ସୁନ୍ଦରଗଡ଼ରେ ଜମି ଦଲାଲଙ୍କ କାରନାମା; ଜାଲ୍ ଚେକରେ କ୍ରେତାଙ୍କୁ ଠକି ନେଇଗଲେ ୨୧ ଲକ୍ଷ

ସୁନ୍ଦରଗଡ଼: ଜମି ବିକିଲେ, ଜମି ନିବନ୍ଧନ କାର୍ଯ୍ଯାଳୟକୁ ଯାଇ କ୍ରେତାଙ୍କ ନାମରେ ପଞ୍ଜିକୃତ ବି କରିଦେଲେ। କିନ୍ତୁ ମଝିରେ ପଶି ବିକ୍ରି ଲବ୍ଧ ଟଙ୍କା ସବୁ ନେଇଗଲା ଦଲାଲ। ବିକ୍ରେତାଙ୍କ ହାତରେ ଜାଲ୍ ଚେକଟେ ଧରାଇ ଦେଇ ଲଗାଇ ଦେଲା ପ୍ରାୟ ୨୧ ଲକ୍ଷ ଟଙ୍କାର ଚୁନା। ଜମି ବିକି ଏପରି ଠକେଇରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ମଙ୍ଗସପୁର ବିଲେଇଗଡ଼ର ଜଣେ ବିଧବା ମହିଳା ଭଗବତୀ ସିଂ। ଏନେଇ ପୀଡିତା ଟାଉନଥାନାରେ ଏତଲା ଦେଇଥିଲେ ମଧ୍ୟ ଦଲାଲମାନେ ଟଙ୍କା ଦେବାର ନାଁ ଧରୁ ନାହାନ୍ତି। ଅଭିଯୋଗ ଅନୁସାରେ, ଭଗବତୀଙ୍କ ବାପାଙ୍କ ନାମରେ ସୁନ୍ଦରଗଡ଼ ସହର ଶଙ୍କରା ମୌଜାରେ ଜମି ରହିଛି। ଭାଗ ସୂତ୍ରରେ ଭଗବତୀ ୧ ଏକର ୪୦ ଡିସିମିଲ୍ ଜମି ପାଇଛନ୍ତି।

ଏକ ଜରୁରୀ କାର୍ଯ୍ୟ ପାଇଁ ଭଗବତୀ ସେଥିରୁ ୨୧ ଡିସିମିଲ ଜମି ବିକିବାକୁ ଚାହିଥିଲେ। ଏ କଥା ଦଲାଲଙ୍କ କାନରେ ପଡିଲା। ସେମାନେ ଝାରସୁଗୁଡା ରାଜପୁରରେ ରହୁଥିବା ହେମଗିରର ଜଣେ ସରକାରୀ କର୍ମଚାରୀଙ୍କୁ ଜମି କଥା କହିଥିଲେ। ସେ ରାଜି ହେବା ପରେ ଦଲାଲମାନେ ଭଗବତୀଙ୍କ ସହ ଜମିର ମୂଲଚାଲ କରିଥିଲେ। ଡିସିମିଲକୁ ଲକ୍ଷେ ଟଙ୍କାରେ କଥା ଛିଣ୍ଡିଥିଲା। ଜମି ପଞ୍ଜୀକରଣ ଦିନ ସବୁ ଟଙ୍କା ଦିଆଯିବ ବୋଲି ଦଲାଲମାନେ କହିଥିଲେ। ଜାନୁଆରି ୭ରେ ଭଗବତୀ ସୁନ୍ଦରଗଡ଼ ଜମି ନିବନ୍ଧନ କାର୍ଯ୍ଯାଳୟ ଆସି ସମ୍ପୃକ୍ତ ଦଲାଲମାନଙ୍କ ଉପସ୍ଥିତିରେ ଜମି କ୍ରେତାଙ୍କ ନାମରେ ୨୧ ଡିସିମିଲ୍ ଜମି ଲେଖିଦେଲେ। ବିକ୍ରି ଦଲିଲରେ ଦସ୍ତଖତ ପୂର୍ବରୁ ଭଗବତୀଙ୍କୁ ଦଲାଲ ଜଣକ ଏକ ଚେକ୍ ଦେଇଥିଲେ। ଦସ୍ତଖତ ପରେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇ ନେବାକୁ କହିଥିଲେ। ସରଳ ବିଶ୍ବାସୀ ଭଗବତୀ ଚେକ୍ ଧରି ଦଲିଲରେ ଦସ୍ତଖତ ଦେଇ ଚାଲି ଆସିଥିଲେ। ହେଲେ ଧରିଥିବା ଚେକଟି ଯେ ଜାଲ୍, ସେ କଥା ଜାଣିପାରି ନଥିଲେ। ଘରେ ଯାଇ ଦେଖିଲା ବେଳକୁ ଚେକରେ କାହାର ନାମ କି ଟଙ୍କା ପରିମାଣ ଉଲ୍ଲେଖ ନଥିଲା। ତୁରନ୍ତ ଦଲାଲଙ୍କୁ ଯୋଗାଯୋଗ କରି ଟଙ୍କା ମାଗିଥିଲେ ଭଗବତୀ। କିନ୍ତୁ ଦଲାଲମାନେ ଆଜିକାଲି କହି ଦିନ ଗଡାଇ ଚାଲିଲେ। ଏପରିକି କିଛି ଦିନ ତଳେ ଭଗବତୀଙ୍କ ଝିଅକୁ ଟଙ୍କା ଦେବାକୁ ଭୁବନେଶ୍ବର ଡାକି ଆଉ ଧରାଛୁଆଁ ଦେଇ ନଥିଲେ। କ୍ରେତା ସବୁ ଟଙ୍କା ଦଲାଲଙ୍କ ହାତରେ ଦେଇସାରିଥିବା ବେଳେ ସେମାନେ ହିଁ ଜାଲ୍ ଚେକ୍ ଦେଇ ଟଙ୍କା ହଡ଼ପ କରିଥିବା ଜଣା ପଡିଥିଲା। ଶେଷକୁ ଭଗବତୀ ଥାନାରେ ଅଭିଯୋଗ କରି ନ୍ଯାୟ ମାଗିଛନ୍ତି।

ଏତଲା ପରେ ବି ଦଲାଲମାନେ ଦିନ ଗଡାଇ ନେଉଛନ୍ତି। ତେବେ କେବଳ ଏକା ଭଗବତୀ ଯେ, ଠକେଇର ପଡିଛନ୍ତି ତାହା ନୁହେଁ, ଜମି ଦଲାଲମାନେ ଅନୁରୂପ ଭାବେ ତସଲାଡିହିର ଜଣେ ଜମି ମାଲିକଙ୍କୁ ମଧ୍ୟ ଏପରି ଠକିଛନ୍ତି। ସୂଚନାଯୋଗ୍ଯ, ଜମି ଦଲାଲଙ୍କ ଏକ ବଡ଼ ଗ୍ଯାଙ୍ଗ୍ ସୁନ୍ଦରଗଡ଼ରେ ସକ୍ରିୟ ରହି ଏପରି ଠକେଇ କରି ଚାଲିଛନ୍ତି। ଜମି କିଣାବିକା ନାମରେ ଅତି ଚତୁରତାର ସହ ଜାଲସାଦି କରି ନିରୀହ, ସରଳ କ୍ରେତା ଓ ବିକ୍ରେତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଉଥିବା ଅଭିଯୋଗ ରହିଛି। ଏକ ଚାଞ୍ଚଲ୍ୟକର ଘଟଣାକ୍ରମେ ଗତ ୨୦୨୧ ଅକ୍ଟୋବରରେ ଏହି ରାକେଟର ସଦସ୍ୟ ମିଛ ଜମି ମାଲିକ ସାଜି ସୁନ୍ଦରଗଡ଼ ମିଶନ ଛକର ଜଣେ ବ୍ଯବସାୟୀ ରାଜେଶ ତୋଲାନିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏସପି ସାଗରିକା ନାଥ ମାମଲାକୁ ଗୁରୁତ୍ବର ସହ ନେବା ପରେ ଗ୍ୟାଙ୍ଗର ୪ ସଦସ୍ଯ ଗିରଫ ହୋଇଥିଲେ। ଭଗବତୀଙ୍କ ଜମି ଠକେଇ ମାମଲାରେ ପୁଲିସ ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସହରରେ ଜମି ଦଲାଲି ରୋକିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର