ରାଉରକେଲା: ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ଉପଲକ୍ଷେ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ପକ୍ଷରୁ ଆଜି ଏକ ଗଣଦୌଡ଼ ପ୍ରତିଯୋଗିତା 'ରାଉରକେଲା ରନସ' ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ତଥା ବାହାରୁ ଆଥଲେଟଙ୍କ ସମେତ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ।ରବିବାର ଦିନ ସକାଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ଉପସ୍ଥିତ ଥିଲେ।
ପ୍ରତିଯୋଗିତାରେ ପୁରୁଷ ଓ ମହିଳା ଉଭୟ ବର୍ଗରେ ୧୦ କିଲୋମିଟର ଏବଂ ୫ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ର ଆୟୋଜନ କରାଯାଇଥିଲା। "ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଗଣଦୌଡ଼ ପାଇଁ ବର୍ଷା ପାଗ ସତ୍ତ୍ୱେ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡ଼ିଶା ବାହାରୁ ମଧ୍ୟ ତିଯୋଗୀମାନେ ଆସି ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ”, କହିଛନ୍ତି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ।
/sambad/media/post_attachments/wp-content/uploads/2022/08/fdae8d66-2f5b-4530-9779-23259423a8cb.jpg)
ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପୁରୁଷ ୧୦ କିଲୋମିଟର ଦୌଡ଼ରେ ରଶ୍ମି ରଞ୍ଜନ ନାୟକ ପ୍ରଥମ, ଅର୍ଜୁନ ଇନ୍ଦୁ ଦ୍ଵିତୀୟ ଏବଂ ଲୋଖାନ ସୋରେନ ତୃତୀୟ ସ୍ଥାନ ଦଖଲ କରିଥିଲେ। ୧୦ କିଲୋମିଟର ମହିଳା ବର୍ଗରେ ସନ୍ଧ୍ୟା ମୁର୍ମୁ ପ୍ରଥମ, ସୁସ୍ମିତା ତିଗା ଦ୍ଵିତୀୟ ଏବଂ ଚିନା ଗୋପ ତୃତୀୟ ହୋଇଥିଲେ।ସେହିପରି ୫ କିଲୋମିଟର ପୁରୁଷ ଦୌଡ଼ରେ ବିଜେନ୍ଦ୍ର କୁମାର ପ୍ରଥମ, ହରଲାଲ ମାଣ୍ଡବି ଦ୍ୱିତୀୟ ଓ ପଙ୍କଜ ମଣ୍ଡଳ ତୃତୀୟ ଏବଂ ମହିଳା ବର୍ଗରେ ପୂଜା ପ୍ରଥମ, ଲକ୍ଷ୍ମୀପ୍ରିୟା ଦ୍ଵିତୀୟ ଏବଂ ଇତିଶ୍ରୀ ତୃତୀୟ ସ୍ଥାନ ହାସଲ କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା।
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଉରକେଲା ବାସନ୍ତୀ କଲୋନିରେ ରହୁଥିବା ସୁମିତ ସିଂ ୭୫ କିଲୋମିଟର ମାରାଥନ ଦୌଡ଼ ଶେଷ କରିଥିଲେ। ଏଥିପାଇଁ ତାଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ସମ୍ମାନିତ କରାଯାଇଛି।ଆଜିର କାର୍ଯ୍ୟକ୍ରମରେ ଗଣଦୌଡ଼ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଲଂ ଡାନ୍ସ ଗ୍ରୁପ୍ ପକ୍ଷରୁ ଜୁମ୍ବା ପରିବେଷଣ କରାଯାଇଥିଲା। ଏହା ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ‘ଖାଦ୍ୟ ନଷ୍ଟ କରିବା ନାହିଁ’ ବିଷୟଵସ୍ତୁକୁ ନେଇ ଡ୍ରିମ୍ ଟିମ୍ ଫାଉଣ୍ଡେସନର କଳାକାର ଏକ ନାଟକ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝୀ, ଡକ୍ଟର ଗୌରବମୟ ପ୍ରଧାନ ଏବଂ ରନିତ କୁମାର, ସ୍ମାର୍ଟ ସିଟି ମୁଖ୍ୟ ବିତ୍ତୀୟ ଅଧିକାରୀ ୟୁ.ସି. ପାତ୍ର, ସ୍ମାର୍ଟ ସିଟିର ଆର୍କିଟେକ୍ଟ ସାର୍ଥକ ସୌରଭ ରଥ, ରାଉରକେଲା ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଆରଏମସି ଓ ସ୍ମାର୍ଟ ସିଟିର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/fbadb19a-7bee-4733-9844-493c5135d70f.jpg)