ପୁଲିସ ପୁଅର କଳା କାରନାମା: ବ୍ୟାଙ୍କ ମ୍ୟାନେଜର-କ୍ୟାସିୟରଙ୍କୁ ବନ୍ଧୁକ ଦେଖଇ ୧୫ ଲକ୍ଷ ଟଙ୍କା ଲୁଟିଲା

ପୁଲିସ ଗୁଳିରେ ଦୁର୍ବୃତ୍ତ ଆହତ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ପୁଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍‌ କରିଛି ପୁଅ। ଆଜି ଅପରାହ୍ନ ପ୍ରାୟ ୨ଟାରେ ସୁନ୍ଦରଗଡ଼ ଟାଉନ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଫେରାର ଲୁଟେରା ଚମ୍ପଟ ବେଳେ ଶଙ୍କରା ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଛି। ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ଲୁଟେରାକୁ ପୁଲିସ କାବୁ କରିଛି। ଲୁଟେରା ନିକଟରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଜଣେ ପୁଲିସ ଏଏସ୍‌ଆଇ ମିତ୍ରଭାନୁ ନାଏକଙ୍କ ପୁଅ ଜୟଦେବ ନାଏକ୍‌ ଆଜି ଅପରାହ୍ନ ୨ଟାରେ ସ୍ଥାନୀୟ ଆକ୍ସିସ୍‌ ବ୍ୟାଙ୍କକୁ ଏକ ବାଇକ୍‌ରେ ଆସିଥିଲା। ସେ ହାତରେ ଏକ ବ୍ୟାଗ୍‌ ନେଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଙ୍କର କ୍ୟାସିୟର ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲା। ଏହା ପରେ ମ୍ୟାନେଜର ଲଙ୍କେଶ୍ୱର ମହାରଣାଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ୧୫ ଲକ୍ଷ ଟଙ୍କା ନେଇ ବାହାରକୁ ଯାଇଥିଲା।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଜୟଦେବ ଯେଉଁ ବାଇକ୍‌ରେ ଆସିଥିଲା ତାକୁ ଛାଡ଼ି ଯାଇଥିଲା। ବ୍ୟାଙ୍କରୁ ବାହାରିବା ପରେ ସାମ୍ନା ଦେଇ ଯାଉଥିବା ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଆଗକୁ ବଢ଼ିଥିଲା।

ବ୍ୟାଙ୍କ ଠାରୁ କିଛି ଦୂର ଯିବା ପରେ ଶଙ୍କରା ନିକଟରେ ବାଇକ୍‌ରୁ ଓହ୍ଲାଇ ଜୟଦେବ ଜଣେ ପୁଲିସ କର୍ମଚାରୀଙ୍କ ଘର ଭିତରକୁ ପଶିଥିଲା। ସେ ପୁଲିସ ଘର ଭିତରକୁ ପଶିଲା ପରେ ହଠାତ୍‌ ଛାତ ଉପରକୁ ଚଢ଼ିଥିଲା। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ସ୍ଥିତି ବଲିଉଡର ଫିଲ୍ମ ଦୃଶ୍ୟ ଠାରୁ କମ୍‌ ନଥିଲା। ଅନ୍ୟପଟରେ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ସୂଚନା ପାଇ ପୁଲିସ ଜୟଦେବକୁ ଅନୁସରଣ କରୁଥିଲା। ଘଟଣାସ୍ଥଳରେ ଛାତ ଉପରୁ ଜୟଦେବ ପୁଲିସ ଉପରକୁ ଗୁଳି କରିଥିଲା। ଜବାବରେ ପୁଲିସ ମଧ୍ୟ ଗୁଳିକରିଥିଲା। ପୁଲିସ ଗୁଳିରେ ଆହତ ହୋଇ ଜୟଦେବକୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜୟଦେବ ଯେଉଁ ବନ୍ଧୁକରେ ସାହାଯ୍ୟରେ ଲୁଟ୍‌ କରିଥିଲା ଏବଂ ପୁଲିସ ଉପରକୁ ଗୁଳି କରିଥିଲା, ତାହା ବାପାଙ୍କର ସର୍ଭିସ ରାଇଫଲ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର