ବାଇଜାପଡ଼ାରେ ଗଛକଟାକୁ ନେଇ ଅସନ୍ତୋଷ

ପଣ୍ତାପଡା : କେନ୍ଦୁଝର ଜିଲ୍ଲା ପଣ୍ତାପଡା ଥାନା ବକ୍ସିବାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାଇଜାପଡା ଗ୍ରାମରେ ଶୁକ୍ରବାର ଅପରାହ୍ଣ ୫ଟା ବେଳେ କାଠକଟାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପରେ ଘଟଣାର ତଦନ୍ତ ପାଇଁ ଠାକୁରାଣୀ ୟୁଥ କ୍ଲବର ସଦସ୍ୟମାନେ ଡିଏଫଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ସଦର ରେଞ୍ଜ ନରଣପୁର ଫରେଷ୍ଟ ବିଟ୍ ଅଧୀନ ବାଇଜାପଡା ଗ୍ରାମକୁ ଲାଗିରହିଥିବା କାଜୁ ଜଙ୍ଗଲରେ ଅପରାହ୍ଣ ୫ଟା ବେଳେ କେତେକ କାଠମାଫିଆ ଲକ୍ଷାଧିକ ଟଙ୍କା ମୂଲ୍ୟର ଦୁଇଟି ଶାଳଗଛ କାଟିଥିଲେ। ନିକଟରେ ଥିବା ଲୋକେ ଏହାର ବିରୋଧ କରିଥିଲେ। ହେଲେ ମାଫିଆମାନେ ଶାଳଗଛ କିଣିଥିବା ସଫେଇ ଦେଇଥିଲେ। ସନ୍ଧ୍ୟାରେ ଗ୍ରାମର ଠାକୁରାଣୀ ୟୁଥ କ୍ଲବର ସଦସ୍ୟମାନେ ଘଟଣା ସମ୍ପର୍କରେ ଜାଣି ବନବିଭାଗୀୟ କମଚାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ବିଭାଗପକ୍ଷରୁ ଏକ ଟିମ୍ ସନ୍ଧ୍ୟା ୭ଟା ସମୟରେ ବାଇଜାପଡା ଗ୍ରାମରେ ପହଞ୍ଚି ଥିଲେ ହେଁ କଟାଯାଇଥିବା ଗଛ ପାଇ ନଥିଲେ। ଆଜି ଘଟଣାସ୍ଥଳରେ ପହଞ୍ଚି କଟା ହୋଇଥିବା ଶାଳଗଣ୍ତିକୁ ଜବତ କରାଯାଇଛି। ହେଲେ ଜବତ ପୂର୍ବରୁ ମାଫିଆମାନେ ଚତୁରତାର ସହ କିଛି ମୂଲ୍ୟବାନ କାଠଗଣ୍ଡି ଉଠାଇ ନେଇଛନ୍ତି। ଯେଉଁଥିପାଇଁ ବନବିଭାଗର କାର୍ଯ୍ୟଧାରାପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଘଟଣାର ପ୍ରକୃତ ତଦନ୍ତ ପାଇଁ ଠାକୁରାଣୀ ୟୁଥ କ୍ଲବ ସଭାପତି ହରିହର ପାତ୍ର, ସମ୍ପାଦକ ଶୁକଦେବ ମୁଣ୍ତା, ଚନ୍ଦ୍ରମଣି ପାତ୍ର, ଶ୍ରୀଧର ଦେହୁରୀ, ଉମାକାନ୍ତ ପାତ୍ର, ଗଙ୍ଗା ଦେହୁରୀ, ଜଗବନ୍ଧୁ ପାତ୍ର, ବାଇଧର ଦେହୁରୀ, ବିଦ୍ୟାଧର ଦେହୁରୀ, ବିକ୍ରମ ଦେହୁରୀ ପ୍ରମୁଖ ଡିଏଫଓଙ୍କ କାର୍ଯ୍ୟାଳୟରେ ଦାବି କରିଛନ୍ତି। ଘଟଣାସମ୍ପର୍କରେ ବନପାଳ ପ୍ରଦୀପକୁମାର ବାରିକଙ୍କୁ ଫୋନଯୋଗେ ପଚାରିବାରୁ ଗଛକଟା ଖବର ପାଇ ସେ ସ୍ଥାନରେ ପହଞ୍ଚିଥିଲୁ। କିନ୍ତୁ ଗାଁ ଲୋକଙ୍କ ସହଯୋଗ ନମିଳିବାରୁ କଟା ଯାଇଥିବା ସ୍ଥାନ ପାଇପାରି ନଥିଲୁ। ଆଜି ସେ ସ୍ଥାନରୁ ଶାଳଗଣ୍ତି ଜବତ କରିଥିବା ସୂଚାଇଛନ୍ତି।

ସମ୍ବନ୍ଧିତ ଖବର