ଭଦ୍ରକ: ଭଦ୍ରକ ଏସପି ଅଫିସ ନିକଟରୁ ଶୁକ୍ରବାର ରାତି ପ୍ରାୟ ସାଢ଼େ ଆଠଟାରେ ଜଣେ ସୁନା ଦୋକାନୀଙ୍କଠାରୁ ୩୦ ଲକ୍ଷ ଟଙ୍କାର ଗହଣା ଥିବା ଏକ ବ୍ୟାଗକୁ ଝାମ୍ପି ନେଇଛନ୍ତି। ଖୋଦ ଆଇନଶୃଙ୍ଖଳା ରକ୍ଷକ ଏସପିଙ୍କ କାର୍ଯ୍ୟାଳୟ ଚତୁଃପାର୍ଶ୍ବ ଲୋକଙ୍କ ପାଇଁ ସୁରକ୍ଷିତ ନଥିବା ଏଥିରୁ ସ୍ପଷ୍ଟ ହୋଇଛି। କୋଲକାତା ଜୁଏଲାରୀର ମାଲିକ ଏହି ଲୁଟ୍ର ଶିକାର ହୋଇଛନ୍ତି। ଏସପି ଅଫିସ୍ ନିକଟରେ ରହିଛି ଏହି ଏହି ସୁନା ଦୋକାନ। ଦୋକାନର ମାଲିକ ଗୋବିନ୍ଦ ଦାସ ଦୋକାନ ବନ୍ଦ କରି ବାହାରେ ଠିଆ ହୋଇଥିଲେ। ତାଙ୍କ ହାତରେ ୧୫ କେଜି ରୂପା ଓ ୪୦୦ ଗ୍ରାମର ସୁନା ଅଳଙ୍କାର ଭରି ରହିଥିବା ଏକ ବ୍ୟାଗ ଥିଲା।
ଦୁଇ ଲୁଟେରା ଏକ ବାଇକରେ ଆସି ତାଙ୍କ ହାତରୁ ଅଳଙ୍କାର ବ୍ୟାଗଟି ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଗୋବିନ୍ଦ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୁଲି ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ବି ଲୁଟେରାଙ୍କ ପତ୍ତା ପାଇନି। କିଛି ଦିନ ତଳେ ଭଦ୍ରକରୁ ବନ୍ଧୁକ ଦେଖାଇ ୪ଟି ସ୍ଥାନରୁ ଲୁଟ ହୋଇଥିଲା। ପୁଲିସ ଖୋଳତାଡ କରି ୪ ଲୁଟେରାଙ୍କୁ ବାନ୍ଧିଥିଲା। ସହରରେ ଏବେ ଲୁଟେରା ଗ୍ୟାଙ୍ଗ ବୁଲୁଛନ୍ତି। ବନ୍ଧୁକ ଓ ଭୁଜାଲି ମୁନରେ ଲୁଟ୍ ତରାଜ ଚାଲିଛି। ପୁଲିସ ସେମାନଙ୍କ ଟେର ପାଇପାରୁନି। ଖୋଦ ଏସପିଙ୍କ ଅଫିସ ନିକଟରେ ଯଦି ଲୁଟେରାମାନେ ଏଭଳି ଘଟଣା ଘଟାଇଲେ ତେବେ ସହରରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି। ଏହି ଲୁଟ୍ ଘଟଣାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/loot-at-gunpoint-1.jpg)