ଦେଶର ଶ୍ରେଷ୍ଠ ୧୦ ଶିଶୁ ବାସପୋଯୋଗୀ ସହର ଭିତରେ ରାଉରକେଲା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଭାଗ ନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖୀଳ ପବନ କଲ୍ୟାଣ ଏବଂ ରାଉରକେଲା ମହାନଗର ନିଗମ କମିସନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ଅଭିନନ୍ଦନ ଜଣାଇଛନ୍ତି। ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ରାଉରକେଲା ସହିତ ବେଙ୍ଗାଲୁରୁ, ହୁବଲି-ଧରୱାଡ୍, ଇନ୍ଦୋର, ଜବଲପୁର, କାକିନାଡ଼ା, କୋଚି, କୋହିମା, ଭଦୋଦରା ଏବଂ ୱାରଙ୍ଗଲ ଆଦି ସହର ସ୍ଥାନ ପାଇଛି। ଏହି ୧୦ଟି ପ୍ରମୁଖ ସହରକୁ ଚିଲ୍‌ଡ଼୍ରେନ୍‌ ଆଣ୍ଡ କେୟାର ଗିଭର ଫ୍ରେଣ୍ଡଲି ଭାବରେ ପରିଣତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସେଥିପାଇଁ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। “ରାଉରକେଲାବାସୀଙ୍କ ପାଇଁ ଆଜି ହେଉଛି ଏକ ଖୁସିର ଦିନ। ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ବର୍ଗରେ ରାଉରକେଲା ଦେଶର ଶ୍ରେଷ୍ଠ ୧୦ଟି ସହର ଭିତରେ ସ୍ଥାନ ପାଇଥିବାରୁ ଏହା ଆମ ପାଇଁ ବଡ଼ କଥା। ରାଉରକେଲା ସହରର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ହାତକୁ ନିଆଯାଉଛି। ରାଜ୍ୟ ସରକାରଙ୍କ ଜାଗା ମିଶନ ଅଧୀନରେ ବିଭିନ୍ନ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ରାଉରକେଲାକୁ ଶିଶୁ ଅନୁକୂଳ କରିବା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହା ମଧ୍ୟ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖୀଳ ପବନ କଲ୍ୟାଣ।

Sambad

“ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ଆଜି ଯେଉଁ ସଫଳତା ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିଛି। ଦେଶର ପ୍ରମୁଖ ୧୦ଟି ସହର ଭିତରେ ରାଉରକେଲା ସ୍ଥାନ ପାଇବା ନିହାତି ଭାବେ ଆମ ପାଇଁ ଗୌରବର କଥା। ସମସ୍ତଙ୍କ ସହଯୋଗ ରହିଲେ ସ୍ମାର୍ଟ ସିଟି ରାଉରକେଲା ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବ”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର। ସାନ ସାନ ପିଲା ମାନଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ସୁସ୍ଥ ଏବଂ ଭଲ ପରିବେଶଟିଏ ନିହାତି ଦରକାର। ତେଣୁ ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ରାଉରକେଲା ସ୍ମାର୍ଟ ସିଟି ଏବଂ ମହାନଗର ନିଗମର ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର, ପାର୍କ, ସାର୍ବଜନୀନ ସ୍ଥାନ, ବିଭିନ୍ନ ବସ୍ତି ଅଞ୍ଚଳରେ ପିଲା ମାନଙ୍କ ପାଇଁ ସୁସ୍ଥ, ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଉଛି।

Sambad

ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ପାଇଲଟ୍ ପ୍ରକଳ୍ପ ଭାବେ ରାଉରକେଲାର ବାସନ୍ତୀ କଲୋନୀ ଏବଂ ଉଦିତ ନଗର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପିଲା ମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ଖେଳପଡ଼ିଆ ଏବଂ ରାସ୍ତା ଗୁଡ଼ିକର ବିକାଶ କରାଯାଉଛି।

ସେହିପରି ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମାଆ ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନ ମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସର ସହିତ ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର ନିକଟ, ଡିଏଭି ଏମଏସି ୟୁପିଏଚସି ଏବଂ ତିଲକାନଗର ୟୁପିଏଚସି ପରିସରରେ ଏହି କକ୍ଷ ରହିଛି। ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର