ସ୍ପଷ୍ଟ ଦିବାଲୋକରେ ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଆଖିପିଛୁଳାକେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍‌ କରି କଳା ପଲସରରେ ଚାଲିଗଲେ ଦୁବୃର୍ତ୍ତ

ବାରିପଦା: ଆଖିପିଛୁଳାକେ ବାଇକ ଡିକି ଭାଙ୍ଗିଲେ। ଲୁଟିଲେ ଆଉ ଚାଲିଗଲେ। କେହି କିଛି ବୁଝିବା ଆଗରୁ ନମ୍ବରବିହୀନ କଳା ପଲ୍‌ସର ଗାଡିରେ ବସି ଫେରାର୍‌ ହୋଇଯାଇଥିଲେ ଦୁଇ ମୁଖା ପିନ୍ଧା ଲୁଟେରା। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରୁ ୧୨.୧୫ ମଧ୍ୟରେ ବାରିପଦା ଟାଉନ୍‌ ଥାନାଠାରୁ ମାତ୍ର ଅଳ୍ପ କିଛି ମିଟର ଦୂର ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ସମ୍ମୁଖରୁ ଦୁଇ ଦୁବୃର୍ତ୍ତ ଜଣେ ଠିକାଦାରଙ୍କ ବାଇକ୍‌ ଡିକି ଭାଙ୍ଗି ସେଥିରେ ଥିବା ୧ ଲକ୍ଷ ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି।

ବାରିପଦା ପୌରପରିଷଦ ୧୭ ନମ୍ବର ୱାର୍ଡରେ ବାସ କରୁଥିବା ବଡ଼ସାହି ଥାନା ମାଧବପୁର ପଞ୍ଚାୟତ ଅନ୍ତର୍ଗତ କୁଚିଳାପଦା ଗ୍ରାମର ଜୀବନ କୁମାର ଦଣ୍ଡପାଟ(୫୨) ଆଜି ସ୍ଥାନୀୟ ଏମକେସି ହାଇସ୍କୁଲ ସମ୍ମୁଖ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ ସେ ନିଜର ଓଡ଼ି- ୧୧ ଏଫ- ୮୪୫୫ ନମ୍ବର ବିଶିଷ୍ଟ ବାଇକ ଡିକିରେ ରଖି ମଧ୍ୟାହ୍ନ ପ୍ରାୟ ୧୨ ସମୟରେ ଏକ ନିର୍ମାଣ କାର୍ଯ୍ୟର ଟେଣ୍ଡର ପେପର ପକାଇବା ନିମନ୍ତେ ବଡ଼ବଜାରସ୍ଥିତ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଅନ-ଲାଇନ ସଲ୍ୟୁସନ ଇଣ୍ଟରନେଟ୍‌ ଦୋକାନକୁ ଆସିଥିଲେ। ବାଇକକୁ ବାହାରେ ରଖି ଉକ୍ତ ଦୋକାନକୁ ଯିବା ମଧ୍ୟରେ ମାତ୍ର କେଇ ମିନିଯ୍‌ ମଧ୍ୟରେ ମୁଖାପିନ୍ଧିଥିବା ଜଣେ ଯୁବକ ଆସି ତାଙ୍କ ଗାଡ଼ି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ୍‌ ମାରିଥିଲେ। ନିକଟରେ ପୂର୍ବରୁ ଏକ ନମ୍ବରବିହୀନ କଳା/ବ୍ଲୁ ରଙ୍ଗର ପଲ୍‌ସର ଧରି ଆଉ ଜଣେ ଅପେକ୍ଷା କରିଥିଲା। ଉକ୍ତ ବାଇକ୍‌ରେ ସେମାନେ ଥାନା ଆଗ ହୋଇ ଅମ୍ବିକା ମନ୍ଦିର ଦିଗରେ ଦ୍ରୁତଗତିରେ ଚାଲିଯାଇଥିଲେ।

ଏହାଦେଖି ଶ୍ରୀ ଦଣ୍ଡପାଟ ପାଟି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ସେ ଏନେଇ ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ତଦନ୍ତ ଜାରି ରଖିଛି। ତେବେ ଉକ୍ତ ଲୁଟେରାଦ୍ବୟ ବ୍ୟାଙ୍କରୁ ହିଁ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ପିଛା କରୁଥିବା ପୁଲିସ୍‌ ସନ୍ଦେହ କରୁଛି। କୌଣସି ବ୍ୟକ୍ତି ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଗାଡ଼ି ଡିକିରେ ନରଖି ପାଖରେ ରଖିବାକୁ ପୁଲିସ୍‌ ପରାମର୍ଶ ଦେଇଛି। ପୂର୍ବରୁ ମଧ୍ୟ ଏହିପରି ଭାବେ ବାରିପଦାରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେବାର ନଜିର ରହିଛି।

ସମ୍ବନ୍ଧିତ ଖବର