ବିନା ତାରିଖ ୱାଇ ଫର୍ମରେ ବାଲି ଚାଲାଣ, ୧୫ହଜାର ଜରିମାନା

ଜୟପୁର: ବ୍ୟାପକ ଭାବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ନଦୀ ଓ ନାଳର ବାଲିଫଟାରୁ ବାଲି ଆନ୍ଧ୍ର ଓ ଛତିଶଗଡ଼କୁ ଚାଳାଣ ହେଉଛି। ଚାଳାଣ କରାଯାଉଥିବା ଟ୍ରକ ଓ ଟିପର୍ ଗୁଡ଼ିକ ନେଉଥିବା ୱାଇଫର୍ମରେ ତାରିଖ କିଛି ପଡ଼ୁନି। ଏଭଳି ଜାଲ କାଗଜପତ୍ରରେ ବାଲି ଚାଳାଣ ହେଉଥିବା ଅଭିଯୋଗ ପରେ ଜୟପୁର ତହସିଲ ପକ୍ଷରୁ ଗତ କିଛି ଦିନ ହେବ ବୋରିଗୁମ୍ମା-ରାଣୀଗଡ-କୋରାପୁଟ ରାସ୍ତାରେ ଯାଂଚ ଆରମ୍ଭ ହୋଇଛି। ଗତ ୧୫ଦିନରେ ଏହାରି ମଧ୍ୟରେ ୪ଟି ମାମଲା ରୁଜୁ କରାଯିବା ସହ ଲକ୍ଷାଧିକ ଟଙ୍କା ଜରିମାନା ବି ଆଦାୟ କରାଯାଇଛି।

ଗତକାଲି ସୂଚନା ପାଇ  ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ବାଲିପୁଜାରୀପୁଟ ଆରଆଇ ଗୁପ୍ତ ତ୍ରିପାଠୀ, ପୁପୁଗାଁ ଏଆରଆଇ ଶଙ୍କର ଭତ୍ରା, ରାଣୀଗଡ଼ ଏଏସଆଇ ରୁଦ୍ର ମାଝୀ ପ୍ରମୁଖଙ୍କୁ ନେଇ ବାଲି ବୋଝଇ ଟିପର ଗୁଡ଼ିକର କାଗଜପତ୍ର ଯାଂଚ କରିଥିଲେ।  ଓଡି୧୦-ପି-୧୭୮୩ ଟିପରର ୱାଇଫର୍ମରେ ତାରିଖ କିଛି ପକା ଯାଇନଥିଲା। ଏହି ଟିପରକୁ ରାଣୀଗୁଡା ପାଣ୍ଡିରେ ଅଟକ ରଖିବା ସହ ୧୫ହଜାର ଟଙ୍କା ଜରିମାନା ପକାଇଥିଲେ। ଆଜି ଟିପରର ମାଲିକ ଜରିମାନା ବାନ୍ଦିଥିବା ସୂଚନା ମିଳିଛି। ନିୟମିତ ଭାବେ ପୁଲିସ ଓ ପ୍ରଶାସନ ପକ୍ଷରୁ ଯାଂଚ କରାଗଲେ ୱାଇଫର୍ମକୁ କିଭଳି ଜାଲ୍ କରି ସରକାରୀ ରାଜସ୍ବକୁ ହଡ଼ପ କରି ବାଲି ଚାଲାଣ କରାଯାଉଛି ତାହା ଜଣା ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର