ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଜାମପାଲି ବାଇପାସ ଲମଲୋଇସ୍ଥିତ ଏମ.ଆର ଫେରୋ କାରଖାନାର ମୁଖ୍ୟ ଫାଟକ ଆଗରେ ଜଣେ ଠିକାଦାରଙ୍କଠାରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ପିସ୍ତଲ୍ ଦେଖାଇ ବ୍ୟାଗ୍ ସହ ୧୫ ହଜାର ଟଙ୍କା ନେଇ ଯାଇଛନ୍ତି। ରାଜଗାଙ୍ଗପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
କାଂସବାହଲ ଅଞ୍ଚଳର ବଜରଙ୍ଗବାଲୀ ମିଶ୍ରାଙ୍କ ପୁଅ ମୁନ୍ନା ମିଶ୍ରା ଏମ.ଆର ଫେରୋରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରମିକଙ୍କ ପାଉଣା ଦେବା ପାଇଁ ଆଜି ସେ ଘରୁ ନିଜ କାର ଯୋଗେ କାରଖାନାକୁ ଆସିବା ସମୟରେ ତାଙ୍କୁ ଏକ ବାଇକ୍ରେ ତିନି ଜଣ ଦୁର୍ବୃତ୍ତ ଅନୁସରଣ କରିଥିଲେ। ତେବେ ଶ୍ରୀ ମିଶ୍ରା ସେମାନଙ୍କୁ ଗୁରୁତ୍ୱ ନ ଦେଇ କାରଖାନାର ମୁଖ୍ୟ ଫାଟକ ନିକଟରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଗାଡିରୁ ଓହ୍ଲାଇ ଥିଲେ। ଏହି ସମୟରେ ବାଇକରେ ଥିବା ତିନି ଜଣ ମୁଖା ପିନ୍ଧା ବ୍ୟକ୍ତି ହଠାତ୍ ତାଙ୍କ ଆଗରେ ପହଞ୍ଚି ବନ୍ଧୁକ ଦେଖାଇ ତାଙ୍କଠାରୁ ବ୍ୟାଗକୁ ଲୁଟି ନେଇଥିଲେ। ଏହା ପୂର୍ବରୁ ୬ ମାସ ପୂର୍ବେ ମଧ୍ୟ ତାଙ୍କ ଗାଡ଼ି ଡିକିରୁ ଟଙ୍କା ଲୁଟ୍ ହୋଇଥିଲା। ଠିକାଦାର ଶ୍ରୀ ମିଶ୍ରାଙ୍କ କହିବା ଅନୁଯାୟୀ ତାଙ୍କ ବ୍ୟାଗରେ ୧୫ ହଜାର ଟଙ୍କା ଥିଲା। ପୁଲିସ କାରଖାନା ମୁଖ୍ୟ ଫାଟକରେ ଥିବା ସିସିଟିଭିକୁ ଯାଞ୍ଚ କରି ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି।