ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ବିଭିନ୍ନ କାମରୁ ଯେତିକି ଲେବର ସେସ୍ ଓ ରୟାଲିଟି ସଂଗ୍ରହ ହେଉଛି, ତା’ର କିଛି ଅଂଶ ଜମା କରାଯାଉ ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୧୦ ବର୍ଷ ମଧ୍ୟରେ ୬ଟି ଆର୍ଥିକ ବର୍ଷରେ ଏଭଳି ଅନିୟମିତତା ହୋଇଥିବା ଦେଖିବାକୁ ମିଳୁଛି। ପ୍ରତି ବର୍ଷ ଅଡ଼ିଟ୍ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆର୍ଏମ୍ସିରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୨-୧୩ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ କାମରେ ଠିକାସଂସ୍ଥାମାନଙ୍କଠୁ ରୟାଲିଟି ଓ ସେସ୍ ବାବଦରେ ୧ କୋଟି ୬ ଲକ୍ଷ ୨୩ ହଜାର ୮୨୬ ଟଙ୍କା ସଂଗ୍ରହ ହୋଇଥିଲା। ଟ୍ରେଜେରି, ଆର୍ଏମ୍ସିର ବିଭିନ୍ନ ଆକାଉଣ୍ଟରେ ୯୯ ଲକ୍ଷ ୯୨ ହଜାର ୩ ଟଙ୍କା ଜମା ହୋଇଥିଲା। ୬ ଲକ୍ଷ ୩୧ ହଜାର ୮୨୩ ଟଙ୍କା କିନ୍ତୁ ଜମା ହୋଇ ନଥିଲା।
୨୦୧୩-୧୪ ଆର୍ଥିକ ବର୍ଷରେ ୧ କୋଟି ୭୧ ଲକ୍ଷ ୯୬ ହଜାର ୫୫୧ ଟଙ୍କା ସେସ୍ ଓ ରୟାଲିଟି ବିଭିନ୍ନ ଠିକାସଂସ୍ଥାଠୁ ସଂଗ୍ରହ ହୋଇଥିଲା। ଏଥିରୁ ୧ କୋଟି ୫୩ ଲକ୍ଷ ୨୩ ହଜାର ୮୧୦ ଟଙ୍କା ଜମା ହୋଇଥିଲା। ଅବଶିଷ୍ଟ୧୮ ଲକ୍ଷ ୭୨ ହଜାର ୭୪୧ ଟଙ୍କା ଜମା ହୋଇ ନଥିଲା।୨୦୧୫-୧୬ ଆର୍ଥିକ ବର୍ଷରେ ସର୍ବାଧିକ ୨ କୋଟି ୮୩ ଲକ୍ଷ ୩୫ ହଜାର ୮୫୦ ଟଙ୍କା ରୟାଲିଟି ଓ ସେସ୍ ବାବଦରେ ସଂଗ୍ରହ ହୋଇଥିଲା। ୨ କୋଟି ୭୫ ଲକ୍ଷ ୪୮ ହଜାର ୭୯୬ ଟଙ୍କା ଜମା ହୋଇଥିଲା।
ଅବଶିଷ୍ଟ ୭ ଲକ୍ଷ ୮୭ ହଜାର ୫୪ ହଜାର ଟଙ୍କା ଜମା ହୋଇ ନାହିଁ। ସେମିତି ୨୦୧୬-୧୭ ଆର୍ଥିକ ବର୍ଷରେ ୧ କୋଟି ୧୪ ଲକ୍ଷ ୮୮ହଜାର ୯୬୨ ଟଙ୍କା ରୟାଲିଟି ଓ ସେସ୍ ସଂଗ୍ରହ ହୋଇଥିଲା। ଏଥିରୁ ୧ କୋଟି ୩ ଲକ୍ଷ ୨୯ ହଜାର ୧୯୪ ଟଙ୍କା ଟ୍ରେଜେରି ଓ ବିଭିନ୍ନ ଆକାଉଣ୍ଟରେ ଜମା ହୋଇଛି। ୧୧ ଲକ୍ଷ ୫୯ ହଜାର ୭୬୮ ଟଙ୍କା ଜମା ହୋଇନି। ହେଲେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ଯଥାକ୍ରମେ ୭୦ ଲକ୍ଷ ୯୮ ହଜାର ୭୬୧ ଟଙ୍କା ଓ ୧ କୋଟି ୯୯ ଲକ୍ଷ ୪୩ ହଜାର ୯୧୬ ଟଙ୍କା ସେସ୍ ଓ ରୟାଲିଟି ବାବଦରେ ସଂଗ୍ରହ ହୋଇଥିଲା। ଏଠି କିନ୍ତୁ ପୁରା ସ୍ବଚ୍ଛତା ଅବଲମ୍ବନ କରାଯାଇଛି। ଯେତିକି ଅର୍ଥ ସଂଗ୍ରହ ହୋଇଥିଲା, ସବୁତକ ଜମା କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧ କୋଟି ୬୨ ଲକ୍ଷ ୨୭ ହଜାର ୬୮୬ ଉଭୟ ସେସ୍ ଓ ରୟାଲିଟି ବାବଦରେ ସଂଗ୍ରହ ହୋଇଥିଲା। ଜମା ହୋଇଥିଲା ୧ କୋଟି ୪୬ ଲକ୍ଷ ୩୨ ହଜାର ୪୬୭। ବଳକା ୧୫ ଲକ୍ଷ ୯୫ ହଜାର ୨୧୯ ଟଙ୍କା ଜମା ହୋଇନି।
ସେହିପରି ୨୦୧୪-୧୫, ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷର ତଥ୍ୟ ହସ୍ତଗତ ହୋଇ ନଥିଲେ ମଧ୍ୟ ସମାନ ଢଙ୍ଗରେ ଅନିୟମିତତା ହୋଇଥିବା ଆଶଂକା କରାଯାଉଛି। ଅଡିଟ୍ ପରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ ଯେତିକି ଅର୍ଥ ସଂଗ୍ରହ ହୋଇଥିଲା ସବୁତକ ଜମା ହୋଇଛି। ଅନ୍ୟ ଆର୍ଥିକ ବର୍ଷରେ ବଳକା ଟଙ୍କା ଆର୍ଏମ୍ସିର କେଉଁ ଆକାଉଣ୍ଟରେ ଜମା ହୋଇଛି ? ଏହାର କୌଣସି ତଥ୍ୟ ନିଗମ ପାଖରେ ନାହିଁ। ଓଡ଼ିଶା ସାଧାରଣ ବିତ୍ତୀୟ ନିୟମ (ଓଜିଏଫ୍ଆର୍) ଅନୁଯାୟୀ କୌଣସି ରୟାଲ୍ଟି ବା ସେସ୍ ଆଦାୟ ହେବାର ୩ ଦିନ ମଧ୍ୟରେ ଟ୍ରେଜେରି କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା ଆବଶ୍ୟକ। ହେଲେ ଆର୍ଏମ୍ସିରେ ମାସମାସ ଧରି ଏହି ଅର୍ଥକୁ ପକାଇ ରଖାଯାଉଛି ବା ଠିକ୍ ସମୟରେ ଜମା କରାଯାଉ ନାହିଁ। ଗତ ୧୦ ବର୍ଷ ମଧ୍ୟରୁ ୬ଟି ଆର୍ଥିକ ବର୍ଷରେ ଅଡିଟ୍ ପରେ ରୟାଲିଟି ଓ ସେସ୍ ବାବଦରେ ଜମା ହୋଇ ନଥିବା ୬୦ ଲକ୍ଷରୁ ଅଧିକ ଟଙ୍କା କୁଆଡେ ଗଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସଚେତନ ମହଲରେ ଦାବି ହେଉଛି।