ନୋଏଡାରୁ ରାଉରକେଲା ଯୁବତୀ ଉଦ୍ଧାର: ପୂରା ନାଁ, ଠିକଣା ଅସ୍ପଷ୍ଟ

ପୁରୁଣା କଥା ମନେ ପକାଇ ପାରୁନାହାନ୍ତି ଯୁବତୀ

ରାଉରକେଲା: ରାଉରକେଲାର ଯୁବତୀ ନୋଏଡାରେ ଉଦ୍ଧାର ହୋଇଛନ୍ତି। ତାଙ୍କର ବୟସ ପ୍ରାୟ ୨୫/୩୦ ବର୍ଷ ହେବ। ତେବେ ଯୁବତୀ ଜଣକ ପୁରୁଣା କଥା ଆଦୌ ମନେ ପକାଇପାରୁନଥିବାରୁ ତାଙ୍କର ପ୍ରକୃତ ଠିକଣା ଜଣାପଡ଼ିନି। ସେ କିଭଳି ନୋଏଡା ପହଞ୍ଚିଲେ, ତାହା ବି ଜଣାପଡ଼ିନି। ଯୁବତୀ ସଂପ୍ରତି ନୋଏଡା ଗୌତମ ନଗରସ୍ଥିତ ‘ଅନ୍ବିତା-ଦେବା ଫାଉଣ୍ଡେସେନ’ରେ ଅଛନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ଯୁବତୀ ଜଣକ ଉତ୍ତରପ୍ରଦେଶ ବରେଲିସ୍ଥିତ ଏକ ମାନସିକ ଭିନ୍ନକ୍ଷମ କେନ୍ଦ୍ରରେ ଥିଲେ। ୨୦୧୮ ଡିସେମ୍ବର ୨୭ ତାରିଖରେ ତାଙ୍କୁ ଅନ୍ବିତା-ଦେବା ଫାଉଣ୍ଡେସନକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ଯୁବତୀ ସେଠାରେ ରହୁଛନ୍ତି। ତାଙ୍କର ମାନସିକ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଛି।

ତେବେ ପୁରୁଣା କଥା ତାଙ୍କର କିଛି ମନେ ନାହିଁ। ଯୁବତୀ ଜଣକ କେବଳ ରାଉରକେଲାର ବୋଲି କହିଛନ୍ତି। ବାପାଙ୍କ ନାଁ ବିରବଲ ଓ ସେ ଏକ କପଡ଼ା ବେପାରୀ। ପ୍ରତ୍ୟେକ ମଙ୍ଗଲବାର ସାପ୍ତହିକ ବଜାରକୁ ବାପା କପଡ଼ା ବିକ୍ରି କରିବାକୁ ଯାଉଥିବା ସେ କହିଛନ୍ତି। କିନ୍ତୁ ବାପାଙ୍କ ପୂରା ନାଁ, ଠିକଣା ବିଷୟରେ କିଛି ସଠିକ୍‌ଭାବେ କହିପାରିନାହାନ୍ତି। ଯୁବତୀ ନିଜ ଇଚ୍ଛା ଅନୁସାରେ ବରେଲି ଯାଇଥିଲେ ନାଁ କୌଣସି ଦଲାଲ ଦ୍ବାରା ଠକାମିର ଶିକାର ହୋଇ ସେଠାରେ ପହଞ୍ଚିଥିଲେ, ତାହା ଏବେବି ଅସ୍ପଷ୍ଟ।

ତେବେ ଜିଲ୍ଲାରେ ମହିଳା ଚାଲାଣ ସୀମା ପାର ହେଲାଣି। ବିଶେଷକରି ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ଟାଙ୍ଗରପଲ୍ଲି ଆଦି ଅଞ୍ଚଳରୁ ମହିଳା ଚାଲାଣ ଇତିହାସ ବେଶ୍‌ ପୁରୁଣା। ଏଣୁ କେହି ଦଲାଲ ତାଙ୍କୁ ବରେଲିକୁ ନେଇଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଅନ୍ବିତା-ଦେବା ଫାଉଣ୍ଡେସନର ଶିଶୁ ସୁରକ୍ଷା ଅଧିକାରୀ ଜୁହି ଶ୍ରୀବାସ୍ତବ କହିଛନ୍ତି, ପ୍ରାୟ ୨ ବର୍ଷ ପୂର୍ବେ ଯୁବତୀ ଜଣକ ବରେଲୀ ମାନସିକ ଭିନ୍ନକ୍ଷମ କେନ୍ଦ୍ରରୁ ଏଠାକୁ ଆସିଥିଲେ। ତେବେ କିଭଳି ଓ କେଉଁ ପରିସ୍ଥିତି ସେଠାରେ ପହଞ୍ଚିଥିଲେ, ସେ ବିଷୟରେ ବିଶେଷ କିଛି ଜଣାପଡ଼ିନି। ଯୁବତୀ ଜଣକ ସ୍ବାସ୍ଥ୍ୟାବସ୍ଥା ଯଦିଓ ଠିକ୍‌ ଅଛି। କିନ୍ତୁ ପୁରୁଣା କଥାକୁ ସେ ମନେ ପକାଇ ପାରୁନାହାନ୍ତିବୋଲି କହିଛନ୍ତି।

ସମ୍ବନ୍ଧିତ ଖବର