ଭିଜିଲାନ୍‌ସ ଜାଲ୍‌ରେ ସହକାରୀ ଯନ୍ତ୍ରୀ: ଅଫିସ୍‌ ଆଲମିରାରୁ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ

ଖୋର୍ଦ୍ଧା: ୫୦ହଜାର ଟଙ୍କା ଲାଞ୍ଚ ନେଇ ଖୋର୍ଦ୍ଧା ବ୍ଲକ୍‌ର ମହିଳା ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଆଜି ଭିଜିଲାନ୍‌ସ ହାବୁଡ଼ରେ ଧରାପଡ଼ିଛନ୍ତି। ତା’ ସହିତ ତାଙ୍କ ଅଫିସ୍‌ କାର୍ଯ୍ୟାଳୟର ବି ତଲାସି ନିଆଯାଇଛି। ଅଫିସ୍‌ ଆଲମିରାରୁ ଭିଜିଲାନ୍‌ସ ଟିମ୍‌ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ କରାଯାଇଛି। ଯନ୍ତ୍ରୀ ଶ୍ରୀମତୀ ମହାପାତ୍ରଙ୍କ ଭୁବନେଶ୍ବରସ୍ଥିତ ଭଡ଼ା ଘର ଏବଂ ନୟାଗଡ଼ସ୍ଥିତ ଶ୍ବଶୁର ଘର ଉପରେ ବି ଟିମ୍‌ ଚଢ଼ଉ କରିଥିବା ଜଣାପଡ଼ିଛି। ବେଗୁନିଆ ବ୍ଲକ୍‌ ଗଡ଼ମାଣତ୍ରୀର ଶିଶିର ମଙ୍ଗରାଜଙ୍କ ଅଭିଯୋଗ କ୍ରମେ ଏ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଭିଯୋଗକାରୀ ଶ୍ରୀ ମଙ୍ଗରାଜଙ୍କ କହିବା ମୁତାବକ, ଏ ପ୍ରକଳ୍ପ ଥିଲା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ହାତପାଣ୍ଠିର। ୨୦୨୩-୨୪ଆର୍ଥିକ ବର୍ଷ ପାଇଁ ସାଂସଦ ଶ୍ରୀ ନନ୍ଦ ଖୋର୍ଦ୍ଧା ବ୍ଲକ୍‌ ନରଣଗଡ଼ ପଞ୍ଚାୟତ ଭୋଗପୁର ଗାଁକୁ ଦୁଇଟା ସିସି ରୋଡ୍ ପୂର୍ଣ୍ଣାଙ୍ଗ ପାଇଁ ଟଙ୍କା ନଅ ଲକ୍ଷ ଲେଖାଏଁ ମୋଟ୍ ୧୮ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଯାହାର କାମ ଶେଷ ହୋଇଥିଲା। ବିଲ୍‌ ତିଆରି କଲା ବେଳକୁ ଯନ୍ତ୍ରୀ ଶ୍ରୀମତୀ ମହାପାତ୍ର ଠିକାଦାର ତୁଷାରକାନ୍ତ ମଙ୍ଗରାଜଙ୍କର କାନ ମୋଡିଥିଲେ। ଅନ୍ୟୁନ ୧୨ପ୍ରତିଶତ ପିସି ନ ଦେଲେ ବିଲ୍ ନ କରିବା ପାଇଁ ଅଡି ବସିଥିଲେ। ତେଣୁ, ବାଧ୍ୟ ହୋଇ ବିଲ୍ ସମୟରେ ଏକ ଲକ୍ଷ ୩୦ହଜାର ଟଙ୍କା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ତତ୍‌ ମୁତାବକ, ଦୁଇ ସପ୍ତାହ ତଳେ ବିଲ୍ ପୈଠ ହୋଇଥିଲା। କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ବି ଠିକାଦାର ପାଇଯାଇଥିଲେ। ଟଙ୍କା ପାଇଲା ପରେ ଅବଶିଷ୍ଟ ବକେୟା ପିସି ଟଙ୍କା ଦେବା ପାଇଁ ଯନ୍ତ୍ରୀ ଶ୍ରୀମତୀ ମହାପାତ୍ର ବାରମ୍ବାର ଫୋନ୍‌, ମେସେଜ୍‌ କରୁଥିଲେ। ଯାହାକୁ ନେଇ ଠିକାଦାରଙ୍କ ବାପା ଶ୍ରୀ ମଙ୍ଗରାଜ ଭିଜିଲାନ୍‌ସରେ ଜଣାଇଥିଲେ।

ପୂର୍ବ ପ୍ରସ୍ତୁତି ମୁତାବକ, ଖୋର୍ଦ୍ଧା ଭିଜିଲାନ୍‌ସ ଡିଏସ୍‌ପି ଚନ୍ଦ୍ରକଳା ଜେନାଙ୍କ ନେତୃତ୍ବରେ ଡିଏସ୍‌ପି ପ୍ରତ୍ୟୁଷ ମହାପାତ୍ରଙ୍କ ସମେତ ଭୁବନେଶ୍ବର ଭିଜିଲାନ୍‌ସ ଟିମ୍‌ ଆଜି ଖୋର୍ଦ୍ଧା ବ୍ଲକ୍‌ କାର୍ଯ୍ୟାଳୟରେ ଛପି ରହିଥିଲେ। ଅଭିଯୋଗକାରୀ ଶ୍ରୀ ମଙ୍ଗରାଜଙ୍କଠାରୁ ଲାଞ୍ଚ ଟଙ୍କା ନେବା କ୍ଷଣି ଧରପଗଡ଼ କରିଥିଲେ। ତା’ ସହିତ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭଡ଼ାଘର ଏବଂ ଶ୍ବଶୁର ଘର ବି ଚଢ଼ଉ କରାଯାଇଛି। ଏଥିରୁ ଖୋର୍ଦ୍ଧା ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ପିସି କାରବାର କଥା ପ୍ରମାଣିତ ହୋଇଛି। ଏହାର ଚେର ଆହୁରି ଲମ୍ବା। ଏଥିରେ ବ୍ଲକ୍‌ର ଅନ୍ୟ କର୍ମଚାରୀଙ୍କର ବି ସମ୍ପୃକ୍ତି ଅଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର