ଖୋର୍ଦ୍ଧା ବ୍ଲକ: ୨୦୨୦-୨୧ ଅଡିଟ୍‌ରେ ୨୦ କୋଟି ଟଙ୍କାର ଅନିୟମିତତା!

 କର୍ତ୍ତୃପକ୍ଷ ଜାଣି ଚୁପ୍, ପଞ୍ଚାୟତ ପ୍ରତିନିଧି ପ୍ରତିବାଦ କରିବାକୁ ଅମଙ୍ଗ

ଖୋର୍ଦ୍ଧା: ଖୋର୍ଦ୍ଧା ପୌରପରିଷଦ ଇଲାକାରେ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପାଶ୍ୱର୍ରେ ଖୋର୍ଦ୍ଧା ସଦର ବ୍ଲକ କାର୍ଯ୍ୟାଳୟ, ତଥାପି ଏହାର ଅନେକ କାର୍ଯ୍ୟ ଦୀପତଳ ଅନ୍ଧାର ଭଳି ଲୋକ ଲୋଚନକୁ ଆସେ ନାହିଁ କି ଚାଲୁଥିବା ଅନିୟମିତତା ବିରୋଧରେ କିଏ ପ୍ରତିବାଦ କରନ୍ତି ନାହିଁ । ନିକଟରେ ଶେଷ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟରେ ଏକ ଚମତ୍କୃତ କଲାଭଳି ତଥ୍ୟ ପଦାକୁ ଆସିଛି । ହଜାରେ କିମ୍ବା ଲକ୍ଷେ ନୁହେଁ ୨୦ କୋଟି ଟଙ୍କା ବ୍ଲକର ବିଭିନ୍ନ ଆକାଉଣ୍ଟରେ ଅନିୟମିତତା ହୋଇଥିବା ଜଣାଯାଇଛି । ଅଡିଟ୍ ଅଧିକାରୀ ମଧ୍ୟ ଉକ୍ତ ଟଙ୍କାକୁ “ପ୍ରତିବାଦ’ ତାଲିକାରେ ରଖି ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି ।

ଖୋର୍ଦ୍ଧା ବ୍ଲକର ବାର୍ଷିକ ବଜେଟ୍ ପ୍ରାୟ ୪୦ କୋଟି ଟଙ୍କା । ୨୨ ପଂଚାୟତ ବିଶିଷ୍ଟ ବ୍ଲକର ମୋଟ ଜନସଂଖ୍ୟା ୨ଲକ୍ଷ ୨୧ ହଜାର ୬୯୬ । ଖୋର୍ଦ୍ଧା ବ୍ଲକର ୨୦୧୯-୨୦୨୦ର ଆୟବ୍ୟୟର ଅଡିଟ୍ ୨୯ ଡିସେମ୍ବର ୨୦୨୦ରୁ ୧୬ ଫେବ୍ରୁଆରୀ ୨୦୨୧ ମଧ୍ୟରେ ହୋଇଥିଲା । ଅଡିଟ୍ ପରେ ଅଡିଟ୍ ଅଧିକାରୀ ଯେଉଁ ଯେଉଁ ପ୍ରସଙ୍ଗରେ ଅନିୟମିତତା ଦେଖି “ପ୍ରତିବାଦ’ କରିଥିଲେ । ସେନେଇ ବ୍ଲକ କର୍ତ୍ତୃପକ୍ଷ ଉତ୍ତର ରଖିବାର ସମୟ ସୀମା, ଅର୍ଥାତ୍ ଏକ୍‌ଜିିଟ୍‌ କନ୍ଫରେନ୍ସ ତାରିଖ ୧୩ ଜୁଲାଇ ୨୦୨୧ ଥିଲା ।

ଅଡିଟ୍ ସମୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୭ କୋଟି ୨ଲକ୍ଷ ୪୭ ଟଙ୍କା ଖର୍ଚ୍ଚ ନହୋଇ ରହିଥିଲା । ୨୦୧୯-୨୦ରେ ୩୯ କୋଟି ୪ଲକ୍ଷ ୭୬ହଜାର ଟଙ୍କା ସାଂସଦ ପାଣ୍ଠୀ, ବିଧାୟକ ପାଣ୍ଠୀ, ଅର୍ଥ କମିସନ ଆଦି ବିଭିନ୍ନ ବିଭାଗରୁ ଅନୁଦାନ ମିଳିଥିଲା । ସେହିବର୍ଷ ବ୍ଲକ କର୍ତୃପକ୍ଷଙ୍କ ନିକଟରେ ସମୁଦାୟ ୬୬ କୋଟି ୭ଲକ୍ଷ ୨୪ ହଜାର ଟଙ୍କା ମହଜୁଦ ରହିଥିଲା । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଥିରୁ ୩୮ କୋଟି ୨୪ଲକ୍ଷ ୯୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଅଡିଟ୍ ଟିମ୍, ବ୍ଲକର ବ୍ୟାଙ୍କ ଖାତା ଓ କ୍ୟାସ୍ ବୁକ୍ର ଯାଂଚ କରିବା ପରେ ୨୦୨୦ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୦ କୋଟି ୧ଲକ୍ଷ ୭୩ ହଜାର ୯୨୭ଟଙ୍କାର ତାଳମେଳ ନଥିବା ଦେଖିବାକୁ ପାଇଥିଲେ ।
ଓପିଏସ୍ଏପି ନିୟମର ଧାରା ୩୩ ଅନୁସାରେ, ଜାନୁଆରି ୨୦୦୯ର ଅର୍ଥ ବିଭାଗର ନିର୍ଦ୍ଦେଶ ଓ ପଂଚାୟତିରାଜ ବିଭାଗର ଜୁଲାଇ ୨୦୧୨ ଓ ମଇ ୨୦୧୩ର ନିଦେ୍ର୍ଦଶାନୁସାରେ, ଯଦି ବ୍ୟାଙ୍କ ଖାତା ଓ କ୍ୟାସ୍ ବୁକ୍‌ ଆୟବ୍ୟୟ ହିସାବ ମଧ୍ୟରେ ଅମେଳ ରହୁଥିଲେ ପ୍ରତିମାସର ଶେଷ ସୁଦ୍ଧା ଏହାକୁ ସଂଶୋଧନ କରାଯିବ, କିନ୍ତୁ ସେହିବର୍ଷ ଏହା କରାଯାଇନଥିଲା । ଏପରିକି ଅଡିଟ୍ ଟିମ୍ ଏହି ଅମେଳ ନେଇ ଦର୍ଶାଇବା ପରେ ମଧ୍ୟ ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୪ ମାସ ମଧ୍ୟରେ କୌଣସି ସ୍ପଷ୍ଟୀକରଣ ରଖାଯାଇନଥିଲା । ଅଡିଟ୍ ଟିମ୍ ଏତେପରିମାଣରେ ଟଙ୍କାର ତାଳମେଳ ରହୁନଥିବା ଓ ଦୀର୍ଘ ବର୍ଷ ଧରି ଏହାର ପ୍ରତିକାର କରାଯାଇନଥିବା ଓ ଏପରିକି ତ୍ରୁଟି ଦର୍ଶାଇବା ପରେ ମଧ୍ୟ ଏହାର ସ୍ପଷ୍ଟୀକରଣ ଦିଆଯାଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନୁସନ୍ଧାନରୁ ଜଣାଯାଇଛି ଯେ, ଖୋର୍ଦ୍ଧା ବ୍ଲକକୁ ବିଭିନ୍ନ ବିଭାଗରୁ ଆସୁଥିବା ଅନୁଦାନ ବିଭିନ୍ନ ବ୍ୟାଙ୍କର ଶାଖାରେ ୭୦ରୁ  ଊର୍ଦ୍ଧ୍ବ ବ୍ୟାଙ୍କ ଖାତାରେ ଜମା ହୋଇ ରହିଥାଏ । ଏହା ମଧ୍ୟରୁ ୩୮ଟି ବ୍ୟାଙ୍କ ଖାତାରେ ଏଭଳି ଅନିୟମିତତା ଦେଖିବାକୁ ମିଳିଛି । କେବଳ ଏହାନୁହେଁ ନିୟମ ବହିର୍ଭୁତ ଭାବେ ଏକାଧିକ ଯୋଜନା ପାଇଁ ଗୋଟିଏ ବ୍ୟାଙ୍କ ଖାତା ବ୍ୟବହାର କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ଲକର ବ୍ୟାଙ୍କ ଅଫ୍ ବରୋଦାରେ ଥିବା ଖାତା ନମ୍ବର ଓ ବ୍ୟାଙ୍କ ଅଫ୍ ଇଣ୍ଡିଆର ଖାତା ନମ୍ବର ସମାନ ରହିଥିବା ବେଳେ ଏଥିରେ ଥିବା ୮୦ଲକ୍ଷ ଟଙ୍କାର ହିସାବ ବ୍ଲକର କ୍ୟାସ୍‌ବୁକ୍‌ରେ ଦର୍ଶାଯାଇନାହିଁ ।

ନିକଟରେ ସଂଘଟିତ ପଂଚାୟତ ନିର୍ବାଚନ ପରେ ବ୍ଲକ ଅଧ୍ୟକ୍ଷ ପାଇଁ ରାଜନୀତି ଜୋର ଧରିଥିଲା । ଅଧ୍ୟକ୍ଷ ମଧ୍ୟ ବିଜେଡି ସମର୍ଥନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏହି ଅନିୟମିତତା ବର୍ତମାନ ପଦାରେ ପଡ଼ିବା ପରେ ବ୍ଲକର ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ମଧ୍ୟ କେହି ମୁହଁ ଖୋଲି ପ୍ରତିବାଦ କରିବାକୁ ପ୍ରସ୍ତୁତ ନାହାନ୍ତି । ସୂଚନାଯୋଗ୍ୟ, ୨୦୨୦ ଅପ୍ରିଲ୍ ୨୦ ତାରିଖରେ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟର ଏକ ନଥିପତ୍ର ଥିବା ଷ୍ଟୋରରୁମ୍‌ରେ ଅଗ୍ନିକାଣ୍ଡ ଘଟି କିଛି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ପୋଡ଼ିଯାଇଥିଲା । ବର୍ତ୍ତମାନ ଏହି ଅନିୟମିତତା ପଦାକୁ ଆସିବା ପରେ ଅଗ୍ନିକାଣ୍ଡକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର