ବୌଦ୍ଧ: ଜୀବିକା ମିସନର ୧୨ ଲକ୍ଷ ଟଙ୍କା ଆତ୍ମସାତ!, ପଂଚାୟତ ସ୍ତରୀୟ ମହାସଂଘରେ ମହାଦୁର୍ନୀତି ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍‌ କୁଲୁତାଜୋର ଗ୍ରାମ୍ୟ ପଂଚାୟତ ସ୍ତରୀୟ ମହାସଂଘ(ଜିପିଏଲଏଫ)ରେ ଜୀବିକା ମିସନର ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଘଟଣା ଗୁରୁବାର ସାମନାକୁ ଆସିଛି। ମହାସଂଘକୁ ଜିଲ୍ଲା ଜୀବିକା ମିସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ୧୧ଲକ୍ଷ ୯୯ହଜାର ୫ଶହ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଛି। ମହାସଂଘର ସଭାପତି ଏହି ଟଙ୍କା ହେରଫର କରିଥିବା ନେଇ ଜଣାପଡିବା ପରେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଶଶାଙ୍କ ଶେଖର ଦାଶଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଜୀବିକା ମିସନ ଅଧିକାରୀ ଫ୍ରାନସିସ ବାର୍ଲା କୁଳୁତାଜୋର ଯାଇ ଏହାର ପ୍ରାଥମିକ ତଦନ୍ତ କରିଥିବା ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ କୁଲୁତାଜୋର ମହାସଂଘକୁ ଜୀବିକା ମିସନ ପକ୍ଷରୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ, ଇନଷ୍ଟିଚ୍ୟୁସନ ଓ ସର୍ବସାଧାରଣ ସୁବିଧା ଯୋଗାଇବା ଅନୁଦାନ ବାବଦ ୧୧ଲକ୍ଷ ୯୯ହଜାର ୫ଶହ ଟଙ୍କା ଦିଆଯାଇଥିଲା। ଉକ୍ତ ଟଙ୍କାକୁ ମହାସଂଘର ସଭାପତି ମହାସଂଘର ଇସି ସଦସ୍ୟମାନଙ୍କ ବିନା ଅନୁମୋଦନରେ ତିନୋଟି କିସ୍ତିରେ ନିଜ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାକୁ ନେଇ ହେରଫେର କରିଥିବା ବେଳେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ଅଜାଣତରେ ଉକ୍ତ ଗୋଷ୍ଠୀର ବ୍ୟାଙ୍କ ଜମାଖାତାରେ ଜମା କରି ଉକ୍ତ ଟଙ୍କା ମଧ୍ୟ ବ୍ୟକ୍ତିଗତ ଖର୍ଚ୍ଚ କରି ନେଇଥିବା ଜୀବିକା ମିସନ ଅଧିକାରୀ ଶ୍ରୀବାର୍ଲାଙ୍କୁ ପଚାରାଯିବାରୁ ଜଣାପଡିଛି। ଏସମ୍ପର୍କରେ ଏକ ରିପୋର୍ଟ ଶୁକ୍ରବାର ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରିବେ ବୋଲି ଜଣାଯାଇଛି।

ଅପରପକ୍ଷେ ବୌଦ୍ଧ ଜିଲ୍ଲାରେ ମୋଟ ୫୪ଟି ଗ୍ରାମ୍ୟ ପଂଚାୟତ ସ୍ତରୀୟ ମହାସଂଘ ରହିଛି। ଉକ୍ତ ସଂଘ ମାନଙ୍କୁ ଜୀବିକା ମିସନର ଅନୁଦାନ ବାବଦ ପ୍ରାୟ ଦୁଇ କୋଟି ଟଙ୍କା ପର୍ଯ୍ୟାୟ କ୍ରମେ ଦିଆଯାଇଥିବା ବେଳେ ଏକାଧିକ ମହାସଂଘରେ ମହାଦୁର୍ନୀତି କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଜରୁରୀ ହୋଇପଡିଛି।

କରୋନା ମହାମାରୀ କାଳରେ ସରକାରୀ ଅର୍ଥକୁ ଆତ୍ମସାତ କରିବାର ସୁଯୋଗ ଭାବି ନେଉଛନ୍ତି ଦୁର୍ନୀତିଗ୍ରସ୍ଥ। ବୌଦ୍ଧ ଜିଲ୍ଲା ଜୀବିକା ମିସନରେ ଲୋକଙ୍କ ସୁବିଧା ଉନ୍ନୟନ ପାଇଁ ଦିଆଯାଇଥିବା ଲକ୍ଷାଧିକ ଅନୁଦାନ ଟଙ୍କାକୁ ଚଳୁ କରି ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଜୀବିକା ମିସନର ପ୍ରାୟ ୧୨ଲକ୍ଷ ଟଙ୍କାକୁ ଗ୍ରାମ୍ୟ ମହାସଂଘର ସଭାପତି ଉଠାଇ ନେଇଥିବା ଭଳି ସାଙ୍ଘାତିକ ଘଟଣା ଧରାପଡିଯାଇଛି।

ସମ୍ବନ୍ଧିତ ଖବର