ଭୁଜାଲିରେ ହାତକୁ ହାଣି ଲକ୍ଷେ ଟଙ୍କା ଲୁଟିନେଲେ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଚୋରି, ରାହାଜାନୀ, ଲୁଟ ଘଟଣା ଥମିବାର ନାଁ ନେଉନାହିଁ। ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦୁର୍ବୃତ୍ତ ମାନେ ରାତି ବେଳା ଜଣେ ବ୍ୟକ୍ତିଙ୍କୁ ହାଣି ଲହୁଲୁହାଣ କରିବା ପରେ ଲୁଟିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କଟକ ଜିଲ୍ଲା ବଡ଼ନାଟି ଗ୍ରାମର ମାନସ ଦାସ ତାଙ୍କ ଭଉଣୀ ସହିତ ବନମାଳିପୁର ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଆମେଣାକୁଦ ନିଆଳି ନୂଆଗାଁ ରାସ୍ତାରେ ଯାଉଥିବା ସମୟରେ ଗଜାତୋଟା ନିକଟରେ ହଠାତ ଏକ ବାଇକରେ ୨ ଜଣ ଦୁର୍ବୃତ୍ତ ପଛରୁ ଆସି ତାଙ୍କୁ ଅଟକାଇ ଥିଲେ। ମାନସଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ତାଙ୍କ ଠାରୁ ଲକ୍ଷେ ଟଙ୍କା ଓ ସୁନା ଚେନ ଲୁଟି ନେଇଥିଲେ।

ମାନସ ଜୀବନ ବିକଳରେ ଘଟଣାସ୍ଥଳରୁ ଦୌଡ଼ି ନିକଟସ୍ଥ ଜଣଙ୍କ ଘରକୁ ଚାଲି ଆସିଥିଲେ। ଭୁଜାଲି ଚୋଟରେ ମାନସଙ୍କ ଡାହାଣ ହାତରେ ଗୁରତର ଆଘାତ ହୋଇଛି। ସୂଚନା ପାଇ ବନମାଳିପୁର ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ଯାଇ ଆହତ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲା। ବାଲିପାଟଣା ପୁଲିସର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଉଛନ୍ତି।

ସମ୍ବନ୍ଧିତ ଖବର