ନଦୀରେ ପିପିଇ କିଟ ପକାଇବାକୁ ନେଇ ବାରିପଦାରେ ଉତ୍ତେଜନା 

ବାରିପଦା :  ବାରିପଦା ସହରର ୧୪ ନମ୍ବର ୱାର୍ଡ ରେ ଥିବା କବରଖାନାକୁ ଲାଗି ବହିଯାଇଥିବା ସରାଳି ନଦୀ ଘାଟରେ ବ୍ୟବହୃତ ପିପିଇ କିଟ ଦୀର୍ଘ ସମୟ ଧରି ପଡିରହିଥିବାର ଦେଖା ଯାଇଥିଲା । ତେବେ ଏହି ନଦୀରେ ଲୋକେ ଗାଧୋଇବା ଓ ବାସନକୁସନ ଧୋଇବା ଅଦି କାର୍ଯ୍ୟ ସମ୍ପାଦନ କରୁଥିବାରୁ ବ୍ୟବହୃତ ପିପିିଇ କିଟ ପକାଇବାକୁ ନେଇ ବିରୋଧ କରୁଛନ୍ତି । ଏହା ସହିତ ଲୋକମାନେ କରୋନା ସଂକ୍ରମଣ ଭୟରେ ଆତଙ୍କିତ ହୋଇଯ଼ାଇଥିବା ଜଣାଯାଇଛି ।
 ଏହି ବ୍ୟବହୃତ ପିପିଇ କିଟ ଗୁଡିକ କୋଭିଡ ଶବ ସହ ସଂସ୍କାର ପାଇଁ କବରଖାନାକୁ ଆସିଥିବା ଶବ ବାହକ ଗାଡିର ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ତଥା ବ୍ୟକ୍ତିଙ୍କର ବୋଲି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଇଛି ।  ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଓ ଭିଡିଓ ଭାଇରାଲ ହେବା ପରେ ହସପିଟାଲ କର୍ମଚାରୀ ଆସି ପିପିଇ କିଟ ଗୁଡିକୁ ସେଠାରୁ ନେଇ ଯାଇଥିବାର ଜଣା ଯାଇଛି ।
କିଛିଦିନ ପୂର୍ବରୁ ମଧ୍ୟ ସାରସକଣା ବ୍ଲକର ଜାଲଦା ପଂଚାୟତ ବାଁସଦାଃ ଗ୍ରାମ ଛକର କେନାଲ ରାସ୍ତା କଡରେ ଥିବା ଏକ ଖେଳ ପଡିଆରେ ଏହି ଭଳି ବ୍ୟବହୃତ ପିପିଇ କିଟ ପଡିଥିବାର ଲୋକେ ଦେଖି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବାରିପଦାରେ କରୋନା ଗ୍ରାଫ ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ, କୋଭିଡ ରୋଗୀମାନଙ୍କୁ ଚିକିତ୍ସା, ଟେଷ୍ଟିଂ, ଶବସଂସ୍କାର ଏବଂ କରେନାରୁ ସୁରକ୍ଷା ନିମନ୍ତେ ମେଡିକାଲ ଷ୍ଟାଫଙ୍କୁ ପିପିଇ କିଟ ବ୍ୟବହାର କରିବାକୁ ଦିଆଯାଇଥାଏ । ତେବେ ବ୍ୟବହୃତ ପିପିଇ କିଟ ଗୁଡିକ ନଦୀ ତୁଠ ରାସ୍ତା କଡରେ ପଡୁଥିବାରୁ ଅଧିକ ସଂକ୍ରମଣ ହେବାର ଆଶଙ୍କା କରି ଆତଙ୍କିତ ହୋଇ ରହିଛନ୍ତି ସହରବାସୀ ।  ଏଥିପ୍ରତି ପ୍ରଶାସନ ନଜର ଦେବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର