ରାଉରକେଲା: ଇସ୍ପାର ସହରର ଜଣାଶୁଣା ଗାୟିକା ତଥା ଆର୍ଏସ୍ପିର ନିଜସ୍ୱ ମ୍ୟୁଜିକାଲ ବ୍ୟାଣ୍ଡ୍ ‘ନିନାଦ’ର ଅଗ୍ରଣୀ କଣ୍ଠଶିଳ୍ପୀ ବାସବଦତ୍ତା ମହାନ୍ତି ଓଡ଼ିଆ ସିନେମାରେ ପାର୍ଶ୍ଵ ଗାୟିକା ରୂପେ ପଦାର୍ପଣ କରିଛନ୍ତି। ପ୍ରଖ୍ୟାତ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରୀତି ବନ୍ଧନ’ରେ ସେ କଣ୍ଠଦାନ କରିଛନ୍ତି। ବାସବଦତ୍ତା ହେଉଛନ୍ତି ଆର୍ଏସ୍ପି ଲୋକସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ ପତ୍ନୀ।
ବାସବଦତ୍ତାଙ୍କ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ ନିଜ ମା’ ସୁପରିଚିତା କବୟିତ୍ରୀ, ସାହିତ୍ୟିକା ଓ କଣ୍ଠଶିଳ୍ପୀ ଶାନ୍ତି ମହାନ୍ତିଙ୍କଠାରୁ। ପରେ ରାଜ୍ୟର ସୁନାମଧନ୍ୟ ସଙ୍ଗୀତଗୁରୁ ପଣ୍ଡିତ ଦେବେନ୍ଦ୍ର ଶତପଥିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପିଲାଟି ଦିନରୁ ନୂଆ ରଚନା ଓ ନୂଆ ସ୍ଵରର ଗୀତ ବୋଳିବାକୁ ସେ ବେଶ୍ ପସନ୍ଦ କରୁଥିଲେ। ବିଦ୍ୟାଳୟରେ ପଢୁଥିବା ସମୟରେ ବାସବଦତ୍ତା ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଏକାଧିକ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଲାଭ କରିଥିଲେ। ଭୁବନେଶ୍ଵର ଦୂରଦର୍ଶନ ପ୍ରାୟୋଜିତ ‘ଆମରି ଗୀତ ଆମରି ସ୍ଵର’ ଓ ‘ସାରେଗାମା’, ମହାବିଦ୍ୟାଳୟସ୍ତରୀୟ ‘ଗ୍ଲୋରିଫେଷ୍ଟ୍’ ଆଦିରେ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ।
ମା’ଙ୍କ ଦ୍ବାରା ରଚିତ ଓ ସ୍ଵର ସଂଯୋଜନାରେ କେତେକ କ୍ୟାସେଟରେ କଣ୍ଠଦାନ କରି ସେ ଉଚ୍ଚ ପ୍ରସଂଶିତ ହୋଇଥିଲେ ହୋଇଛନ୍ତି। ସେଥିମଧ୍ୟରୁ ‘ଆମେ ଏ ଧରାର ଗୀତ’, ‘ଆବାହନୀ’, ‘ତୁମରି ଇସାରା’, ‘ମଧୁମୟୀ’ ଆଦି ଅନ୍ୟତମ। ଅନ୍ୟମାନଙ୍କ ଦ୍ଵାରା ପ୍ରାୟୋଜିତ କ୍ୟାସେଟରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ଛାତ୍ରଜୀବନରେ ଆକାଶବାଣୀ କଟକ ଓ ଭୁବନେଶ୍ଵର ଦୂରଦର୍ଶନରେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏତଦ୍ବ୍ୟତୀତ ସୁପ୍ରସିଦ୍ଧ ସଙ୍ଗୀତଜ୍ଞ ବାସୁଦେବ ରଥ, ପ୍ରଫୁଲ୍ଲ କରଙ୍କ ସହିତ ବହୁବାର ରାଜ୍ୟସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସହରରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର କଣ୍ଠର ମଧୁର ସ୍ପର୍ଶ ଦେଖିବାକୁ ମିଳେ। ଭଞ୍ଜ କଳା କେନ୍ଦ୍ରରୁ ସେ ଓଡିଶୀ ସଙ୍ଗୀତ ଶିକ୍ଷା ମଧ୍ୟ ଲାଭ କରିଛନ୍ତି। ଏହାସହ ଗୁରୁ ବୁଦ୍ଧ ପ୍ରସାଦ ରାଓଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/2-29.jpg)