୨ ବର୍ଷର କୁନିଝିଅ, ଦେଖନ୍ତୁ ଭିଡିଓ

ରାଉରକେଲା: ସେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଶ୍ବର କିଛି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନଙ୍କର ନାଁ କହି ପାରନ୍ତି। ଭାରତର ରାଜ୍ୟମାନଙ୍କର ରାଜଧାନୀର ନାଁ ତାଙ୍କ ଜିଭଅଗରେ। ସେ ୫୦ଟି ଦେଶର ଜାତୀୟ ପତାକା, ୮ଟି ଗ୍ରହ, ୧୧ ଜଣ ଭାରତୀୟ ଜନନେତା, ୯ ଭାରତୀୟ ମହାନ ନାରୀ, ୨୦ଟି ଫଳ, ୨୨ ପଶୁ, ୧୪ ପକ୍ଷୀ ଓ ୧୦ ଫୁଲକୁ ଚିହ୍ନି ନାଁ କହି ପାରନ୍ତି। ପୂରା ଇଂରାଜୀ ବର୍ଣ୍ଣମାଳା ଡାକି ପାରନ୍ତି। ନିଜ ନାଁ ଇଂରାଜୀରେ ଲେଖି ପାରନ୍ତି। ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଗଣେଶ ବନ୍ଦନା ଗାଇ ପାରନ୍ତି…।

ଆପଣ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି! ଅଛି। ଏସବୁ କରି ପାରୁଥିବା କୁନି ଝିଅ ପ୍ରିୟାଂଶୀ ପଟ୍ଟନାୟକଙ୍କର ବୟସ ହେଉଛି ମାତ୍ର ୨ ବର୍ଷ ୩ ମାସ। ୩ ବର୍ଷ ହୋଇ ନଥିବାରୁ ଏଯାଏ ସେ ନର୍ସରି ସ୍କୁଲକୁ ମଧ୍ୟ ଯାଇ ନାହାନ୍ତି। କିନ୍ତୁ ଯେଉଁ ବୟସରେ ପିଲାମାନେ ସ୍ପଷ୍ଟ କଥା ବି କହି ପାରନ୍ତି ନାହିଁ, ସେ ଉପର ଲିଖିତ ବହୁ କଥା ମନେ ରଖି ପାରୁଛନ୍ତି ଓ କହି ବି ପାରୁଛନ୍ତି। ଏହି କାରଣରୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ତାଙ୍କର ନାଁ ଏବେ ଦାଖଲ ହୋଇଛି।

ଏହି ଆଶ୍ଚର୍ଯ୍ୟ ବାଳିକା ପ୍ରିୟାଂଶୀ ହେଉଛନ୍ତି ରାଉରକେଲାର ଛେଣ୍ଡ କଲୋନି କଳିଙ୍ଗବିହାରରେ ରହୁଥିବା ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ପଦ୍ମିନୀ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା। ଝିଅର ଏ ଆଶ୍ଚର୍ଯ୍ୟଜନକ ଦକ୍ଷତାରେ ବେଶ୍ ଆନନ୍ଦିତ ପ୍ରଫୁଲ୍ଲ କହନ୍ତି, ପ୍ରିୟାଂଶୀ ବେଶ୍ ଶାନ୍ତଶିଷ୍ଟ ଝିଅ। ସେ କ୍ବଚିତ୍ ଅଝଟ ହୁଅନ୍ତି। ବାପା ମାଆଙ୍କର ସବୁ କଥାକୁ ସେ ମାନନ୍ତି। ତାଙ୍କ ପରିବାରରେ ଏକ ଆଧ୍ୟାତ୍ମିକ ପରଂପରା ରହି ଥିବାରୁ ଝିଅ ଉପରେ ତା’ର ପ୍ରଭାବ ପଡ଼ିଥିବ। ମହାପ୍ରଭୁ ଜଗନ୍ନାଥ ଓ ମାଆ ବୈଷ୍ଣଦେବୀଙ୍କ କୃପା ଏବଂ ପ୍ରିୟାଂଶୀଙ୍କ ମାଆ ପଦ୍ମିନୀଙ୍କ ପ୍ରଭାବ ଓ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର