ଛତିଶଗଡ଼ ସ୍କର୍ପିଓରୁ ୧ ଲକ୍ଷ ୫୭ ହଜାର ଟଙ୍କା ଜବତ, ଗଞ୍ଜେଇ ବେପାର ପାଇଁ ଯାଉଥିବା ସନ୍ଦେହ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓରୁ ୧ ଲକ୍ଷ ୫୭ ହଜାର ଟଙ୍କା ଜବତ କରିଛି। କିନ୍ତୁ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ସ୍କର୍ପିଓର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁସାରେ ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ (ସିଜି ୧୨ଡି-୮୮୩୩) ମଙ୍ଗଳବାର ରାତି ରାମପୁର ପଟରୁ ବିନିକା ଦେଇ ଆଗକୁ ଦ୍ରୁତ ଗତିରେ ଯାଉଥିଲା। ତେବେ ସ୍କର୍ପିଓକୁ ବିନିକା କଲେଜ ଛକରେ ପ୍ରଥମେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାଡ଼ିର ଚାଳକ ପୁଲିସକୁ ଚକମା ଦେଇ ଫେରାର ମାରିଥିଲା। ପୁଲିସ ସ୍ଥାନୀୟ ଥାନା ସମ୍ମୁଖରେ ସ୍ପିଡ଼ ବ୍ରେକର ମୁଖ୍ୟରାସ୍ତାରେ ରଖିଦେଇଥିଲା। ଫଳରେ ସ୍କର୍ପିଓ ଡ୍ରାଇଭର ଗାଡ଼ିକୁ ଆଗକୁ ବଢ଼ାଇ ପାରି ନ ଥିଲା। ସେ ଉପାୟ ଶୂନ୍ୟ ହୋଇ ରାସ୍ତାରେ ଗାଡ଼ି ରଖି ଦୌଡ଼ି ଦୌଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଅଳ୍ପ ସମୟ ପରେ ପଛପଟରୁ ପୁଲିସ ଆସି ସ୍କର୍ପିଓ ନିକଟରେ ପହଞ୍ଚି ଥିଲା। ବିନିକା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ତ୍ରିପୁରା ମହାନନ୍ଦଙ୍କ ଉପସ୍ଥିତିରେ ପୁଲିସ ଆଜି ଗାଡ଼ି ଭିତରୁ ୧ ଲକ୍ଷ ୫୭ ହଜାର ୫୪୦ ଟଙ୍କା ଜବତ କରିଥିଲା। ତେବେ ଗାଡ଼ିର ପ୍ରମାଣପତ୍ର ସହିତ ଇଞ୍ଜିନ ନମ୍ବର ଓ ସିସ୍‌ ନମ୍ବର ମେଳ ଖାଉ ନ ଥିବା ବିନିକା ଆଇଆଇସି କୁଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଡିର କାଗଜ ପତ୍ର ସଠିକ ନ ଥିବାରୁ ଏହା ଗଞ୍ଜେଇ କିଣିବାକୁ ଯାଉଥିବା ଅନୁମାନ କରାଯାଉଛି। ତେବେ ପୁଲିସ ଗାଡ଼ିରେ ବସିଥିବା ଲଳିତ ଗୋରେଖ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର