ବୀରମହାରାଜପୁର/ ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତା ଭୁଦୋବୋରସ୍ଥିତ ଢ଼ାବା ପାଖରେ ଗୁରୁବାର ସନ୍ଧ୍ୟାରେ ଜଣେ ବୁଲେଟ୍ ଆରୋହୀ ଭାରସାମ୍ୟ ହରାଇ ସାଇକେଲ ଚାଳକଙ୍କୁ ଧକ୍କା ଦେଇଛନ୍ତି। ଘଟଣାସ୍ଥଳରେ ସାଇକେଲ ଆରୋହୀ ତ୍ରିଲୋଚନ ଭୋଇ(୨୨)ଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଉତ୍ତେଜିତ ଲୋକେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୟନଶିଳ୍ପ ବିଭାଗର ବୈଷୟିକ ସହାୟକ ଅଶୋକ କୁମାର ମିଶ୍ର ସନ୍ଧ୍ୟାରେ ବୀରମହାରାଜପୁର ଅଞ୍ଚଳରୁ ତାଙ୍କ ସରକାରୀ କାର୍ଯ୍ୟ ସାରି ସୋନପୁର ଯାଉଥିଲେ। ଏହି ସମୟରେ ଭୁଦୋବୋର ଗ୍ରାମରୁ ଟିଉସନ୍ ପାଠ ପଢା କାର୍ଯ୍ୟ ସାରି ସାଇକେଲରେ ପାର୍ବତୀପୁର ଗ୍ରାମର ତ୍ରିଲୋଚନ ଭୋଇ (୨୩) ନିଜ ଘରକୁ ଫେରୁଥିଲେ। କୌଣସି କାରଣରୁ ଅଶୋକ ଭାରସାମ୍ୟ ହରାଇ ତ୍ରିଲୋଚନଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତ୍ରିଲୋଚନଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତଥାପି ତ୍ରିଲୋଚନକୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଶୋକ ମିଶ୍ରଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ତା’ଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏକ କାର୍ (ଓଡି-୦୩ଏକ୍ସ-୫୧୩୩)କୁ ଭାଙ୍ଗି ନିକଟରେ ଥିବା ଜମି ଭିତରକୁ ଠେଲି ଦେଇଥିଲେ। ଏଥିସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକରି ରାସ୍ତା ଅବରୋଧ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଆଲୋଚନା ସରିଛି। ସମାଜସେବୀ କୃତ୍ତିବାସ ମିଶ୍ର, ଏସଡିପିଓ ଡୋଳାମଣି ଭୋଇ, ଉପଖଣ୍ଡ ପ୍ରଶାସନ ଓ ଅତିରିକ୍ତ ଏସପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ପ୍ରତ୍ୟାହାର ନ କରିବାରୁ ପୁଲିସ ଲାଠିଚାର୍ଜ କରିଥିବା ମଧ୍ୟ କହାଯାଉଛି। ତେବେ ପୁଲିସ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/fbe90239-cbff-4c90-a563-4c47f9b3e486.jpg)