ଦଶମ ପରୀକ୍ଷାଫଳ ବିଭ୍ରାଟ, କୋରାପୁଟରେ ତେଜୁଛି ଅସନ୍ତୋଷ 

କୋରାପୁଟ: ନିକଟରେ ପ୍ରକାଶିତ ଦଶମ ପରୀକ୍ଷା‌ ଫଳକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। କୋରାପୁଟ ଜିଲ୍ଲାରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳରେ ତ୍ରୁଟି ଆସିଥିବାବେଳେ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆଜି କୋରାପୁଟସ୍ଥିତ ଶିଶୁବିଦ୍ୟା ମନ୍ଦିରରେ ଦଶମ ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ତାତିଥ‌ିଲେ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ମାର୍କ ସ୍କୁଲ ଶିକ୍ଷକଙ୍କ ପକ୍ଷରୁ କମେଇ ଦିଆଯାଇଥିବା ଅଭିଯୋଗ କରି ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଅଭିଭାବକମାନେ କହିଥିଲେ ଯେ ଜାଣିଶୁଣି ସ୍କୁଲର ଶିକ୍ଷକ ମାନେ କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଖେଳିଛନ୍ତି। ପିଲାଙ୍କୁ ଜାଣିଶୁଣି କମ ମାର୍କ ଦେଇଛନ୍ତି। ଯେଉଁଛାତ୍ରଛାତ୍ରୀମାନଙ୍କ ସେମାନଙ୍କର ଭଲ ସମ୍ପର୍କ ରହିଛି ସେମାନଙ୍କୁ ଭଲ ମାର୍କ ଦିଆଯାଇଛି। ଏହାସହ କିଛି ଶିଶୁ ଆଣିଥିଲେ ସାଙ୍ଘାତିକ ଅଭି‌ଯୋଗ। କିଛି ଶିଶୁ ମଧ୍ୟ ସାଂଘାତିକ ଅଭିଯୋଗ କରି କହିଥିଲେ ଯେ ଆମ ଏହି ଶିଶୁ ମନ୍ଦିରରେ ପଇସା ଯାହାର ମାର୍କ ତାହାର ବୋଲି ଜଣାପଡୁଛି। କିଛି ଗୁରୁଜୀ ଟିଉସନ କରୁଥିବା ଶିଶୁ ମାନଙ୍କୁ ଅଧିକ ମାର୍କ ଦେଇଛନ୍ତି। ଯେଉଁମାନେ ଟ୍ୟୁସନ ହେଉଥିଲେ ସେମାନେ ମାର୍କ ରଖିଛନ୍ତି, ଯେଉଁମାନେ ଟ୍ୟୁସନ ହେଉ ନ ଥିଲେ ସେମାନଙ୍କୁ ଜାଣିଶୁଣି ହଇରାଣ କରାଯାଇଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଥିଲେ।

ଏଭଳି ଅଭିଯୋଗକୁ ପ୍ରଧାନଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରା ଦୃଢ ଭାବରେ ଖଣ୍ଡନ କରିଛନ୍ତି । ପିଲାଙ୍କ ସ୍କୁଲ ପରୀକ୍ଷା ସମୟର ମାର୍କ ଆମେ ବୋର୍ଡ଼କୁ ଦେଇଥିଲୁ, ବୋର୍ଡ଼ କିନ୍ତୁ ସେହି ଅନୁଯାଇ ପିଲାଙ୍କୁ ମାର୍କ ଦେଇନାହିଁ। ଯାହା ଫଳରେ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଛି। ବୋର୍ଡ ପୁନର୍ବାର ପିଲାଙ୍କ ମାର୍କ ଦେଖି ମୂଲ୍ୟାୟନ କଲେ ବହୁତ ମେଧାବୀ ପିଲା ଉପକୃତ ହେବେ। ବର୍ତ୍ତମାନ ମେଧାବୀ ପିଲାଙ୍କ ମନରେ ନୈରାଶ୍ୟ ଭାବ ଦେଖା ଯାଇଛି ଯାହାକୁ ବୋର୍ଡ଼ ଧ୍ୟାନର ସହ ବିଚାର କରି ପିଲାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।

ଶୁକ୍ରବାର ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ କୋରନା ମହାମାରୀ ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ପଢୁଥିବା ପ୍ରାୟ ୯୮ ପ୍ରତିଶତ ପିଲା ଏଥିରେ ପାସ୍ କରିଛନ୍ତି। ତେବେ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସୁଥିବା ବେଳେ ଯେଉଁ ମାନେ ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ସେମାନେ ପୁଣି ସମସ୍ତ ପେପର୍ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ପ୍ରବଳ ମାନସିକ ଚାପରେ ରହିଥିବା ବେଳେ ଭବିଷ୍ୟତକୁ ନେଇ ଚାପଗ୍ରସ୍ତ ହେବା ସହ ବିଭିନ୍ନ ମାନିସିକ ଦୁସଚିନ୍ତା ଦେଇ ଗତି କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର