ରାଉରକେଲା ସମେତ ୬ ବ୍ଲକରେ ପଡ଼ିବ ବାତ୍ୟାର ପ୍ରଭାବ, ପ୍ରବଳ ବର୍ଷା ସହ ବେଗରେ ପବନ ବୋହିବ

ରାଉରକେଲା: ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ‘ୟାସ୍’ର ପ୍ରକୋପ ଆରମ୍ଭ ହୋଇଗଲାଣି। ଆଂଶିକ ବର୍ଷା ସହ ପବନ ବି ଆରମ୍ଭ ହେଲାଣି। କ୍ରମଶଃ ଏହା ବେଗ ଧରିବ। ତେବେ ବାତ୍ୟାର ପ୍ରଭାବ କେବଳ ଉପକୂଳ ଓଡ଼ିଶାରେ ସୀମିତ ରହିବନାହିଁ; ବରଂ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ରାଉରକେଲା ସହର ସମେତ ଜିଲ୍ଲାର ୬ଟି ବ୍ଲକରେ ରେ ପ୍ରଭାବ ପଡ଼ିବବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସଂପୃକ୍ତ ବ୍ଲକଗୁଡ଼ିକ ହେଲା ବିଶ୍ରା, ଗୁରୁଣ୍ଡିଆ, ଲାଠିକଟା, କୋଇଡ଼ା, କୁଆରମୁଣ୍ଡା ଓ ନୂଆଗାଁ।

ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଦେଇଛି। ୟାସ ର ପ୍ରଭାବ ଆସନ୍ତାକାଲି(ବୁଧବାର) ଅପରାହ୍ନରୁ ଆରମ୍ଭ ହେବ। ରାଉରକେଲା ସମେତ ଏହି ୬ଟି ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ସମେତ ପବନ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଛି। ତେବେ ଏଠାରେ ନିର୍ଦିଷ୍ଟ କେତେ ମାତ୍ରାରେ ବର୍ଷା ହେବ, କେତେ ବେଗରେ ପବନ ବୋହିବ ତା’ର ଆକଳନ ଜାରି ରହିଛି। ଅପରପକ୍ଷରେ ପାଣିପାଗ ବିଭାଗର ସୂଚନାକୁ ଭିତ୍ତିକରି ଜିଲ୍ଲା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଦେଇଛି। ଅଗ୍ନିଶମ ବିଭାଗ, ବିଦ୍ୟୁତ, ଜନସ୍ବାସ୍ଥ୍ୟ, ରାଜସ୍ବ ବିଭାଗ ଆଦି ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ପବନ ଯୋଗୁଁ ରାସ୍ତା ଘାଟରେ ଗଛ ଭାଙ୍ଗି ପଡ଼ିବାର ମଧ୍ୟ ଆଶଙ୍କା ରହିଛି। ତେବେ ତୁରନ୍ତ ରାସ୍ତା ଘାଟ ସଫା କରିବାକୁ ବିଭାଗୀୟ କର୍ମଚାରୀ ପ୍ରସ୍ତୁତ।

ସେହିଭଳି ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ, ଜଳ ଯୋଗାଣ ଆଦି ଅବ୍ୟାହତ ରଖିବାକୁ ମଧ୍ୟ ବିଭାଗୀୟ କର୍ତୃପକ୍ଷ ସଜାଗ ଅଛନ୍ତି। ଦୈବାତ୍ ଘର ଭୁଶୁଡ଼ିବା କିମ୍ବା ଘରେ ପାଣି ପଶିଲେ, ତୁରନ୍ତ ସେମାନଙ୍କୁ ଥଇଥାନ କରାଯିବ। ଏହାସହ ଖୁବଶୀଘ୍ର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ରାଜସ୍ବ ବିଭାଗକୁ ନିୟୋଜିତ କରାଯାଇଛି। ଏନେଇ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର କହିଛନ୍ତି, ବାତ୍ୟାର ସଫଳ ମୁକାବିଲା ପ୍ରଶାସନ ସଂପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ। ବାତ୍ୟା ସମୟରେ ତ୍ବରିତ ସେବା ପହଞ୍ଚାଇବାକୁ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାପକ କ୍ଷୟକ୍ଷତିକୁ ଏଡ଼ାଇବାକୁ ପ୍ରଶାସନ ପ୍ରାଥମିକତା ଦେଉଛି। ବିଶେଷକରି ଏହି ସମୟରେ ଯେଭଳି ଜନସାଧାରଣ ବିଶେଷ ଅସୁବିଧା ସମ୍ମୁଖୀନ ନ ହେବେ, ସେଥିପ୍ରତି ଯତ୍ନବାନ ଅଛୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର