ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବିଧାନସଭା ଆସନରୁ ଅନୀଲ ବରୁଆ, ତଳସରାରୁ ବିନୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ ଓ ବଣାଇରୁ ଭୀମସେନ ଚୌଧୁରୀଙ୍କୁ ଟିକଟ୍‌ ମିଳିଛି। ଜିଲ୍ଲାର ଅନ୍ୟ ତିନି ନିର୍ବାଚନମଣ୍ଡଳୀ ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁର ଆସନରୁ କାହାରି ନାମ ଘୋଷଣା କରାଯାଇ ନାହିଁ।

Advertisment

ପ୍ରଥମ ପର୍ଯ୍ୟାୟ ପରି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ତିନି ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାମକୁ ଝୁଲାଇ ରଖି ଦିଆଯାଇଛି। ପ୍ରାର୍ଥୀଙ୍କ ନାମ ଘୋଷଣାକୁ ଉତ୍କଣ୍ଠାର ସହ ଚାହିଁ ରହିଥିବା ତିନି ନିର୍ବାଚନମଣ୍ଡଳୀର ନେତା ଓ କର୍ମୀ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ରଘୁନାଥପାଲି ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଟିକଟ୍‌ ଆଶାୟୀଙ୍କ ତାଲିକା ଲମ୍ବା ଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବିଜେଡ଼ି ପାଇଁ କାଠିକର ପାଠ ହୋଇଛି। ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ବିଧାୟକ ସୁବ୍ରତ ତରାଇ, କଂଗ୍ରେସ ଛାଡି ଟିକଟ୍‌ ପାଇଁ ବିଜେଡିରେ ଯୋଗଦେବାକୁ ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବରରେ ଡେରା ପକାଇଥିବା ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ସେଠୀ ରହିଛି। ଏବେ ତାଲିକାରେ ଯୋଡ଼ି ହୋଇଛନ୍ତି ବିଜେପି ଟିକଟ୍‌ ପାଇଥିବା ରଘୁନାଥପାଲିର ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ବେହେରା।

ସେ  ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥ ସରକାରୀ ଆବାସରେ ଡେରା ପକାଇଛନ୍ତି। ସେ ବିଜେଡିରେ ଯୋଗଦେଇ ରଗୁନାଥପାଲିରୁ ଟିକେଟ୍‌ ହାତେଇବାକୁ ଲବି ଚଳାଇଛନ୍ତି। ଦୌଡ଼ରେ ଆଗରେ ରହିଥିବା ସୁବ୍ରତ ତରାଇ, ପ୍ରଶାନ୍ତ ସେଠୀ ଓ ଜଗବନ୍ଧୁ ବେହେରାଙ୍କ ମଧ୍ୟରୁ ବିଜେଡି କାହାକୁ ଟିକେଟ୍‌ ଦେବ, ଏପ୍ରକାର ଦ୍ବନ୍ଦ୍ବରେ ପଡ଼ିଯାଇଛି। ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ମଧ୍ୟ ସେହି ସମାନସ୍ଥିତି ଉପୁଜିଛି। ଆଜି ପୂର୍ବତନ ବିଧାୟକ ତଥା ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପୁଅ ରୋହିତ ଯୋଶେଫ ତିର୍କି ବିଜେଡିରେ ଯୋଗଦେଇଛନ୍ତି।

ସେ ବୀରମିତ୍ରପୁର ଟିକେଟ୍‌ ଆଶାୟୀ ଦୌଡ଼ରେ ଆଗରେ ରହିଛନ୍ତି। ପୂର୍ବରୁ ଏହି ତାଲିକାରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ମଖଲୁ ଏକ୍କା, ଏମ୍ମା ଏକ୍କା, ନିହାର ସୁରିନ, ରାଜେନ୍ଦ୍ର କୁଜୁର ଏମିତି ୭ରୁ ଅଧିକ ଆଶାୟୀ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନକୁ ସାକ୍ଷାତ କରିସାରିଛନ୍ତି। ଏବେ ଜର୍ଜଙ୍କ ପୁଅ ସାମିଲ ହେବା ପରେ ବିଜେଡି କାହାକୁ ଟିକଟ୍‌ ଦେବ ହାଇକମାଣ୍ଡର ଦ୍ବନ୍ଦ୍ବରେ ପଡ଼ିଛନ୍ତି।‌ ରାଉରକେଲା ଆସନ ପାଇଁ ବିଜେପି ଆଶାୟୀ ପ୍ରାର୍ଥୀ ନାମ ଝୁଲାଇ ରଖିଥିବାରୁ ବିଜେଡି ଘୋଷଣା କରୁନଥିବା କୁହାଯାଉଛି। ରାଉରକେଲା ଆସନ ପାଇଁ ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ନା ବିଜେଡି ନୂଆ ମୁହଁ ଦେଉଛି,ତା’ ଉପରେ ସମସ୍ତଙ୍କ ନଜର ରହିଛି।