ଟେକ୍ ମହିନ୍ଦ୍ରାରେ ଚାକିରି ନାଁରେ ବିଟେକ୍ ଛାତ୍ରଙ୍କ ୪ ଲକ୍ଷ ଟଙ୍କା ଠକେଇ, ମାମଲା ରୁଜୁ

ଭଞ୍ଜନଗର: କ‌ରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ଯୁବପିଢ଼ି ବର୍ତ୍ତମାନ ସାଇବର୍ ଅପରାଧୀଙ୍କ ଟାର୍ଗେଟରେ। ବିଭିନ୍ନ ଚାକିରି ୱେବସାଇଟ୍‌ରେ ଅନଲାଇନ୍ ମାଧ୍ୟମରେ ଚାକିରି ଖୋଜୁଥିବା ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ସାଇବର୍ ଅପରାଧୀ ମାନେ ପ୍ରଲୋଭନ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟି ନେବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏଭଳି ଠକେଇର ଶିକାର ହୋଇଛନ୍ତି, ଗଞ୍ଜାମ ଜିଲ୍ଲାର ‌ଜଣେ ଯୁବକ। ଟେକ୍ ମହିନ୍ଦ୍ରା ଭଳି ପ୍ରତିଷ୍ଠିତ କମ୍ପାନିରେ ଚାକିରି ‌ଦେବାର ଲୋଭ ଦେଖାଇ ଭଞ୍ଜନଗର ଥାନା ଇଲାକାର ଜଣେ ବିଟେକ୍ ଛାତ୍ରଙ୍କଠୁ ଅପରାଧୀ ମାନେ ୪ଲକ୍ଷ ୨୫ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଛାତ୍ରଜଣକ ପୁଲିସ୍‌ କ୍ରାଇମ ବ୍ରାଞ୍ଚ୍‌ର ଅନ୍‌ଲାଇନ୍‌ ପୋର୍ଟଲ୍‌‌ରେ ଗତ ଅକ୍ଟୋବର ୫ ତାରିଖରେ ଅଭିଯୋଗ ଦାଖଲ କରିଥିଲେ। ଏହାର ତଦନ୍ତ ପାଇଁ ସାଇବର୍ ବିଭାଗରୁ ଏକ ନୋଟିସ୍ ପହଞ୍ଚିବା ପରେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୬୨୬/୨୦ ଅନୁସାରେ ମାମଲା ରୁଜୁ ହୋଇଛି। ତଦନ୍ତ ଆରମ୍ଭ ହୋଇଥିବା ନେଇ ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁସାରେ ବିଟେକ୍‌ ଛାତ୍ରଜଣକ ଅନଲାଇନ୍‌ରେ ଚାକିରି ଅନ୍ବେଷଣ ପାଇଁ ବିଭିନ୍ନ ୱେବସାଇଟ୍‌ରେ ତାଙ୍କର ତଥ୍ୟ ଅପଲୋଡ଼୍ କରିଥିଲେ। ଗତ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ତାଙ୍କ ନିକଟକୁ ଗୋଟିଏ ମେଲ୍‌ ଆସିଥିଲା। ଯେଉଁଥ‌ିରେ ‘ସାଇନ୍ ଡଟ୍‌କମ୍’ ନାମକ ଏକ ସଂସ୍ଥା ଦ୍ବାରା ଟେକ୍ ମହିନ୍ଦ୍ର‌ାରେ ତାଙ୍କୁ ଚାକିରି ପାଇଁ ଚୟନ କରାଯାଇଥିବା କୁହାଯାଇଥିଲା। ଏହାସହ ଅନଲାଇନ୍ ଦ୍ବାରା ସାକ୍ଷାତକାର ହେବ ବୋଲି ଉତ୍ତର ଆସିଥିଲା। ପ୍ରତିଷ୍ଠିତ କମ୍ପାନିରେ ଚାକିରି ପାଇବା ଆଶାରେ ସେ ଅନଲାଇନ୍ ମାଧ୍ୟମରେ ସାକ୍ଷାତକାର ଦେଇଥିଲେ। ଜଣେ ବ୍ୟକ୍ତି ନିଜକୁ ଟେକ୍ ମହିନ୍ଦ୍ରାର ମାନବ ସମ୍ବଳ ଅଧିକାରୀ ଭାବେ ପରିଚୟ ଦେଇ ସାକ୍ଷାତକାର ନେବା ପରେ ଅଫର୍ ଲେଟର୍ ମଧ୍ୟ ତାଙ୍କ ନିକଟକୁ ମେଲ୍‌ରେ ଆସିଥିଲା।
ଚାକିରି ପାଇଛନ୍ତି ବୋଲି ଛାତ୍ରଜଣକ ‌ବେଶ୍ ଉତ୍ସାହିତ ହୋଇଥିଲେ। ପୁଣି ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ୮୮୮୫ ଟଙ୍କା ଏକ ଆକାଉଣ୍ଟ୍‌ରେ ଡିପୋଜିଟ୍‌ କରିବାକୁ କୁହାଯିବା ପରେ କୌଣସି ସନ୍ଦେହ ନକରି ଛାତ୍ରଜଣକ ଗୁଗୁଲ୍ ପେ’ ଆପ୍‌ରେ ଟଙ୍କା ପଠାଇଥିଲେ। ଏହାପରେ ଲାପ୍‌ଟପ୍ ସିକ୍ୟୁରିଟି ପାଇଁ ୧୨ହଜାର ୬୮୬ ଟଙ୍କା ସମେତ ଟ୍ରେନିଂ ଚାର୍ଜ ବାବଦକୁ ୩୦,୨୫୬ ଟଙ୍କା, ବୋର୍ଡ଼ ସାଇନ୍‌ ପାଇଁ ୫୨,୪୯୩ ଟଙ୍କା ଓ କରୋନା ସିକ୍ୟୁରିଟି ବାବଦରେ ୬୨,୫୩୨ ଟଙ୍କା ଉକ୍ତ ଆପ୍‌ରେ ପଠାଇଥିଲେ। ପୁଣି ଥରେ ପ୍ରୋସ‌େସିଂ ଚାର୍ଜ ପାଇଁ ୫୮,୩୮୬ ଟଙ୍କା ପଠାଇଥିଲେ, ଯାହାକୁ ପରେ ଫେରାଇ ଦିଆଯିବ ବୋଲି କୁହାଯାଇଥିଲା। ଏଥିସହ ସାଇନ୍‌ ଡଟ୍‌କମ୍‌ର କମିସନ୍‌ ବାବଦକୁ ତିନ‌ୋଟି କିସ୍ତିରେ ୧ ଲକ୍ଷ ୨ହଜାର ୮୪ ଟଙ୍କା ପଠାଇଥିଲେ। କିନ୍ତୁ ଟଙ୍କା ପଠାଇବାରେ ବିଳମ୍ବ ହେବାରୁ ଲେଟ୍‌ ଫି’ ବାବଦକୁ ୨୫ହଜାର ଟଙ୍କା ଦାବି କରିବାରୁ ସେହି ଟଙ୍କା ବି ଛାତ୍ରଜଣକ ଦେଇଥିଲେ। ଏଭଳି ଭାବେ ମୋଟ ୧୦ଟି କିସ୍ତିରେ ସେ ୪ ଲକ୍ଷ ୨୫ହଜାର ୯୯୫ ଟଙ୍କା ସେହି ଆକାଉଣ୍ଟ୍‌କୁ ପଠାଇଥିଲେ। କିନ୍ତୁ ଚାକିରିର ପତ୍ତା ନଥିଲା। ପୁଣି ଲାପ୍‌ଟପ୍‌ ଚାର୍ଜ ପାଇଁ ୭୨ ହଜାର ଟଙ୍କା ଦେବାକୁ କୁହାଯିବାରୁ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା।

ସେ ଟେକ୍ ମହିନ୍ଦ୍ରା ଏବଂ ସାଇନ୍‌ ଡଟ୍‌କମ୍‌ର ଅଫିସିଆଲ୍‌ ସାଇଟ୍‌ରେ ଯାଞ୍ଚ କରିଥିଲେ। ଆଉ ପାଇଥିବା ଅଫର୍ ଲେଟର୍‌କୁ ସେ ଅପଲୋଡ୍‌ କରି ଫରୱାର୍ଡ଼ କରିଥିଲେ। ହେଲେ ଉକ୍ତ ଅଫର୍ ଲେଟର୍ କମ୍ପାନି ପକ୍ଷରୁ ଦିଆଯାଇ ନଥିବା ଓ ସାକ୍ଷାତକାର ନେଇଥିବା ବ୍ୟକ୍ତିଜଣକ କମ୍ପାନିରେ ଚାକିରି କରୁନାହାନ୍ତି ବୋଲି ଟେକ୍ ମହିନ୍ଦ୍ରା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଫଳରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଆଉ ଚାକିରି ଆଶାରେ ଲକ୍ଷାଧିକ ଟଙ୍କା ହରାଇଥିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଉପାୟ ଶୂନ୍ୟ ‌ହୋଇ ପୁଲିସ୍‌ କ୍ରାଇମ ବ୍ରାଞ୍ଚ୍‌ର ଅନ୍‌ଲାଇନ୍‌ ପୋର୍ଟଲ୍‌‌ରେ ଗତ ଅକ୍ଟୋବର ୫ ତାରିଖରେ ଅଭିଯୋଗ ଦାଖଲ କରିଥିଲେ। ବର୍ତ୍ତମାନ ଭଞ୍ଜନଗର ପୁଲିସ ଏହାର ତଦନ୍ତ କରୁଛି। ପୂର୍ବରୁ ସାଇବର ଅପରାଧୀ ମାନ‌େ ବିଭିନ୍ନ ଦାମୀ ସାମଗ୍ରୀ କମ୍ ମୂଲ୍ୟରେ ବିକ୍ରି କରିବାର ପ୍ରଲୋଭନ‌ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଉଥିବା ବେଳେ ବର୍ତ୍ତମାନ ଚାକିରି ଆଶାରେ ରହିଥିବା ନିରୀହ ଯୁବକଯୁବତୀଙ୍କ ମାନଙ୍କ ଠାରୁ ଅର୍ଥ ଲୁଟ କରିବାର ନୂଆ ବାଟ ବାହାର କରିଛନ୍ତି। ଫଳରେ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ପାଲଟିଛି। ସତର୍କତା ଓ ସଚେତନତା ଅଭାବରୁ ଯୁବପିଢ଼ି ଏହାର ଶିକାର ହେଉଛନ୍ତି

ସମ୍ବନ୍ଧିତ ଖବର