ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃ ଏନ୍‌ଆଇଟି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ମହିଳା ଫୁଟବଲ ପ୍ରତିଯୋଗିତା ରାଉରକେଲା ଏନଆଇଟି ଚାମ୍ପିଅନ ହୋଇଛି। ଦଳର ନିହାରିକା ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଅନୁଷ୍ଠାନର ପ୍ଲାବିତା ବରୁଆ ପ୍ରତିଯୋଗିତାର ଶ୍ରେଷ୍ଠ ସନ୍ତରଣକାରୀ ପୁରସ୍କାର ପାଇଛନ୍ତି। ପ୍ଲାବିତା ୧୦୦ ମିଟର ସ୍ବିମିଂ, ଶହେ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଓ ୫୦ ମିଟର ବଟର୍‌ପ୍ଲାଏ ବର୍ଗରେ ପ୍ରଥମ ହୋଇଥିଲେ। ସନ୍ତରଣ ପୁରୁଷ ବର୍ଗରେ ଏନ୍‌ଆଇଟି ସିଲଚର୍‌ର ଅଭିଶେକ ବରୁଆ ଚାମ୍ପିଅନ ହୋଇଛନ୍ତି। ଲନ୍‌ ଟେନିସ୍‌ ମହିଳା ବର୍ଗରେ ଭିଏନ୍‌ଆଇଟି (ନାଗପୁର) ଚାମ୍ପିଅନ ହୋଇଥିବାବେଳେ ପୁରୁଷ ବର୍ଗରେ ଏସ୍‌ଭିଏନଆଇଟି (ସୁରଟ) ବିଜେତା ହୋଇଛି।

Advertisment

ମହିଳା କ୍ରିକେଟ୍‌ ବର୍ଗରେ ଏନ୍‌ଆଇଟି ଜଳନ୍ଧର ଚାମ୍ପିଅନ ହୋଇଥିବାବେଳେ ଦଳର ତାରକା ଖେଳାଳି ବନ୍ଦନା ଶାହା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଲ୍ଲେଖଯୋଗ୍ୟ, ତିନି ଦିନଧରି ଚାଲିଥିବା ଏଥି ପ୍ରତିଯୋଗିତାରେ ୧୭ଟି ଏନ୍‌ଆଇଟିର ୨୨୫ ଜଣ ମହିଳା ଓ ୧୨୫ ଜଣ ପୁରୁଷ, ମୋଟ୍‌ ୩୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଡ. ଏସ୍‌. ବାବୁ, କୁଳସଚିବ ପ୍ରଫେସର ରୋହନ ଧୀମାନ, ଡିନ୍‌(ଛାତ୍ର କଲ୍ୟାଣ) ପ୍ରଫେସର ସିଦ୍ଧାର୍ଥ ଏସ. ଜେନା, ସାକ୍‌ର ଭାରପ୍ରାପ୍ତ ସଭାପତି ପ୍ରଫେସର ବି.ବି. ସାହୁ, କ୍ରୀଡ଼ାସଂସଦର ଡ. ମୟଙ୍କ ଯାଦବ, ପ୍ରଫେସର ଆର.କେ. ମହାପାତ୍ର, କ୍ରୀଡ଼ାଧିକାରୀ ଡ. ତୁଷାର ଆର୍‌. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।