ରାଉରକେଲା: ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ଟ୍ରାଫିକ୍ ସମସ୍ୟା ସୁଧାରିବାକୁ ସହରବାସୀଙ୍କୁ ଦ୍ବିତୀୟ ବସ୍ ଟର୍ମିନାଲ ସ୍ବପ୍ନ ଦେଖାଇଥିଲା ଜିଲ୍ଲା ପ୍ରଶାସନ। ଛେଣ୍ଡ ଓ ସେକ୍ଟର-୧୯ ମଧ୍ୟରେ ପ୍ରାୟ ୧୦ରୁ ୧୫ ଏକର ଜାଗାରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିଲା। ବ୍ୟୟ ବରାଦ ଥିଲା ୮ କୋଟିରୁ ଅଧିକ। ପ୍ରସ୍ତାବିତ ଦ୍ବିତୀୟ ବସ୍ ଟର୍ମିନାଲ ବାତିଲ ହେବା ପରେ ନୂଆ ବସ୍ଷ୍ଟାଣ୍ଡର ରୂପରେଖ ବଦଳାଇବାକୁ ଜୋରଦେଇଥିଲା ପ୍ରଶାସନ। ତା’ ତ ହେଲାନି। କେବଳ ଛୋଟମୋଟ ମରାମତି ଓ ରଙ୍ଗ ଦିଆଯାଇ ବସ୍ଷ୍ଟାଣ୍ଡକୁ ଚକାଚକ୍ କରିଦିଆଗଲା। ବାହାରକୁ ଚକାଚକ୍ ଦେଖାଯାଉଥିବା ରାଉରକେଲା ନୂଆ ବସ୍ଷ୍ଟାଣ୍ଡ ଭିତରେ କିନ୍ତୁ ଫମ୍ପା। ପୁନରୁଦ୍ଧାର କାମକୁ ୬ ମାସ ନ ପୁରୁଣୁ ଏବେ ବସ୍ଷ୍ଟାଣ୍ଡ ଛାତର କିଛି ସ୍ଥାନରେ ଗଳିଲାଣି ବର୍ଷା ପାଣି।
ଛାତରୁ ଖଣ୍ଡ ଖଣ୍ଡ ପଡୁଛି ସ୍ଲାବ୍ଖଣ୍ଡ। ରାଜ୍ୟ ଓ ବାହାର ରାଜ୍ୟର ଯାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଛାତକୁ ମରାମତି କରାଯାଉନି। ଆବଶ୍ୟକ ଶୌଚାଳୟ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପରିମଳ ବ୍ୟବସ୍ଥାକୁ ଏତେଟା ଗୁରୁତ୍ବ ଦିଆଯାଉନି। ବର୍ଷ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ମ୍ୟୁଜିକାଲ୍ ଫାଉଣ୍ଟେନ ଓ ଏହାର ପରିସରରେ ମାସ ମାସ ଧରି ଅଳିଆ ପାଣି ଜମି ରହିଛି। ବର୍ଷା ସ୍ଥିତି ସ୍ଥିତି ସଙ୍ଗୀନ ହୋଇଥିବାରୁ ଡେଙ୍ଗୁ ହେବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଫାଣ୍ଡି ଥିବା ସତ୍ବେ ଯାତ୍ରୀଙ୍କ ସୁରକ୍ଷାକୁ ଯେତିକି ଧ୍ୟାନ ଦିଆଯିବା, ତା’ ହେଉ ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଆର୍ଡିଏ ପରିଚାଳନାଧୀନ ବସ୍ଷ୍ଟାଣ୍ଡର ପାର୍କିଂ ଫି’ ବାବଦ ଅର୍ଥରୁ ବିଭାଗ ଟଙ୍କାଟିଏ ପାଉନି। ଫି’ ଆଦାୟ ଦାୟିତ୍ବ ନେଇଥିବା ଟ୍ରାଫିକ ପୁଲିସ୍ ମାସକୁ ୨ ଲକ୍ଷ କରି ଆର୍ଡିଏକୁ ଦେବା କଥା। ୨୦୧୯ ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସ ପାର୍କିଂ ଫି ବାବଦ ଅର୍ଥ ଦେଇନି। ବର୍ତ୍ତମାନ ସୁଦ୍ଧା ପାଖାପାଖି ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଆର୍ଡିଏ ଖାତାକୁ ଆସିନି। ଆର୍ଡିଏ ବକେୟା ପାର୍କିଂ ଫି ପାଇଁ ବାରମ୍ବାର ଜିଲ୍ଲା ପୁଲିସକୁ ଚିଠି ଲେଖିଥିଲେ ହେଁ ଫଳ ଶୂନ। ସେମିତି ବସ୍ଷ୍ଟାଣ୍ଡ ପରିସରସ୍ଥ ଦୋକାନଗୁଡ଼ିକରୁ ଆର୍ଡିଏ ମାସକୁ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କା ରାଜସ୍ବ ପାଉଛି। ସେହି ଅନୁଯାୟୀ ମାର୍କେଟର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦିଆଯାଉ ନାହିଁ।
ବିକାଶକୁ ଗୁରୁତ୍ବ ଦିଆ ନଯାଇ ଯଦି ପ୍ରତିବର୍ଷ ଏଭଳି ତାଳିପକା କାମ କରାଯିବ, ଭବିଷ୍ୟତରେ ନୂଆ ବସଷ୍ଟାଣ୍ଡର ତା’ର ଅସ୍ତିତ୍ବ ହରାଇବ, ଏଥିରେ ଦ୍ବିମତ ନାର୍ହି। ତେବେ ସ୍ମାର୍ଟସିଟି ରାଉରକେଲାର ନୂଆ ବସ୍ଷ୍ଟାଣ୍ଡର ରୂପରେଖ ବଦଳାଇବାର ଆବଶ୍ୟକତା ରହିଛି। ସେପଟେ ଆର୍ଡିଏର ଅଧିକାରୀଙ୍କ କହିବାନୁଯାୟୀ ବକେୟା ପାର୍କିଂ ଫି’ ପାଇଁ ଜିଲ୍ଲା ପୁଲିସ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପୁଲିସ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଗତ ୧୯୯୩ ଡିସେମ୍ବର ୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ନୂଆ ବସଷ୍ଟାଣ୍ଡକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ଏହା ଘରୋଇ ବସ୍ଷ୍ଟାଣ୍ଡ ନାଁରେ ପରିଚିତ ଥିଲା। ପରବର୍ତ୍ତୀ ସମୟରେ ହୋଇଥିଲା ନୂଆ ବସ୍ଷ୍ଟାଣ୍ଡ। ବସ୍ଷ୍ଟାଣ୍ଡରେ ୧୫୦ ବସ୍ ରହିବାର ବ୍ୟବସ୍ଥା ରହିଛି। ହେଲେ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ୩୦୦ରୁ ଅଧିକ ଏକ୍ସପ୍ରେସ୍ ଓ ସାଧାରଣ ବସ୍ ଯିବା ଆସିବା କରୁଛି। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ସହ ଓଡ଼ିଶାର ସୁନ୍ଦରଗଡ ସମେତ ପ୍ରତି ଜିଲ୍ଲାକୁ ଏଠାରୁ ଯାତାୟାତ କରୁଛି।