ଏଟିଏମରୁ ନେଇଗଲେ ୨୫ ହଜାର ଟଙ୍କା

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଦୋପଟି ସାହିରେ ରହୁଥିବା ଜଣେ ମହିଳାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଲୁଟ ହୋଇଯାଇଛି । ଲୁଟର ଶିକାର ମହିଳା ହେଲେ ସ୍ଥାନୀୟ ଦୋପଟି ସାହିରେ ଘରଭଡ଼ା ନେଇ ରହୁଥିବା ଆନନ୍ଦ ଦାସଙ୍କ ପତ୍ନୀ ଲିଲି ଦାସ (୪୭) । ଏସଂପର୍କରେ ମହିଳା ଗୋଷ୍ଠୀ ତତ୍ବାବଧାନରେ ଆଜି ପୂର୍ବାହ୍ନରେ ଲିଲି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ହଜିଯାଇଥିବା ଏଟିଏମ କାର୍ଡ଼ ବଳରେ ଦୁର୍ବୃତ୍ତ ଏଟିଏମରୁ ଟଙ୍କା କାଢ଼ି ନେବାରେ ସଫଲ ହୋଇଛନ୍ତି । ଅଭିଯୋଗ ଗ୍ରହଣ ପୁଲିସ ଏଟିଏମ ନିକଟରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲେ ହେଁ ଲୁଟେରାଙ୍କ ଟେର ପାଇ ପାରିନାହିଁ । ଏହାପରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟରେ ପହଞ୍ଚି ପରିଚାଳକଙ୍କ ସହ ଏନେଇ ଆଲୋଚନା କରିଥିଲା ।

ପ୍ରାପ୍ତ ସୂଚନା ମୁତାବକ ଆନନ୍ଦ ଗୁପଚୁପ ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ବ୍ୟବସାୟ ବଢ଼ାଇବା ପାଇଁ ତାଙ୍କ ପତ୍ନୀ ଗତ ୭ ତାରିଖରେ ସ୍ଥାନୀୟ ଏଟିଏମକୁ ଟଙ୍କା ଉଠାଇବା ପାଇଁ ପୁଅ ସହ ଯାଇଥିଲେ । ଏଟିଏମରୁ ୧୫ ହଜାର ଟଙ୍କା ଉଠାଇ ଘରକୁ ମା’ପୁଅ ଦୁହେଁ ଚାଲିଚାଲି ଫେରୁଥିବା ବାଟରେ ତାଙ୍କର ଏଟିଏମ କାର୍ଡ଼ ହଜିଯାଇଥିଲା । ଏଟିଏମ କାର୍ଡ଼ ଉପରେ ଲେଖାଯାଇଥିବା ସିକ୍ରେଟ  ନମ୍ବର ବଳରେ ଦୁର୍ବୃତ୍ତ ଟଙ୍କା ଉଠାଇ ନେବାରେ ସକ୍ଷମ ହୋଇଥିଲା । ବ୍ୟାଙ୍କରୁ ଯାଞ୍ଚ ବେଳେ ଜଣାପଡ଼ିଥିଲା ସ୍ଥାନୀୟ କାର୍ଯ୍ୟାଳୟରୁ ୫ ହଜାର କରି ୨୦ ହଜାର ଓ ନୂଆପଲ୍ଲୀ ସ୍ଥିତ ଏଟିଏମରୁ  ବାକି ୫ ହଜାର ଟଙ୍କା ଲୁଟ ହୋଇଯାଇଛି । ଦିନକୁ ଦିନ ଏଠାରେ ସାଇବର ଠକେଇ ଓ ଲୁଟ ବଢ଼ି ଚାଲିଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ସମ୍ବନ୍ଧିତ ଖବର