ରାଉରକେଲା: ଦୋକାନ ବଜାର ପାଇଁ ନୂଆ ସମୟ ନିର୍ଘଣ୍ଟ

 

ରାଉରକେଲା: କୋଭିଡ -୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୂର୍ବରୁ ରାଉରକେଲା ମହାନଗର ନିଗମ ବିଭିନ୍ନ ଦୋକାନ ବଜାର ତଥା ବ୍ୟବସାୟିକ ପ୍ରତିଷ୍ଠାନ ତଥା ବିଭିନ୍ନ ଜରୁରୀ ସେବା ନିମନ୍ତେ ସମୟ ନିର୍ଘଣ୍ଟ ଜାରି କରିଥିଲା। ଆଜି ଉକ୍ତ ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ରାସନ ସାମଗ୍ରୀ ଓ ଗ୍ରସରୀ, ପରିବା, ଛତୁ, ଫଳ, ଅଣ୍ଡା, ଫ୍ୟାନ୍, ସୁଇଚ୍, ୱାୟାର୍, ବଲ୍ବ, ଟ୍ୟୁବ୍ ଲାଇଟ୍ ଆଦି ବିକ୍ରି କରୁଥିବା ଇଲେକ୍ଟ୍ରିକାଲ ସାମଗ୍ରୀ ଦୋକାନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନ, ଗାଡ଼ି, ସାଇକଲ ମରାମତି ଦୋକାନ, ବ୍ୟାଟେରୀ ଓ ଟାୟାର ମରାମତି ତଥା ବିକ୍ରି ଦୋକାନ, କୃଷି ଯନ୍ତ୍ରପାତି, ସାର, କୀଟନାଶକ, ବିହନ, ପଶୁ ଖାଦ୍ୟ ବିକ୍ରି କରୁଥିବା ଦୋକାନ, ମତ୍ସ୍ୟ ସଂପଦ ନିମନ୍ତେ ଖାଦ୍ୟ, ଜାଲ ଆଦି ଦୋକାନ, ବେକେରୀ ଓ ମିଠା ଦୋକାନ ସକାଳ ୭ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ମାଛ, ମାଂସ ଆଦି ଦୋକାନ କେବଳ ସପ୍ତାହକୁ ଥରେ ମାନେ ପ୍ରତି ରବିବାର ଦିନ ସକାଳ ୭ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।

ମେଡିସିନ ଷ୍ଟୋର ୨୪ ଘଣ୍ଟା ଖୋଲା ରହି ପାରିବ। କ୍ଲିନିକ ଓ ପାଥୋ ଲାବ୍ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ଯାଏଁ ଓ ସଂଧ୍ୟା ୫ଟା ରୁ ରାତି ୮ଟା ଯାଏଁ ଖୋଲା ରହିବ। ସ୍ୱରୋଜଗାରକ୍ଷମ ବ୍ୟକ୍ତି ଯେପରିକି ଇଲେକ୍ଟ୍ରିସିଆନ୍, ଆଇଟି ଟେକ୍ନିସିଆନ୍, ପ୍ଲମ୍ବର୍, ମୋଟର ମେକାନିକ ଆଦି ବ୍ୟକ୍ତି ମାନେ ସକାଳ ୭ଟା ରୁ ମଧ୍ୟାହ୍ନ ୧୨ଟା ଏବଂ ସଂଧ୍ୟା ୫ଟା ରୁ ରାତି ୮ଟା ପର୍ଯ୍ୟନ୍ତ ବାହାରକୁ ଯାଇ କାର୍ଯ୍ୟ କରିପାରିବେ। ହୋଟେଲ୍ ଓ ରେଷ୍ଟୁରାଣ୍ଟ ସକାଳ ୮ଟା ରୁ ଅପରାହ୍ନ ୨ଟା ଏବଂ ସଂଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ବିକ୍ରି କରିପାରିବେ। କିନ୍ତୁ ହୋଟେଲ ଓ ରେଷ୍ଟୁରାଣ୍ଟରେ କେହି ବସିକି ଖାଇ ପାରିବେ ନାହିଁ।

କେବଳ ଖାଦ୍ୟ ପ୍ୟାକିଂ କରି ନେଇ ପାରିବେ। ମିଲ୍କ ପାର୍ଲର୍ ଓ ଓମଫେଡ୍ ପାର୍ଲର୍ ସକାଳ ୬ଟା ରୁ ଦିନ ୧୧ଟା ଏବଂ ସଂଧ୍ୟା ୫ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏତଦବ୍ୟତୀତ ଏସମ୍ପର୍କିତ ସମସ୍ତ ପୂର୍ବ ନିର୍ଦ୍ଦେଶ ଓ ନିୟମାବଳୀ ବଜାୟ ରହିବ ବୋଲି ଜଣା ପଡ଼ିଛି। ଏହି ନିର୍ଦ୍ଦେଶ ଆସନ୍ତା ୩ ତାରିଖ ମଧ୍ୟରାତ୍ରୀ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ବଜାୟ ରହିବ। ତେବେ ଏହି ନିୟମ ସବୁ କଣ୍ଟେନମେଣ୍ଟ ଓ ବଫର୍ ଜୋନରେ କାର୍ଯ୍ୟ କରିବ ନାହିଁ। କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ନିମନ୍ତେ ଜାରି ହୋଇଥିବା ପୂର୍ବ ନିର୍ଦ୍ଦେଶାବଳୀ ଯଥାବିଧି ବଜାୟ ରହିବ ବୋଲି ଜଣାପଡ଼ିଛି

ସମ୍ବନ୍ଧିତ ଖବର