ରାଉରକେଲା : ଚୋରା ଗଞ୍ଜେଇ କାରବାର ରାଉରକେଲା ଷ୍ଟେସନରେ କାର୍ଯ୍ୟରତ ଆର୍‌ପିଏଫ୍‌ କନେଷ୍ଟବଳ ଆର୍‌.ରଞ୍ଜନଙ୍କୁ ମହଙ୍ଗା ପଡିଛି। ଗତକାଲି ତାଙ୍କୁ ରାଉରକେଲାରୁ ଚକ୍ରଧରପୁର ମଣ୍ଡଳ ରିଜର୍ଭକୁ ବଦଳି କରାଯାଇଥିଲା। ଆଜି ତାଙ୍କୁ ଚାକିରିରୁ ବିଦା କରାଯାଇଛି। ବେଆଇନ ଚୋରା ଗଞ୍ଜେଇ କାରବାର ସମ୍ପୃକ୍ତି ଥିବା ସୂଚନା ମିଳିବା ପରେ ଆର୍‌ପିଏଫ୍‌ କମିଶନର ଓମ୍‌କାର ସିଂହ କନେଷ୍ଟବଳ ଆର୍‌. ରଞ୍ଜନ ତାଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଚକ୍ରଧରପୁର ମଣ୍ଡଳର ସିନିୟର ଡିସିଏମ୍‌ ମନୀଷ ପାଠକ କହିଛନ୍ତି, ଆର୍‌ପିଏଫ୍‌ ଯବାନଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।

Advertisment

ଆଗାମି ଦିନରେ ରାଉରକେଲା ଷ୍ଟେସନରେ କାର୍ଯ୍ୟରତ ଅନ୍ୟ ଆର୍‌ପିଏଫ ଯବାନଙ୍କୁ ଏଭଳି କାମ କରିବାକୁ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ତାଗିଦ୍‌ କରାଯାଇଛି। ଗତ ୧୮ରେ ପ୍ଲାଣ୍ଟସାଇଟ୍‌ ପୁଲିସ ରାଉରକେଲା ଷ୍ଟେସନରୁ ଗୋପବନ୍ଧୁପାଲୀର ଜଣେ ଚୋରା ଗଞ୍ଜେଇ ବେପାରିକୁ ଗିରଫ କରିଥିଲା। ତା’ ନିକଟରୁ ପୁଲିସ ୯୮ କେଜି ଗଞ୍ଜେଇ ଜବତ କରିଥିଲା। ପରେ ପୁଲିସ ଗିରଫ ଗଞ୍ଜେଇ ବେପାରି ସୂଚନା ଆଧାରରେ ଆର୍‌ପିଏଫ୍‌ କନେଷ୍ଟବଳ ଆର୍‌. ରଞ୍ଜନଙ୍କ ନାଁରେ ମାମଲା ରୁଜୁ କରିଥିଲେ। ମାମଲା ଆର୍‌ପିଏଫ୍‌ କମିଶନରଙ୍କ ନିକଟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆର୍‌ପିଏଫ୍‌ ବରିଷ୍ଠ ଅଧିକାରୀ ‌ତଦନ୍ତ କରି ରିପୋର୍ଟ ଦେବା ପରେ କମିଶନର କନେଷ୍ଟବଳ ଆର୍‌.ରଞ୍ଜନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଉରକେଲା ଆର୍‌ପିଏଫ୍‌ ପୋଷ୍ଟ୍‌ର ଏହି କରିତକର୍ମା ଯବାନ ଚୋରା କାରବାରରେ ଗଞ୍ଜେଇ ବେପାରିକୁ ସହଯୋଗ କରୁଥିଲେ। ସେ ବାବଦରେ ସେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ଗୋପବନ୍ଧୁପାଲୀ ରାଉରକେଲା ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ ଦେଇ ଚୋରା ଗଞ୍ଜେଇ ବେପାରି ରାଉରକେଲା ଷ୍ଟେସନ ଭିତରକୁ ପଶୁଥିଲା। ଏଠାରୁ ଝାଡ଼ଖଣ୍ଡ, ବିହାର ପ୍ରମୁଖ ସହରରକୁ ଟ୍ରେନ୍‌ ଜରିଆରେ ଗଞ୍ଜେଇ ଚାଲାଣ ହେଉଥିଲା। କେବଳ ଏତିକି ନୁହେଁ, ରାଜ୍ୟର ଅନ୍ୟ ପ୍ରମୁଖ ସହରରୁ ଚୋରା ଗଞ୍ଜେଇ ଧରି ଟ୍ରେନ୍‌ ଯୋଗେ ରାଉରକେଲା ଷ୍ଟେସନରେ ପହଞ୍ଚୁଥିଲେ। ଟ୍ରେନ୍‌ରୁ ଓହ୍ଲାଇବା ପରେ କରିତକର୍ମା ଆର୍‌ପିଏଫ୍‌ ଯବାନମାନେ ସେମାନଙ୍କୁ ସୁରକ୍ଷା ଦେଉଥିଲେ। ସେମାନେ କିପରି ସୁରକ୍ଷିତ ଭାବେ ରାଉରକେଲାରୁ ଅନ୍ୟ ରାଜ୍ୟକୁ ପାର ହୋଇଯିବେ ତା’ର ଯୋଜନା ମଧ୍ୟ ଆର୍‌ପିଏଫ୍‌ ଯବାନମାନେ ପ୍ରସ୍ତୁତ କରୁଥିଲେ। ସେମାନେ କିପରି ସୁରକ୍ଷିତ ଭାବେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ପହଞ୍ଚିବେ, ଅବା ଅନ୍ୟ ଟ୍ରେନ୍‌ରେ ରାଞ୍ଚି ଓ ଗୟା ଆଦି ସହରକୁ ଯିବେ, ତା’ର ବ୍ୟବସ୍ଥା ମଧ୍ୟ କରୁଥିଲେ। ଆର୍‌ପିଏଫ୍‌ର ସୁରକ୍ଷା ପାଇବା ପରେ ସେମାନେ ବିନା ଭୟରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଧରି ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ।