ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ପୁଣି ଜଣେ ଯୁବକ ମିଛ ଟେଲିଫୋନ୍ କଲ ଦ୍ୱାରା ଠକେଇର ଶିକାର ହୋଇଛନ୍ତି। ସ୍ନାପ ଡିଲ୍ ବେସରକାରୀ ସଂସ୍ଥାରେ ଲକି ଡ୍ରରେ ଏକ ଟାଟା ସଫାରୀ କାର ଲଟେରିରେ ବାହାରିଲା କହି ଡାବୁଗାଁ ଥାନା ସଦର ରେଭନ୍ୟୁଗୁଡ଼ା ଗ୍ରାମର ଜଣେ ଯୁବକ ନିକଟରେ ୭ ହଜାର ଦୁଇ ସହ ଟଙ୍କା ଠକେଇ ହୋଇଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ କରିଛନ୍ତି।
ଦୁଇ ସପ୍ତାହ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳରୁ ଦୁଇ ଜଣ ଏପରି ଫେକ୍ କଲ୍ ମାଧ୍ୟମରେ ଠକେଇର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ ଡାବୁଗାଁ ସଦର ରେଭନ୍ୟୁସାହିର ଗୌତମ ସିଂ ( ୨୧ )ଙ୍କୁ ଚଳିତ ମାସ ୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟା ସମୟରେ ଏକ ଅଜଣା ନମ୍ବରରେ ଫୋନ୍ ଆସିଥିଲା। ଉକ୍ତ ବ୍ୟକ୍ତି ଜଣକ ଗୌତମକୁ ତମ ନାଁରେ ସ୍ନାପ ଡିଲ୍ କମ୍ପାନି ତରଫରୁ ଲକି ଡ୍ର ମାଧ୍ୟମରେ ଏକ ଟାଟା ସଫାରି କାର, ଯାହାର ମୂଲ୍ୟ ୧୨ ଲକ୍ଷ ଅଶି ହଜାର ଟଙ୍କା ବାହାରିଛି ବୋଲି କହିଥିଲେ। ଏହି କାର ପାଇବାକୁ ହେଲେ ତୁରନ୍ତ ୭ ହଜାର ଦୁଇ ସହ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଉକ୍ତ ବ୍ୟକ୍ତି କହିଥିଲା।
ଏହା ସହ ଆସାମର ବୋକାଜନ ଏସବିଆଇ ବ୍ରାଞ୍ଚର ଜଣେ ବ୍ୟକ୍ତିର ଏସବିଆଇ ଆକାଉଣ୍ଟ୍ ନମ୍ବର ଫୋନ୍ରେ ପଠାଇଥିଲା। ଗୌତମକୁ ବିଶ୍ୱାସ ଜନ୍ମାଇବା ପାଇଁ ଉକ୍ତ ବ୍ୟକ୍ତି ଜଣକ ମୁଁ ସ୍ନାପ ଡିଲ କମ୍ପାନିର କର୍ମଚାରୀ ବୋଲି ତାର ଆଧାର କାର୍ଡ, ପାନ୍ କାର୍ଡ, ଜବ କାର୍ଡ ଓ ଡ୍ରାଇ ଭିଂ ଲାଇସେନ୍ସ ଆଦି ହ୍ଵାଟସ୍ଅପ୍ରେ ମାଧ୍ୟମରେ ପଠାଇଥିଲା। ଏଥିରେ ଗୌତମ ବିଶ୍ୱାସ କରି ଡାବୁଗାଁରେ ଥିବା ତାର ଏସବିଆଇ ଆକାଉଣ୍ଟ୍ରୁ ଗୁଗୁଲ୍ ପେ ମାଧ୍ୟମରେ ୭ ହଜାର ଦୁଇ ସହ ଟଙ୍କା ପଠାଇ ଦେଇଥିଲା। ପୁଣି ଏକ ଘଣ୍ଟା ପରେ ଲଟେରି ବାହାରିଥିବା କାରରେ ତେଲ ପକାଇବାକୁ କହି ୧୧ ହଜାର ୫୦୦ ଟଙ୍କା ଜମା କରିବାକୁ ଅନ୍ୟ ଏକ ମୋବାଇଲ ନମ୍ବରରୁ ଫୋନ୍ ଆସିଥିଲା। ଏହା ପରେ ଗୌତମକୁ ସନ୍ଦେହ ଜାତ ହୋଇଥିଲା। ସେ କାର ଡାବୁଗାଁରେ ପହଞ୍ଚିବା ପରେ ଉକ୍ତ ଟଙ୍କା ଦେଇଦେବ କହିଥିଲା। ଏହାପରେ ଫୋନ୍ କଟି ଯାଇଥିଲା।
ସେହି ଦିନ ଠାରୁ ଉକ୍ତ ଦୁଇଟି ଅଜଣା ନମ୍ବରକୁ ଫୋନ୍ କଲେ ସେମାନେ ଆଉ ଫୋନ ଉଠାଉ ନାହାନ୍ତି। ଠକାମୀର ଶିକାର ହୋଇଥିବା ଗୌତମ ସିଂ ଡାବୁଗାଁ ଥାନାରେ ଏତଲା ଦେଇ ଥିବା ବେଳେ ଏସବିଆଇ ବ୍ୟାଙ୍କ୍ ଛୁଟି ଥିବାରୁ ବ୍ୟାଙ୍କ୍କୁ ଅବଗତ କରି ପାରି ନାହିଁ।
ସୂଚନା ଥାଉକି ଗତ ଅକ୍ଟୋବର ୩୧ ତାରିଖରେ ଡାବୁଗାଁ ଥାନା ଅନ୍ତର୍ଗତ ବୁଟିଆଗୁଡ଼ାର ଜଣେ ବ୍ୟକ୍ତିକୁ ମୋବାଇଲ ଟାୱାର କରିଦେବି କହି ତା ନିକଟରୁ ଅଜଣା ବ୍ୟକ୍ତି୧୦ ହଜାର ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।