୩୨ ଲକ୍ଷ ଟଙ୍କା ନେଇଗଲା ଝିଅ, ଫେରି ପାଇବାକୁ ଥାନା ଦୌଡ଼ୁଛନ୍ତି ବୃଦ୍ଧା ମା’

ସୁନ୍ଦରଗଡ଼: କିଛି ମାସ ତଳେ ହେମଗିର ବ୍ଲକ ଗୋପାଳପୁର ଅଞ୍ଚଳରେ ବାପାଙ୍କ ଜାଲ୍ ଦସ୍ତଖତରେ ଆକାଉଣ୍ଟରୁ ଝିଅ ୪୦ ଲକ୍ଷ ଉଠାଇ ନେବା ଓ ୬ ମାସ ପରେ ବାପା ଜାଣି ଝିଅ ନାମରେ ଏତଲା ଦେବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ  ହୋଇଥିଲା। ଏବେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଅଜାଣତରେ ଆକାଉଣ୍ଟରୁ ୩୨ ଲକ୍ଷ ଉଠାଇ ନେଇଛି ତାଙ୍କ ବିବାହିତା ଝିଅ। ଅଶୀତିପୁର ବୃଦ୍ଧା ମା’ ଜାଣିବା ପରେ ଟଙ୍କା ଫେରି ପାଇବାକୁ ଥାନା ଦୌଡ଼ୁଛନ୍ତି। ଏହା ମଧ୍ୟରେ ତିନି ବର୍ଷ ବିତିଗଲାଣି। କିନ୍ତୁ ବୃଦ୍ଧାଙ୍କ ଗୁହାରି ଶୁଣୁନି ପୁଲିସ। ଏପଟେ ଥାନାକୁ କଥା ଆସିବା ପରେ ଝିଅ ମାତ୍ର ଅଢ଼େଇ ଲକ୍ଷ ଟଙ୍କା ଫେରାଇ ଆଉ ଧରାଛୁଆଁ ଦେଉନି। ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦରଥାନା କୋପସିଂହାରେ।

ପୀଡ଼ିତା ବୃଦ୍ଧା ହେଲେ କଏଁତା ତାଣ୍ଡିଆ। ତାଙ୍କ ଅଭିଯୋଗ ଅନୁସାରେ, ଭେଡ଼ାବାହାଲ ଉଚ୍ଚ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପିପି)ରେ ତାଙ୍କ ମୃତ ସ୍ବାମୀ କ୍ଷୀରଧର ତାଣ୍ଡିଆଙ୍କ ୧୨.୫୦ ଏକର ଜମି ଅଧିଗ୍ରହଣ ହୋଇଥିଲା। ତା’ର କ୍ଷତିପୂରଣ ରାଶି ଭାଗ ଅନୁସାରେ  କଏଁତା, ବଡ଼ ଝିଅ ସୂର୍ଯ୍ୟକାନ୍ତି, ମଝିଆ ସୁରଭି, ସାନ ଝିଅ ସଂଗୀତା, କ୍ଷୀରଧରଙ୍କ ଦ୍ବିତୀୟ ପତ୍ନୀ ବିଷ୍ଣୁପ୍ରିୟା ତାଣ୍ଡିଆ, ତାଙ୍କ ଦୁଇ ଝିଅ ସଂଯୁକ୍ତା ଓ ସୁକୁର୍ତ୍ତାଙ୍କୁ ମିଳିଥିଲା। ସେଥିମଧ୍ୟରୁ କଏଁତା ତାଣ୍ଡିଆ ଗୋଟିଏ ଭାଗ ୩୫ ଲକ୍ଷ ପାଇଥିଲେ। ୨୦୧୭ ନଭେମ୍ବରରେ ଟଙ୍କା ତାଙ୍କ ପଞ୍ଜାବ ନେସନାଲ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଠିକ୍ ଏହି ସମୟରେ କଏଁତାଙ୍କୁ ତାଙ୍କ ମଝିଆ ଝିଅ ସୁରଭି ଓ ଜ୍ବାଇଁ ବଂଶୀଧର ପିତାବଲିଆସ୍ଥିତ ନିଜ ଘରେ  ଆଣି ରଖିଥିଲେ। ସେଠାରେ ରହିବା ଭିତରେ ସମୟ, ସୁଯୋଗ ଦେଖି ବ୍ୟାଙ୍କ କାଗଜପତ୍ରରେ ମା’ଙ୍କ ଟିପଚିହ୍ନ ନେଇଗଲେ ସୁରଭି। ଏପରିକି ପାସବୁକ୍, ଆଧାରକାର୍ଡ, ରାସନ କାର୍ଡ ମଧ୍ୟ ନେଇ ରଖିଲେ।

ଏହା ପରେ ପାସବୁକ୍ ଓ ଅନ୍ୟ କାର୍ଡ ମାଗିଲେ ମଧ୍ୟ ସୁରଭି ନାନା ଆଳ ଦେଖାଇ ଦେଉ ନଥିଲେ। ଏଥିରେ ସନ୍ଦେହ ପ୍ରକାଶ କରିଥିଲେ ବୃଦ୍ଧା କଏଁତା। ମା’ ଓ ଝିଅ ମଧ୍ୟରେ ପାଟିତୁଣ୍ଡ ହେବା ପରେ ପାସବୁକ୍ ଫେରାଇଥିଲେ ସୁରଭି। ଏହା ପରେ ବ୍ୟାଙ୍କକୁ ବଡ଼ ଜ୍ବାଇଁ ସହ ଯାଇ ଯାଞ୍ଚ କରିବା ପରେ ସୁରଭି ବିଭିନ୍ନ ସମୟରେ ୩୨ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଗାଁ ବୈଠକରେ କଥା ପଡ଼ିଥିଲା। କିନ୍ତୁ ସେଠାରେ ଝିଅ ସୁରଭି ଟଙ୍କା ଦେବି ନାହଁଲ କହି ଚାଲିଯାଇଥିଲେ। ଶେଷକୁ କଏଁତା ସଦରଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସୁରଭି ଗତ ୨୦୧୮ ମାର୍ଚ୍ଚ ୩୦ରେ ଟଙ୍କା ଫେରାଇବି ବୋଲି ଚୁକ୍ତିନାମା ଲେଖି ପରବର୍ତ୍ତୀ ସମୟରେ ଏପ୍ରିଲରେ ଅଢ଼େଇ ଲକ୍ଷ ଫେରସ୍ତ କରିଥିଲେ। କିନ୍ତୁ ବାକି ଟଙ୍କା ଆଉ ଦେବାର ନାଁ ଧରୁ ନାହାନ୍ତି।  ବୃଦ୍ଧା ମାଠ’ ଝିଅ ନେଇଥିବା ଟଙ୍କା ପାଇଁ ଥାନାକୁ ଦୌଡ଼ି ଦୌଡ଼ି ଥକି ପଡ଼ିଲେଣି।

ସମ୍ବନ୍ଧିତ ଖବର