କେନ୍ଦୁଝରରେ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ବାନ୍ଧିଲେ ୬ ଜଣ ଡକାୟତ, ଲୁଟି ନେଲେ ୪ ଲକ୍ଷ ଟଙ୍କା

କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗାସ୍ଥିତ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ବାନ୍ଧି ଦେଇ ଦୁର୍ବୃତ୍ତମାନେ ଆଜି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ସଶସ୍ତ୍ର ସହ କାନାଡା ବ୍ୟାଙ୍କ ଭିତରେ ପ୍ରବେଶ କରି ଆତଙ୍କରାଜ ଚଳାଇଥିବା ଜଣାଯାଇଛି। ଅଭିଯୋଗ ଅନୁଯାଇ ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଥରହର କରି ଅଳ୍ପ ସମୟ ଭିତରେ ୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ହାଣ୍ଡିଭଙ୍ଗାସ୍ଥିତ କାନାଡା ବ୍ୟାଙ୍କକୁ ୩ଟି ମୋଟର ସାଇକେଲ୍‌ରେ ୬ ଜଣ ମୁଖାପିନ୍ଧା ଦୃର୍ବୃତ୍ତ ପହଞ୍ଚିଥିଲେ। ଅପରାହ୍ନ ସମୟ ହୋଇଥିବାରୁ ବ୍ୟାଙ୍କ ଭିତରେ ହାତଗଣତି ଗ୍ରାହକ ଥିଲେ। ବ୍ୟାଙ୍କ ଭିତରେ ଭିଡ଼ ନ ଥିବାରୁ ଲୁଟ୍‌ ପାଇଁ ଏହା ହିଁ ସୁବର୍ଣ୍ଣ ସୁଯୋଗ ବୋଲି ମନେ କରିଥିଲେ ଦୁର୍ବୃତ୍ତମାନେ।

ତେବେ ଦୁର୍ବୃତ୍ତମାନେ ବ୍ୟାଙ୍କରେ ଆତଙ୍କରାଜ ସୃଷ୍ଟି କରିବା ପୂର୍ବରୁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ବ୍ୟାଙ୍କ ଭିତରେ ପ୍ରବେଶ କରି କର୍ମଚାରୀମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବ୍ୟାଙ୍କର ମ୍ୟାନେଜରଙ୍କୁ ବାନ୍ଧିଦେବା ପରେ ହିସାବରକ୍ଷକଙ୍କ ଠାରୁ ବଳ ପୂର୍ବକ ୪ ଲକ୍ଷ ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ସାଥୀରେ ବନ୍ଧୁକ ଓ ଭୁଜାଲି ନେଇ ଆସିଥିଲେ। ଆକ୍ରମଣରେ ମ୍ୟାନେଜର ସମେତ ୨ ଜଣ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର