କୋଇଲା ଚୋରକୁ ଛାଡ଼ିବା ଆରପିଏଫ୍ ଏଏସଆଇଙ୍କୁ ମହଙ୍ଗା ପଡ଼ିଲା: ଚାକିରିରୁ ହେଲେ ନିଲମ୍ବିତ

ରାଉରକେଲା: କୋଇଲା ଚୋରିବେଳେ ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ନ କରି ସେମାନଙ୍କୁ ଛାଡ଼ି ଦେବା ବନ୍ଧମୁଣ୍ଡା ଆରପିଏଫ୍ ଏଏସ୍ଆଇଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ସଂପୃକ୍ତ ଏଏସ୍ଆଇଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ  ଏଏସ୍ଆଇ ହେଉଛନ୍ତି ବନ୍ଧମୁଣ୍ଡା ଆରପିଏଫ୍ ଥାନାର ଏଏସ୍ଆଇ କାମଦେବ ମୁଣ୍ଡା।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ମାଲବାହୀ ଟ୍ରେନରୁ କୋଇଲା ଚୋରି ହେଉଥିବା ସୂଚନା ପାଇ ଆରପିଏଫ୍ ସହକାରୀ ସୁରକ୍ଷା କମିସନର ରାଜୀବ ଉପାଧ୍ୟାୟ ଗତ ଶୁକ୍ରବାର ଦିନ ଲାଠିକଟା ରେଲୱେ ଷ୍ଟେସନରେ ଅତର୍କିତ ଚଢ଼ଉ କରିଥିଲେ। କୋଇଲା ଚୋରି କରୁଥିବାବେଳେ ସେ ୧୨ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।

ଏହାସହ ୪୫ ବସ୍ତା କୋଇଲା, ୩ଟି ସାଇକେଲ ଓ ୩ଟି ବେଲ୍ଚା ଜବତ ହୋଇଥିଲା। ଜବତ ସାମଗ୍ରୀ ସହ ଅଭିଯୁକ୍ତମାନଙ୍କୁ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ ଜିମା ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନୁସାରେ ଏଏସ୍ଆଇ ଶ୍ରୀ ମୁଣ୍ଡା ମାମଲା ରୁଜୁ କରିଥିଲେ। ତେବେ ଶ୍ରୀ ମୁଣ୍ଡା ଚଞ୍ଚକତା କରି ମାତ୍ର ୨ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ଅନ୍ୟ ୧୦ ଜଣଙ୍କୁ ଛାଡ଼ି ଦେଇଥିଲେ।

ଏମିତିକି ଘଟଣାସ୍ଥଳରୁ ମାତ୍ର ୨ଟି ସାଇକେଲ ଓ ୨ଟି ବେଲ୍ଚା ଜବତ ହୋଇଥିବା ଦର୍ଶାଇଥିଲେ। ତା’ପରଦିନ ସହାକାରୀ ସୁରକ୍ଷା କମିଶନର ଉପାଧ୍ୟାୟ ଏ ବିଷୟରେ ଜାଣି ଏଏସ୍ଆଇ ଶ୍ରୀ ମୁଣ୍ଡାଙ୍କଠାରୁ ଜବାବ ତଲବ କରିଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବା ତଥା ଖୋଲାଖୋଲିଭାବେ କାର୍ଯ୍ୟରେ ଅବହେଳା ସ୍ପଷ୍ଟ ହେବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର