କରୋନା: ଭଦ୍ରକରେ ୨ ଲକ୍ଷ ୯ ହଜାର ପରିବାରକୁ ମିଳିବ ଏଲ୍‌ପିଜିର ଦାମ

ଭଦ୍ରକ: କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨ ଲକ୍ଷ ୯ ହଜାର ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ ସରକାରଙ୍କ ପକ୍ଷରୁ ମିଳିବ । ଏହା ଚଳିତ ଏପ୍ରିଲ, ଜୁନ୍ ଓ ମେ ମାସ ପାଇଁ ପ୍ରଦାନ କରାଯିବ । ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଘରେ ଘରେ ଗ୍ୟାସ୍ ବିତରଣ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ ବୋଲି ଭଦ୍ରକ ଡିଏନ୍‌ଓ ସୂଚନା ଦେଇଛନ୍ତି ।

କରୋନା ମୁକାବିଲା ପାଇଁ ଭାରତବର୍ଷରେ ଲକଡାଉନ୍ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ଅଗ୍ରାଧିକାର ଭିତ୍ତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ଥିବା ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ୩ ମାସ ଗ୍ୟାସ୍ ଦେବାପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଗ୍ୟାସ୍ ପାଇଁ ସରକାର ପ୍ରଥମେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିବେ ।

ଗ୍ୟାସ୍ ପାଇବାର ୧୫ଦିନ ପରେ ଉପଭୋକ୍ତାମାନେ ଆଉ ଗୋଟିଏ ବୁକିଂ କରିପାରିବେ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଅର୍ଥ ଆସିବ । ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଏହି ଅର୍ଥ ପଠାଇ ସାରିଥିବାବେଳେ କିଛି ଉପଭୋକ୍ତାମାନେ ଏହା ବ୍ୟବହାର ମଧ୍ୟ ଆରମ୍ଭ କରିସାରିଲେଣି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ଇଣ୍ଡେନ୍ ଗ୍ୟାସ୍‌ର ପାଖାପାଖି ୫୮ ହଜାର ଉପଭୋକ୍ତା ରହିଥିବାବେଳେ ଏଚ୍‌ପିର ୪୩ ହଜାର ଓ ଭାରତ ଗ୍ୟାସ୍‌ର ୧ ଲକ୍ଷ ୭ ହଜାର ଉପଭୋକ୍ତା ରହିଛନ୍ତି ।

ସମ୍ବନ୍ଧିତ ଖବର