ମଣ୍ଡିରେ ଧାନ ମାନ ନିର୍ଦ୍ଧାରଣରେ ଜାଲିଆତି ନେଇ ଭାରତୀୟ କିଷାନ ସଂଘର ବିକ୍ଷୋଭ

ଖୋର୍ଦ୍ଧା : ପ୍ରଶାସନ ଧାନ ମଣ୍ଡି ବିଳମ୍ବରେ ଆରମ୍ଭ କରି ଅଭାବି ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ଓ ମଣ୍ଡିରେ ଧାନ ମାନ ନିର୍ଦ୍ଧାରଣ କରିବାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଭାରତୀୟ କିଷାନ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି ।

ଆଜି ସଂଘର କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଧାନମଣ୍ଡିରେ ଜାଲିଆତି ବିରୋଧରେ ପ୍ରଦର୍ଶନ କରିବା ସହ ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଂଘର ସଭାପତି ବୈକୁଣ୍ଠ ନାଥ ମହାପାତ୍ର କହିଛନ୍ତି ଯେ ଜାଲିଆତି ରୋକିବା ପାଇଁ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ସ୍ଥାପନ କରାଯିବା ଆବଶ୍ୟକ । ସେହିଭଳି ପିଏସି ଓ ଆରଏମସିଏସ ଦଲାଲ ଓ ମିଲର୍ସରଙ୍କ ଉପସ୍ଥିତିକୁ ବନ୍ଦ କରାଯାଉ, ଚାଷୀଙ୍କ ଧାନ ବିକ୍ରି କରିବା ଉପରେ ପ୍ରତିବନ୍ଧକ ହଟାଯାଉ, ଧାନ ଓହ୍ଲାଇବା ଓ ଉଠାଇବା ବାବଦକୁ ଚାଷୀଙ୍କ ଠାରୁ ଅର୍ଥ ଆଦାୟ ବନ୍ଦ କରିବା, ମଣ୍ଡିରେ ଉଚ୍ଚମାନର ଯନ୍ତ୍ର ସ୍ଥାପନ ସହ ପଦସ୍ଥ ସରକାରୀ ଅଧିକାରୀଙ୍କ ଦ୍ୱାରା ନିୟମିତ ଯାଂଚ କରାଯାଉ, ମଣ୍ଡିରେ ଚାଷୀଙ୍କ ରହିବା, ରାତ୍ରୀଯାପନ ପାଇଁ ବ୍ୟବସ୍ଥା କରାଯାଉ ଆଦି ଦାବି ରହିଛି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଗଗନ ପ୍ରତିହାରୀ, ସମରେନ୍ଦ୍ର ଶତପଥି, ପବିତ୍ର ମୋହନ ରାଜଗୁରୁ, ରବୀନ୍ଦ୍ର ନାଥ ସାମନ୍ତରାୟ, ବିଭୂଦେନ୍ଦ୍ର ବିଦ୍ୟାଧର, ରଶ୍ମୀ ରଂଜନ ମହାପାତ୍ର ଆଦି ସଦସ୍ୟ ଓ ଚାଷୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର