ମାଛ ତରକାରୀ କିଣିବା ମହଙ୍ଗା ପଡିଲା: ବରିଷ୍ଠ ମହିଳାଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ!

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ଜନ ଗହଳିପୂର୍ଣ୍ଣ ସ୍ଥାନ ଏଫ.ସି.ଆଇ ଛକ ନିକଟରେ ବୁଧବାର ମଧ୍ୟାହ୍ଣରେ କାର ଭିତରେ ବସିଥିବା ଜଣେ ୬୦ ବର୍ଷୀୟ ମହିଳାଙ୍କ ଠାରୁ ଦୁବୃର୍ତ୍ତମାନେ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ରିମ ସେଠ ନାମକ ମହିଳା ଏକ କାର ଯୋଗେ ସେଣ୍ଟ୍ରାଲ ମାର୍କେଟରୁ ଏଫ.ସି.ଆଇ ଛକ ଅଭିମୁଖେ ଆସିଥିଲେ। ଏହି କାର ଚଳାଉଥିବା ଚାଳକ ଏଫ.ସି.ଆଇ ନିକଟରେ ଥିବା ଏକ ହୋଟେଲକୁ ମାଛ ତରକାରୀ କିଣିବା ପାଇଁ ଯାଇଥିଲେ।

କାର ଭିତରେ ଏସି ଲଗାଇ ବରିଷ୍ଠ ମହିଳା ଜଣଙ୍କ ବସିଥିଲେ। ପଛରୁ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି କାର ଭିତରେ ବସିଥିବା ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଉକ୍ତ ମହିଳା ଟଙ୍କା ନେଇ ଗଲେ ବୋଲି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକମାନେ ରୁଣ୍ଢ ହେବା ପୂର୍ବରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଏ ନେଇ ଉକ୍ତ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର