କଳା ପଲସର ଆତଙ୍କ: ଭଣ୍ଡାରିପୋଖରୀରେ ଆହ୍ଲାବାଦ୍‌ ବ୍ୟାଙ୍କ ଭିତରୁ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ଶୁକ୍ରବାର ପୂର୍ବାହ୍ନରେ କଳା ପଲସର ଆତଙ୍କ ଦେଖାଯାଇଛି। ଆଜି ଦିନ ୧୦ଟା ୪୦ରେ ଦୁର୍ବୃତ୍ତମାନେ ଆହ୍ଲାବାଦ୍‌ ବ୍ୟାଙ୍କ ମଧ୍ୟରୁ ଜଣେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ରାଜେନ୍ଦ୍ରପୁର ପଞ୍ଚାୟତ ଅଗେଇବେହେରା ଗ୍ରାମର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା।

ସୂଚନା ଅନୁସାରେ କପଡ଼ା ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ମୁରୀରୋଡ଼ ଲେବଲକ୍ରସିଂ ଠାରେ ଥିବା ଆହ୍ଲାବାଦ ବ୍ୟାଙ୍କ ଶାଖାକୁ ଟଙ୍କା ଜମା କରିବାକୁ ଯାଇଥିଲେ। ସେ ବ୍ୟାଙ୍କରେ ବସି ଟଙ୍କା ଜମା ପାଇଁ ଫର୍ମ ପୂରଣ କରୁଥିବା ବେଳେ ପୂର୍ବରୁ ପିଛା କରି ଆସିଥିବା ଜଣେ ଲୁଟେରା ଟଙ୍କା ବ୍ୟାଗ ଧରି ବ୍ୟାଙ୍କ ଭିତରୁ ବାହାରକୁ ଦ୍ରୁତ ଗତିରେ ପଲାଇ ଆସିଥିଲା ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାସ୍ତା ଉପରେ ଅନ୍ୟ ଜଣେ ସହଯୋଗୀ ଲୁଟେରା କଳାପଲସରକୁ ଷ୍ଟାଟ କରି ରଖିଥିବାରୁ ଟଙ୍କା ଧରିଥିବା ଲୁଟେରା ଗାଡି ଉପରେ ଜମ୍ପ କରି ବସି ପଳାଇଯାଇଥିଲା। ହୋହାଲ୍ଲା ଭିତରେ ସ୍ଥାନୀୟ ଜଣେ ଯୁବକ ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଲୁଟେରାମାନେ କୌଶଳ କ୍ରମେ ସେଠାରୁ ଖସିଯାଇଥିଲେ ।

ସ୍ଥାନୀୟ ଲୋକମାନେ ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ପିଛା କରିଥିବା ବେଳେ ସେମାନେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଅଁର ନିକଟରେ ଧରାପଡ଼ିଯିବା ଭୟରେ ପଲସର (ଓଡି ୩୪କେ୮୨୨୦)ଟିକୁ ଛାଡ଼ିଦେଇ ବିଲ ଆଡ଼କୁ ଦୌଡ଼ି ପଳାଇ ଯାଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିବା ବେଳେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର