ଦୁର୍ନୀତି ନିବାରଣ ସପ୍ତାହରେ ଭିଜିଲାନସ୍‌ ଜାଲରେ ନନ୍ଦପୁର ସିଡିପିଓ: ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ମହିଳା ସ୍ୱୟଂ ସହାୟକ ଦଳର ଛତୁଆ ବିଲ୍‌ ପାସ୍‌ କରୁଥିଲେ

ଜୟପୁର/କୋରାପୁଟ/ନନ୍ଦପୁର: ଦୁର୍ନୀତି ନିବାରଣ ସପ୍ତାହରେ ଜୟପୁର ଭିଜିଲାନସକୁ ବଡ଼ ସଫଳତା ମିଳିଛି। ଭିଜିଲାନସ୍‌ ଜାଲରେ ଜଣେ ସରକାରୀ ବାବୁଆଣୀ ଛନ୍ଦି ହୋଇଯାଇଛନ୍ତି। ବାବୁଆଣୀ ଜଣକ ହେଉଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର। ସେ ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ଛତୁଆ ଯୋଗାଣ କରୁଥିବା ଏକ ମହିଳା ସ୍ୱୟଂ ସହାୟକ ଦଳର ବିଲ୍‌ ପାସ୍‌ କରିବା ପାଇଁ ନେଉଥିଲେ ଲାଂଚ। ୧ଲକ୍ଷ ୭୫ହଜାର ଟଙ୍କା ଲାଂଚ ନେଉଥିଲେ।

ପୂର୍ବରୁ ଯୋଜନା ମୁତାବକ ଜୟପୁରରୁ ଭିଜିଲାନସ୍‌ ଏସପି ଶଶି ଶେଖର ମହାପାତ୍ରଙ୍କ ନିର୍ଦେଶକ୍ରମେ ଭିଜିଲାନସ୍‌ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଇନିସପେକ୍ଟର ସୂର୍ଯ୍ୟକାନ୍ତି ଟାକିରୀ ପ୍ରମୁଖ ଛପିକି ରହିଥିଲେ। ଅଭିଯୁକ୍ତା ସିଡିପିଓ ଜଣକା ଏହି ଲାଂଚ ଟଙ୍କା ନେବା ମାତ୍ରକେ ଏମାନେ ଚଢ଼ାଉ କରି ତାଙ୍କ ନିକଟରୁ ଏହି ଟଙ୍କା ଉଦ୍ଧାର କରିଥିଲେ। ଏହି ମାମଲାରେ ଭିଜିଲାନସର ଆଉ ଗୋଟିଏ ଦଳ ତାଙ୍କ ସେମିଳିଗୁଡାସ୍ଥିତ ଘର ଉପରେ ବି ଚଢ଼ାଉ କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଏଥି ପୂର୍ବରୁ ବି ଅଭିଯୁକ୍ତା ସିଡିପିଓଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନସ୍‌ ଚଢ଼ାଉ ବି କରିଥିଲେ। ଦ୍ଵିତୀୟ ଥର ଲାଂଚ ନେଉଥିବା ବେଳେ ଅଭିଯୁକ୍ତା ସିଡିପିଓ ମିଶ୍ର ଧରା ପଡ଼ିଛନ୍ତି।

ସମ୍ବନ୍ଧିତ ଖବର